ଜାତୀୟ ସଙ୍ଗୀତ ଗାନ ବେଳେ ପଡ଼ିଆରେ କାନ୍ଦି ପକାଇଲେ ମହମ୍ମଦ ସିରାଜ ! ଜାଣନ୍ତୁ କାହିଁକି ଆଖିକୁ ଚାଲି ଆସିଲା ଲୁହ…

ସିଡନି: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ବେଳେ ଦେଖିବାକୁ ମିଳିଲା ଏକ ଭାବବିହ୍ୱଳ ଦୃଶ୍ୟ । ମ୍ୟାଚ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ ବେଳେ କାନ୍ଦି ପକାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସିରାଜ । ତେବେ ତାଙ୍କ କାନ୍ଦୁଥିବାର ଫଟୋକୁ ଟ୍ୱିଟରରେ ‘ଜୟହିନ୍ଦ’ ଲେଖି ସେୟାର କରିଛି ବିସିସିଆଇ । ସେ କାହିଁକି ମ୍ୟାଚ ଆରମ୍ଭରୁ ଭାବବିହ୍ୱଳ ହୋଇ ପଡିଲେ ଏ ନେଇ ମ୍ୟାଚ ଶେଷରେ ନିଜ ମନ କଥା କହିଛନ୍ତି ମହମ୍ମଦ ସିରାଜ ।

ମ୍ୟାଚ ପରେ ମହମ୍ମଦ ସିରାଜ କହିଥିଲେ, ମୁଁ ମ୍ୟାଚ ଆରମ୍ଭ ବେଳକୁ ମୋ ବାପାଙ୍କ କଥା ମନେ ପକାଉଥିଲି । ବାପାଙ୍କର ଇଚ୍ଛା ଥିଲା ମତେ ସେ ଟେଷ୍ଟ ମ୍ୟାଚ ଖେଳୁଥିବାର ଦେଖିବେ । ହେଲେ ତା’ ପୂର୍ବରୁ ତାଙ୍କ ଦେହାନ୍ତ ହୋଇଗଲା । ସେ ଯଦି ଆଜି ଥାନ୍ତେ ମୋତେ ଭାରତ ପାଇଁ ଖେଳୁଥିବାର ଦେଖିଥାନ୍ତେ । ବାପାଙ୍କ ଏହି କଥାକୁ ଭାବି ମୋ ଆଖିରେ ଲୁହ ଚାଲି ଆସିଲା ।

ଗତ ନଭେମ୍ବର ମାସରେ ମହମ୍ମଦ ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ରହିଥିଲେ । ବାପାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ଯାଇ ପାରିନଥିଲେ ସିରାଜ । ତେବେ ବର୍ତ୍ତମାନ ବାପାଙ୍କ କଥା ମନେ ପକାଇ ମ୍ୟାଚ ବେଳେ କାନ୍ଦି ପକାଇଛନ୍ତି ସିରାଜ ।

ମହମ୍ମଦ ସିରାଜ ଏ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ୬ଟି ୱିକେଟ ନେଇଛନ୍ତି । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜରିଆରେ ସେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ।

ସମ୍ବନ୍ଧିତ ଖବର