ଅଗଷ୍ଟରୁ ଘରୋଇ କ୍ରିକେଟ୍‌ ଋତୁ

କଟକ: ଆସନ୍ତା ଅଗଷ୍ଟ ୧୩ ତାରିଖରୁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ୨୦୧୮-୧୯ ଘରୋଇ କ୍ରିକେଟ୍‌ ଋତୁ ଆରମ୍ଭ ହେବ। ଏହା ୨୦୧୯ ଏପ୍ରିଲ ୨୪ ତାରିଖରେ ଶେଷ ହେବ। ବରିଷ୍ଠ ମହିଳା ଟେ୍ଵଣ୍ଟି ୨୦ ଚାଲେଞ୍ଜର ଟ୍ରଫିରୁ ଋତୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ଅଗଷ୍ଟ ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ ଚାଲେଞ୍ଜର ଟ୍ରଫିରେ ଋତୁ ଶେଷ ହେବ। ୨୦୧୯ ଏପ୍ରିଲ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଦିନିକିଆ ଚାଲେଞ୍ଜର ଟ୍ରଫି ଅନୁଷ୍ଠିତ ହେବ। ୨୦୧୮-୧୯ ଋତୁରେ ମୋଟ ୨୦୧୭ଟି ଘରୋଇ ମ୍ୟାଚ୍‌ ଖେଳାଯିବ। ଉତ୍ତର ପୂର୍ବାଞ୍ଚଳ ଦଳଗୁଡ଼ିକ ସାମିଲ ହେଉଥିବାରୁ ଏଥରର ମ୍ୟାଚ୍‌ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଏତେସବୁ ମ୍ୟାଚ୍‌ ପରିଚାଳନା ପାଇଁ କିନ୍ତୁ ମାତ୍ର ୫୪ ରେଫରି ଓ ୯୭ ଅମ୍ପାୟାର ପଂଜିକୃତ ହୋଇଥିବା ଜଣାପଡ଼ିଛି। ତେବେ ଚଳିତ ମାସ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ଖେଳସୂଚୀ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବୋର୍ଡର ସବୁଠାରୁ ସମ୍ମାନଜନକ ତଥା ମହତ୍ୱପୂର୍ଣ୍ଣ ଘରୋଇ ପ୍ରତିଯୋଗିତା ‘ରଣଜୀ ଟ୍ରଫି’ ଏଥର ନୂଆ ଶୈଳୀରେ ଖେଳାଯିବ। ଉତ୍ତର ପୂର୍ବାଞ୍ଚଳ ଦଳଗୁଡ଼ିକ ପ୍ରତିଯୋଗିତାରେ ପ୍ରଥମ ଥର ସାମିଲ ହେଉଥିବାରୁ ଏହି ପ୍ରତିଯୋଗିତା ଏଥର ୯୪ ଦିନ ଚାଲିବ ଏବଂ ମୋଟ ୧୬୦ ମ୍ୟାଚ୍‌ ଖେଳାଯିବ। ଲିଗ୍‌ ପର୍ଯ୍ୟାୟ ନଭେମ୍ବର ୧ରୁ ଜାନୁଆରି ୧୦ ତାରିଖ ଏବଂ ନକ୍‌ଆଉଟ୍‌ ପର୍ଯ୍ୟାୟ ଜାନୁଆରି ୧୫ରୁ ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ବର୍ଷଠୁ ରଣଜୀ ଟ୍ରଫିରେ ବିହାର ସମେତ ଉତ୍ତର ପୂର୍ବାଞ୍ଚଳରୁ ମେଘାଳୟ, ଅରୁଣାଚଳ ପ୍ରଦେଶ, ମଣିପୁର, ସିକିମ୍‌ ଓ ନାଗାଲାଣ୍ଡ ଅଂଶଗ୍ରହଣ କରୁଛନ୍ତି। ଗତ ଋତୁରେ ରଣଜୀ ଟ୍ରଫି ୬୭ ଦିନ ଧରି ଚାଲିଥିଲା। ଆଗାମୀ ଋତୁଠୁ ପ୍ରି-କ୍ୱାର୍ଟର ଫାଇନାଲ୍‌ ଆରମ୍ଭ କରାଯିବାକୁ ଯୋଜନା ରହିଛି। ତଥାପି ଚୂଡ଼ାନ୍ତ ଖେଳସୂଚୀକୁ ଅପେକ୍ଷା କରିବାକୁ କୁହାଯାଇଛି।

