ନୂଆଦିଲ୍ଲୀ: ଭେ‌ଟେରାନ୍ ଭାରତୀୟ ବ୍ୟାଟର୍‌ ଅଜିଙ୍କ୍ୟ ରା‌ହାଣେ ଜଣେ କ୍ରିକେଟ୍‌ ଯୋଦ୍ଧା। ଦୃଢ଼ତା ହେଉଛି ତାଙ୍କ ଶକ୍ତି। ଏହି ୪ ନମ୍ବର ବ୍ୟାଟର୍‌ ସଂପ୍ରତି ଭାରତୀୟ ଦଳରୁ ବାହାରେ ଅଛନ୍ତି, କିନ୍ତୁ ତାଙ୍କର ବିଶ୍ବାସ ଅଛି ସେ ପୁଣି ଫେରିବେ। ୨୦୨୩ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍ସ ଟ୍ରଫି (ଡବ୍‌ଲ୍ୟୁଟିସି) ଫାଇନାଲ୍‌ ପରଠୁ ଚୟନ ସମିତି ପକ୍ଷରୁ ତାଙ୍କୁ କେହି ଯୋଗାଯୋଗ କରିନାହାନ୍ତି। ଏପରିକି ଲଗାତାର ଭାବେ ତାଙ୍କୁ ଟେଷ୍ଟ୍ ଦଳରେ ସ୍ଥାନ ମିଳିନି। ଏଥିସହ ଗତ ବ‌ର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳରେ ମଧ୍ୟ ସାମିଲ କରାଯାଇ ନଥିଲା। ଏହାକୁ ନେଇ ସେ ଏକ ସାକ୍ଷାତକାରରେ ଚୟନ ସମିତି‌ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ୩୬ ବର୍ଷୀୟ ରାହାଣେ କହିଛନ୍ତି, ‘‘କିଛି ବର୍ଷ ତଳେ ମୋତେ ବାଦ୍‌ ଦିଆଯାଇଥିଲା। ଏହା ପରେ ମୁଁ ରନ୍‌ କରିଥିଲି, ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ଦଳରେ ସ୍ଥାନ ପାଇଥିଲି। ଏହା ପରଠୁ ମୋତେ ପୁଣି ବାଦ୍‌ ଦିଆଯାଇଛି। ଏହାକୁ ନେଇ ମୁଁ କ’ଣ କରିପାରିବି? ଘରୋଇ କ୍ରିକେଟ୍‌ରେ ଭଲ କରିବାରୁ ଆଇପିଏଲ୍‌ ଲାଗି ଡାକରା ମିଳିଛି। ଜଣେ ଅଭିଜ୍ଞ ଖେଳାଳି ଫେରିଲେ, ସେ ୨-୩ ଶୃଙ୍ଖଳା ଖେଳିବା କଥା। 

Advertisment

ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆହ୍ବାନପୂର୍ଣ୍ଣ ଥିଲା ଏବଂ ଡାକରା ମିଳିବା ଆଶା ରଖିଥିଲି। କିନ୍ତୁ ମୋତେ ଚୟନ କରାଯାଇ ନଥିଲା। ମୁଁ ବହୁତ ଦିନ ଧରି ଖେଳୁଥିବାରୁ ବହୁତ ଖରାପ ଲାଗିଥିଲା। ମୁଁ ସେଭଳି ବ୍ୟକ୍ତି ନୁହେଁ ଯେ ପଚାରିବି କାହିଁକି ମୋତେ ବାଦ୍‌ ଦିଆଯାଇଛି। ‌କୌଣସି ଯୋଗାଯୋଗ ନାହିଁ। ଅନେକ କହୁଛନ୍ତି, ଯାଇକି ପଚାର। କିନ୍ତୁ ସେମାନେ ପ୍ରସ୍ତୁତ ନାହାନ୍ତି କଥା ହେବାକୁ ମୁଁ କ’ଣ କଥାହେବି। ମୁଁ ଏକାକୀ କଥା ହେବାକୁ ଚାହୁଥିଲି। ମୁଁ କେବେ ବି ମେସେଜ୍‌ କରିନି। ଡବ୍‌ଲ୍ୟୁଟିସି ଫାଇନାଲ୍‌ ପରଠୁ ବାଦ୍‌ ଦେବା ମୋତେ ଅଜବ ଲାଗିଥିଲା। କାରଣ ଏଥିପାଇଁ ମୁଁ ବହୁତ ପରିଶ୍ରମ କରିଥିଲି ଏବଂ ପରବର୍ତ୍ତୀ ଶୃଙ୍ଖଳା ଖେଳିବା ଆଶା ରଖିଥିଲି। ଗର୍ବ କରିବାର କିଛି ମାନେ ନାହିଁ। ମୋ ହାତରେ ଯାହା ହୋଇପାରିବ ତାହା କରିବି।

ତଥାପି ମୋର ବିଶ୍ବାସ ଅଛି ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବି। ମୁଁ କ୍ରିକେଟ୍‌ ଉପରେ ହିଁ ଗୁରୁତ୍ବ ଦେଇଥାଏ। ଏବେ ବି ସେହିକଥା ଭାବେ କ୍ରିକେଟ୍‌ ଖେଳ ଘରକୁ ଯାଅ। ଲୋକ କହନ୍ତି ତୁମେ ଏହାକୁ ନେଇ ଗଣମାଧ୍ୟମ ଦ୍ବାରା ଲୋକଲୋଚନକୁ ଆଣ। ମୋର କୌଣସି ଲୋକସମ୍ପର୍କ (ପିଆର୍‌) ଦଳ ନାହିଁ, ମୋର ପିଆର୍‌ ହେଉଛି କ୍ରିକେଟ୍‌। ମୋ ପାଇଁ ଖବର ଗୁରୁତ୍ବପୂର୍ଣ୍ଣ ନୁହେଁ’’। ମୁମ୍ବାଇ ପକ୍ଷରୁ ଖେଳୁଥିବା ରାହାଣେ ଇଡେନ୍‌ ଗାର୍ଡେନ୍ସରେ ହରିୟାଣା ବିପକ୍ଷ ରଣଜୀ ଟ୍ରଫି କ୍ବାର୍ଟରଫାଇନାଲ୍‌ରେ ଶତକ ଅର୍ଜନ କରିଥିଲେ। ଏହା ତାଙ୍କର ୨୦୦ତମ ପ୍ରଥମ ଶ୍ରେଣୀ ଶତକ ଥିଲା।