ବରଫ ଉପରେ କ୍ରିକେଟ୍‌

ସେଣ୍ଟ ମୋରିଜ୍‌: ସ୍ୱିଜରଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସେଣ୍ଟ ମୋରିଜ୍‌ ପାର୍ବତ୍ୟାଞ୍ଚଳରେ ଚଳିତ ମାସ ୮ ଓ ୯ ଦୁଇ ଦିନ ଧରି ଏକ ନିଆରା କ୍ରିକେଟ୍‌ ପ୍ରତିଯୋଗତା ଆୟୋଜିତ ହେବ। ଅନେକ ଅନ୍ତର୍ଜାତୀୟ କ୍ରିକେଟର ଖେଳିବାକୁ ଥିବା ଏହି ପ୍ରତିଯୋଗିତା ବରଫ ଉପରେ ଖେଳାଯିବ। ଏପରିକି ବରଫ ଉପରେ ପିଚ୍‌ ଠାରୁ ଆରମ୍ଭ କରି ଅସ୍ଥାୟୀ ଦର୍ଶକ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯିବ। ସେଣ୍ଟ ମୋରିଜ୍‌ ଆଇସ୍‌ କ୍ରିକେଟ୍‌ ପ୍ରତିଯୋଗିତା ନାମରେ ନାମିତ ହୋଇଥିବା ଏହି ପ୍ରତିଯୋଗିତାରେ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ, ଦ୍ରୁତ ବୋଲର ଅଜିଙ୍କ୍ୟ ରାହାଣେ ଏବଂ ଜାହିର ଖାନ୍‌ ଖେଳିବେ। ଏହି ଦୁଇ ଦିନିଆ ପ୍ରତିଯୋଗିତା ସେଣ୍ଟ ମୋରିଜ୍‌ ହ୍ରଦ ଉପରେ ଖେଳାଯିବ। ଶୀତଦିନ ଏହି ହ୍ରଦର ପାଣି ଜମି ବରଫ ପାଲଟି ଯାଇଥାଏ। ଏହି ବରଫ ଏତେ ଶକ୍ତ ହୋଇଥାଏ ଯେ ୨୦୦ ଟନ୍‌ ଓଜନ ରଖିଲେ ବି କିଛି ହୋଇ ନଥାଏ। ଏପରିକି କ୍ରିକେଟ୍‌ ପିଚ୍‌ ନିର୍ମାଣ ଲାଗି ଏହା ପୂରା ଉପଯୁକ୍ତ ହୋଇଯାଇଥାଏ।

ପ୍ରତିଯୋଗିତାର ଦୁଇଟି ଦଳକୁ ଡାଇମଣ୍ଡ୍ସ ଏବଂ ରୟାଲ୍ସ ନାମ ଦିଆ ଯାଇଛି। ସେହବାଗ ଡାଇମଣ୍ଡ୍ସ ଏବଂ  ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ରୟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହାବାଗଙ୍କ ଦଳରେ ଜାହିର ଖାନ୍‌, ମହମ୍ମଦ କୈଫ, ଅଜିତ ଅଗରକର, ମାହେଲା ଜୟବର୍ଧନେ,  ତିଲକରତ୍ନେ ଦିଲସାନ, ଲସିଥ ମାଲିଙ୍ଗା, ମାଇକ୍‌ ହସି, ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ, ଯୋଗେନ୍ଦ୍ର ଶର୍ମାଙ୍କ ଭଳି ଖେଳାଳି ଅଛନ୍ତି। ଅନ୍ୟ ପକ୍ଷରେ ଆଫ୍ରିଦିଙ୍କ ଦଳରେ ସୋଏବ ଅଖତାର, ଅବଦୁର ରଜାକ, ଜ୍ୟାକ୍‌ କାଲିସ୍‌, ଗ୍ରେମ୍‌ ସ୍ମିଥ୍‌,  ଡାନିଏଲ୍‌ ଭିଟୋରୀ, ଗ୍ରାଣ୍ଟ ଇଲିଅଟ, ନାଥନ ମ୍ୟାକଲମ୍‌, ମଣ୍ଟି ପାନେସାର, ଓଇସ୍‌ ସାହା ଅଛନ୍ତି। ଉଭୟ ଦଳରେ ସ୍ୱିଜରଲାଣ୍ଡର କିଛି ଖେଳାଳି ରହିଛନ୍ତି। ସୋନି ଟିଭିରେ ଏହି ପ୍ରତିଯୋଗିତାର ସିଧା ପ୍ରସାରଣ ହେବ। ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ଏବେ ଜୋର ସୋରରେ ଚାଲିଛି। ଏହି ବିଷୟରେ ସୂଚନା ଦେଇ ଜାହିର ନିଜ ଟ୍ଵିଟର ପୃଷ୍ଠାରେ ଲେଖିଛନ୍ତି ଯେ ଗଳି କନ୍ଦିି, କଂକ୍ରିଟ୍‌ ରାସ୍ତା, ଛୋଟ ପଡ଼ିଆ ଏବଂ ବଡ଼ ଷ୍ଟାଡିୟମରେ କ୍ରିକେଟ୍‌ ଖେଳିଛି। ହେଲେ ଆସନ୍ତା ୮ ଓ ୯ ତାରିଖରେ ପ୍ରଥମ ଥର ପାଇଁ ସ୍ୱିଜରଲାଣ୍ଡର ସେଣ୍ଟ ମୋରିସ୍‌ଠାରେ ବରଫ ଉପରେ କ୍ରିକେଟ୍‌ ଖେଳିବି।

ସମ୍ବନ୍ଧିତ ଖବର