ମହିଳା ଚାଲେଞ୍ଜରରୁ ଆରମ୍ଭ ଓ ଶେଷ
୨୦୧୮-୧୯ରେ ଖେଳାଯିବ ୨୦୧୭ ମ୍ୟାଚ୍‌
ନିୟୋଜିତ ହେବେ ୯୭ ଅମ୍ପାୟର, ୫୪ ରେଫରି
ସାମିଲ ହେବେ ଉତ୍ତର-ପୂର୍ବାଞ୍ଚଳ ଦଳ
୯୪ ଦିନରେ ୧୬୦ ରଣଜୀ ମ୍ୟାଚ୍‌

ପୁରୁଷ କ୍ରିକେଟ୍‌ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାପରେ ବିଜୟ ହଜାରେ ଟ୍ରଫି ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ, ଦେଓଧର ଟ୍ରଫି ଅକ୍ଟୋବର ୨୩ରୁ ୨୭ ତାରିଖ, ଇରାନୀ ଟ୍ରଫି ଫେବ୍ରୁଆରି ୧୧ରୁ ୧୫ ତାରିଖ, ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୩ ବର୍ଷରୁ କମ୍‌ ବିଭାଗରେ ସିକେ ନାୟୁଡୁ ଟ୍ରଫି ଲିଗ୍‌ ପର୍ଯ୍ୟାୟ ନଭେମ୍ବର ୨ରୁ ଜାନୁଆରି ୧୨ ଏବଂ ନକ୍‌ଆଉଟ୍‌ ପର୍ଯ୍ୟାୟ ଜାନୁଆରି ୧୭ରୁ ଫେବ୍ରୁଆରି ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିନିକିଆ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାର୍ଚ୍ଚ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଭିଜି ଟ୍ରଫି, ଅକ୍ଟୋବର ୫ରୁ ନଭେମ୍ବର ୪ ପର୍ଯ୍ୟନ୍ତ ବିନୁମଙ୍କଡ଼ ଟ୍ରଫି, ନଭେମ୍ବର ୧୯ରୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ କୁଚ୍‌ବେହାର ଟ୍ରଫି, ଅକ୍ଟୋବର ୩ରୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଖେଳାଯିବ। ବରିଷ୍ଠ ମହିଳାରେ ଡିସେମ୍ବର ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଦିନିକିଆ, ଜାନୁଆରି ୪ରୁ ୮ ତାରିଖ ପର୍ଯ୍ୟନ୍ତ ଦିନିକିଆ ଚାଲେଞ୍ଜର ଟ୍ରଫି, ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଆୟୋଜିତ ହେବ। ୨୩ ବର୍ଷରୁ କମ୍‌ ମହିଳାରେ ଅକ୍ଟୋବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ଟେ୍ଵଣ୍ଟି-୨୦ ଚାଲେଞ୍ଜର ଟ୍ରଫି, ଜାନୁଆରି ୧୪ରୁ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଟେ୍ଵଣ୍ଟି-୨୦, ମାର୍ଚ୍ଚ ୧୭ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଦିନିକିଆ, ଏପ୍ରିଲ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିନିକିଆ ଚାଲେଞ୍ଜର ଟ୍ରଫି, ୧୯ ବର୍ଷରୁ କମ୍‌ରେ ଅକ୍ଟୋବର ୧୪ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଟେ୍ଵଣ୍ଟି-୨୦, ନଭେମ୍ବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଟେ୍ଵଣ୍ଟି-୨୦ ଚାଲେଞ୍ଜର ଟ୍ରଫି, ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଦିନିକିଆ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର