କଟକଣା ଭିତରେ ପୁଣି ଫେରିବ କ୍ରିକେଟ୍‌, ବିସିସିଆଇ ଜାରି କଲା ୧୦୦ ପୃଷ୍ଠାର ଏସ୍‌ଓପି

ନିଯୁକ୍ତ ହେବେ ସ୍ବତନ୍ତ୍ର ଡାକ୍ତରୀ ଦଳ, ନିୟମିତ ଭାବେ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହେବ

କଟକ: କୋଭିଡ୍‌ କଟକଣା ଭିତରେ କ୍ରିକେଟ୍‌ ପରିଚାଳନା ପାଇଁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସମସ୍ତ ରାଜ୍ୟ ସ˚ଘମାନଙ୍କ ପାଇଁ ଏସ୍‌ଓପି (ସାଧାରଣ ପରିଚାଳନା ପ୍ରକ୍ରିୟା) ଜାରି କରିଛି। ବୋର୍ଡର ଡାକ୍ତରୀ ଦଳ ସହ ଆଲୋଚନା କରାଯାଇ ବିସିସିଆଇ ପୁଣି ଥରେ କ୍ରିକେଟ୍‌ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଏହି ଏସ୍‌ଓପି ପ୍ରସ୍ତୁତ କରିଛି। ୧୦୦ ପୃଷ୍ଠା ସମ୍ଭଳିତ ଏସ୍‌ଓପିର ପ୍ରଥମ ଭାଗରେ ଜଣେ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍‌ଓ) ଙ୍କୁ ନିଯୁକ୍ତ କରିବା ପାଇଁ ଦର୍ଶାଯାଇଛି। ତାଙ୍କ ସହିତ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ଏମାନେ ଅଭ୍ୟାସ ଶିବିର ଓ ମ୍ୟାଚ୍‌ ବେଳେ ଜୈବ ସୁରକ୍ଷା ନୀୟମାବଳୀ ପାଳନ କରାଯିବା ସ˚କ୍ରାନ୍ତରେ ଉତ୍ତରଦାୟୀ ରହିବେ। ତେବେ ସ୍ଥାନୀୟ ପ୍ରଶାସନର ଅନୁମତି ପରେ ରାଜ୍ୟ ସ˚ଘମାନେ ପୁଣି ଥରେ କ୍ରିକେଟ୍‌ ଆରମ୍ଭ କରିପାରିବେ ବୋଲି କୁହାଯାଇଛି। ମ୍ୟାଚ୍‌ କିମ୍ବା ଅଭ୍ୟାସ ବେଳେ ଯଦି ଦର୍ଶକ ଉପସ୍ଥିତ ରୁହନ୍ତି, ତାହେଲେ ସେମାନଙ୍କୁ ମଧ୍ୟ ନୂଆ ନୀତିନିୟମ ଭିତରେ ରହିବାକୁ ପଡ଼ିବ। ଏଥସହ ଆଇସିସି ନିୟମାବଳୀ ଭଳି ଏଠାରେ ମଧ୍ୟ ବଲ୍‌କୁ ଚିକ୍କଣ କରିବାକୁ ଲାଳର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏସ୍‌ଓପି ଅନୁଯାୟୀ, ପ୍ରଶିକ୍ଷଣକୁ ଫେରିବାକୁଥିବା ଖେଳାଳିମାନେ ପ୍ରଥମେ ସେମାନଙ୍କ ଦୁଇ ସପ୍ତାହର ଗସ୍ତ ବିବରଣୀ ଡାକ୍ତରୀ ଦଳଙ୍କୁ ପ୍ରଦାନ କରିବେ। ଏଥିସହ ସମସ୍ତ ଖେଳାଳି ଓ ଦଳୀୟ ସଦସ୍ୟଙ୍କୁ ଅନ୍‌ଲାଇନ୍‌ରେ କିଛି ପ୍ରଶ୍ନାବଳୀର ସାମ୍ନା କରିବାକୁ ପଡ଼ିବ। ଯଦି କେହି ଖେଳାଳି କିିମ୍ବା ଦଳୀୟ କର୍ମଚାରୀଙ୍କ ପାଖରେ କୋଭିଡ୍‌-୧୯ ଲକ୍ଷଣ ଦେଖାଦିଏ, ତାହେଲେ ତାଙ୍କର ପିସିଆର‌୍‌ ପରୀକ୍ଷା କରାଯିବ। ପ୍ରଥମ ପରୀକ୍ଷା କରାଯିବାର ଗୋଟିଏ ଦିନ ଛାଡ଼ି ପରବର୍ତ୍ତୀ ଦିନରେ ଦ୍ବିତୀୟ ପରୀକ୍ଷା ହେବ। ଯଦି ଦୁଇଟି ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସେ ତାହେଲେ ତାହେଲେ ସ˚ପୃକ୍ତ ଖେଳାଳି କିମ୍ବା କର୍ମଚାରୀଙ୍କୁ ଶିବିରକୁ ଅନୁମତି ମିଳିବ। ଏଥିସହ ସମସ୍ତ ଖେଳାଳି ଓ କର୍ମଚାରୀମାନଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବାକୁ ହେବ। ଶିବିର ଆରମ୍ଭ ହେବା ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ନୂଆ ନୀୟମାବଳୀ ସ˚କ୍ରାନ୍ତରେ ସିଏମ୍‌ଓ ଅବଗତ କରିବେ ବୋଲି ଏସ୍‌ଓପିରେ ଦର୍ଶାଯାଇଛି। ଏଥିସହିତ କୌଣସି ସାଧାରଣ ସ୍ଥାନରେ ଖେଳାଳି ଓ କର୍ମଚାରୀଙ୍କୁ ଏନ୍‌-୯୫ କିମ୍ବା ତିନିଥାକିଆ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ଆଇସିସି ନିୟମାବଳୀ ଭଳି ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପୂର୍ବରୁ ପ୍ରତ୍ୟେକ ଖେଳାଳିଙ୍କୁ ଏକ ସହମତି ଫର୍ମ ପୂରଣ କରି ଦାଖଲ କରିବାକୁ ହେବ।

ପଡ଼ିଆ କର୍ମଚାରୀ, ଅମ୍ପାୟାର, ଦଳୀୟ ସଦସ୍ୟ କିମ୍ବା ଶିବିର ସହ ଜଡ଼ିତ ରହିବାକୁ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଯାହାର ବୟସ ୬୦ରୁ ଉର୍ଧ୍ବ ହୋଇଥିବ ଏବ˚ ସେମାନେ ମଧୁମେହ, ଶ୍ବାସ ରୋଗ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ଶିବିରରୁ ବାଦ୍‌ ଦିଆଯିବ। ଏମାନଙ୍କ ପାଖରେ ଗୁରୁତର ସ୍ବାସ୍ଥ୍ୟଗତ ବ୍ୟତିକ୍ରମ ହେବା ଆଶଙ୍କା ଅଧିକ ରହିଥିବାରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି।

ବେଙ୍ଗଲ ପ୍ରଶିକ୍ଷକ ରହିବେନି ଅରୁଣ ଲାଲ, ବରଦାରୁ ବିଦା ହେଲେ ହ୍ବାଟମୋର
ମୁମ୍ବାଇ: କରୋନା ମହାମାରୀ ସଙ୍କଟ ପାଇଁ ରାଜ୍ୟସଂଘଗୁଡ଼ିକୁ ବିସିସିଆଇ, କ୍ରିକେଟ୍ ଆୟୋଜନ, ପ୍ରଶିକ୍ଷଣ ଓ ପରିଚାଳନା ଲାଗି ନୂଆ ଏସ୍‌ଓପି (ସାଧାରଣ ପରିଚାଳନା ପ୍ରକ୍ରିୟା) ଜାରି କରିଛି। ତଦନୁଯାୟୀ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଶିବିର କିମ୍ବା ଅନ୍ୟାନ୍ୟ କ୍ରିକେଟ୍ କାର୍ଯ୍ୟକ୍ରମରେ ସାମିଲ ହେବାରୁ ନିରୁତ୍ସାହିତ କରିବାକୁ କୁହାଯାଇଛି। ବିସିସିଆଇର ଏହି ନିଷ୍ପତ୍ତି ବେଙ୍ଗଲ ଓ ବରୋଦା କ୍ରିକେଟ୍ ସଂଘ ଉପରେ ଅତି ମାତ୍ରାରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ବେଙ୍ଗଲ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ କ୍ରିକେଟର ଅରୁଣ ଲାଲ (୬୫) ଓ ବରୋଦାର ବିଦେଶୀ ପ୍ରଶିକ୍ଷକ ଡେଭ୍‌ ହ୍ବାଟମୋର (୬୬)ଙ୍କ ବୟସ ୬୦ ଟପି ସାରିଛି। ଏଣୁ ଏହି ଦୁଇ ଦଳ ଯଥାକ୍ରମେ ଅରୁଣ ଓ ହ୍ବାଟମୋରଙ୍କ ସେବାରୁ ବଞ୍ଚିତ ହେବେ। ଅରୁଣଙ୍କ ପ୍ରଶିକ୍ଷଣରେ ବେଙ୍ଗଲ ଗତ ଋତୁରେ ରଣଜୀ ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିଥିଲା। ବରୋଦା ମଧ୍ୟ ହ୍ବାଟମୋରଙ୍କ ପ୍ରଶିକ୍ଷଣରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ଏବେ କିନ୍ତୁ ଉଭୟ ନିଜ ନିଜ ଦଳର ପ୍ରାକ୍‌ ଋତୁ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପାରିବେନି। ଉଭୟ କ୍ରିକେଟ୍ ସଂଘର ଅଧିକାରୀ ଏଥିଲାଗି ନିରାଶା ଜାହିର କରିଛନ୍ତି। ତେବେ ବିସିସିଆଇ ନିର୍ଦ୍ଦେଶାବଳୀକୁ ମାନିବେ ବୋଲି କହିଛନ୍ତି। ବିସିସିଆଇ ‌ସୋମବାର ଘରୋଇ କ୍ରିକେଟ୍ ଲାଗି ଜାରି କରିଥିବା ଏସଓପିରେ କହିଛି ‘‘ଅମ୍ପାୟାର, ଗ୍ରାଉଣ୍ଡ ଷ୍ଟାଫ୍ ଅଥବା ସହକାରୀ କର୍ମଚାରୀ, ଯେଉଁ ବ୍ୟକ୍ତିଙ୍କ ବୟସ ୬୦ରୁ ଅଧିକ ହୋଇଥିବ କିମ୍ବା ସେମାନଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସ୍ବାସ୍ଥ୍ୟଗତ ସମସ୍ୟା ଥିବ, ସେମାନଙ୍କୁ ‌କୋଭିଡ୍-୧୯ ସଙ୍କ୍ରମଣ ହେବାର ଆଶଙ୍କା ଅଧିକ। ଯଦି ସରକାରଙ୍କ ଦ୍ବାରା କୌଣସି ଉପଯୁକ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇ ନାହିଁ, ତାହାଲେ ସେମାନଙ୍କୁ ପ୍ରଶିକ୍ଷଣ ଶିବିରରେ ଯୋଗଦେବାରୁ ନିରୁତ୍ସାହିତ କରାଯାଉ’’।

ରହଣି ବ୍ୟବସ୍ଥା
ନୂଆ ନିୟମାବଳୀରେ ଦର୍ଶାଯାଇଛି ଯେ, ଖେଳାଳିମାନେ ଯେଉଁଠାରେ ରହିବେ ସେଠାରେ ପ୍ରତି ରୁମ୍‌ରେ ଜଣେ ରହିବା ଭଳି ବ୍ୟବସ୍ଥା କରାଯିବ। ଯଦି ହୋଟେଲ୍‌ରେ ରୁହନ୍ତି, ତାହେଲେ ଏହା ପଡ଼ିଆର ନିକଟତର ହୋଇଥିବା ଆବଶ୍ୟକ। ଖେଳାଳିମାନେ ଆସିବାର ଦୁଇଦିନ ପୂର୍ବରୁ ଏକାଡେମୀ ଓ ହୋଟେଲ୍‌ କର୍ମଚାରୀମାନଙ୍କର ସ୍କ୍ରିନି˚ କରାଯିବ। ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ ଡ୍ୟୁଟିରୁ ବାଦ୍‌ ଦିଆଯିବ। ଏକାଡେମୀ ଓ ହୋଟେଲ କର୍ମଚାରୀମାନେ ମଧ୍ୟ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଦିନ ସମସ୍ତ ଦଳୀୟ ସଦସ୍ୟ, ଏକାଡେମୀ ଓ ହୋଟେଲ କର୍ମଚାରୀଙ୍କ ଶରୀରର ତାପମାତ୍ରାକୁ ରେକର୍ଡ କରାଯିବ। ଖେଳାଳିମାନଙ୍କ ଖାଇବା ସ୍ଥାନ ଓ ଶୌଚାଳୟକୁ ନିୟମିତ ଅନ୍ତରାଳରେ ସଫା ରଖାଯିବ। ପ୍ରତ୍ୟେକ ବ୍ୟବସ୍ଥାଗୁଡ଼ିକ ଯେପରି ଭଲଭାବେ ବିଶୋଧନ ହେଉଥିବ ତାହାକୁ ଆୟୋଜକମାନେ ଧ୍ୟାନ ଦେବେ। ହୋଟେଲ୍‌ର ଜିମ୍‌, ସୁଇମି˚ ପୁଲ୍‌, ସ୍ପା ଇତ୍ୟାଦିକୁ ଖେଳାଳିମାନେ ବ୍ୟବହାର କରିପାରିବେନି।

ଖେଳାଳିଙ୍କ ଯାତାୟତ ନିୟମ
ଖେଳାଳିମାନେ ରହିବା ସ୍ଥାନକୁ ଯିବା ଆସିବା କରିବା ପାଇଁ ନିର୍ଦ୍ଧିଷ୍ଟ ବସ୍‌ର ବ୍ୟବସ୍ଥା ରହିବ। ଅଭ୍ୟାସ ନଥିଲାବେଳେ ବି ଉକ୍ତ ବସ୍‌ କୌଣସି ଅଣ ଖେଳାଳି ଯାତ୍ରୀଙ୍କୁ ବସ୍‌ରେ ନେଇପାରିବନି। ବସ୍‌ର କର୍ମଚାରୀମାନଙ୍କ ଗସ୍ତ ଓ ସ୍ବାସ୍ଥ୍ୟଗତ ବିବରଣୀକୁ ସିଏମ୍‌ଓଙ୍କୁ ଦେବାକୁ ହେବ। ଯେଉଁମାନଙ୍କର କରୋନା ଲକ୍ଷଣ ଦେଖାଦେବ ସେମାନଙ୍କୁ ଡ୍ୟୁଟିରୁ ବାଦ୍‌ ଦିଆଯିବ। ବସ୍‌ର ପ୍ରତ୍ୟେକ କର୍ମଚାରୀ ମାସ୍କ ପିନ୍ଧିବେ ଓ ଖେଳାଳିମାନେ ସାମାଜିକ ଦୂରତା ନିୟମକୁ ପାଳନ କରିବେ। ବସ୍‌ କର୍ମଚାରୀମାନେ ଖେଳାଳିମାନଙ୍କୁ ସାନିଟାଇଜର ଯୋଗାଇଦେବେ। ଖେଳାଳିମାନେ ଘରୁ ଶିବିରକୁ ଆସିଲାବେଳେ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କରିବାକୁ ହେବ। ଯଦି ନିଜର ଗାଡ଼ି ନଥିବ ତାହେଲେ ଭଡ଼ା ଗାଡ଼ି ଆଣିପାରିବେ, କିନ୍ତୁ କାହା ସହିତ ସେୟାର କରିପାରିବେନି।

ପଡ଼ିଆକୁ ଦର୍ଶକ ଆସିବେନି
ଶିବିର କିମ୍ବା ମ୍ୟାଚ ବେଳେ ପଡ଼ିଆକୁ ଦର୍ଶକ, ଖେଳାଳିଙ୍କ ଅଭିଭାବକଙ୍କୁ ଅନୁମତି ଦିଆଯିବ ନାହିଁ। ଯଦି କାହାକୁ ସ୍ବତନ୍ତ୍ର ଅନୁମତି ଦିଆଯାଏ, ତାହେଲେ ସେମାନଙ୍କର ସ୍କ୍ରିନି˚ କରାଯିବା ସହ ତିନି ଥାକିଆ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପଡ଼ିଆକୁ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ବାଟ ରହିବ। ଖେଳାଳିମାନେ ପଡ଼ିଆକୁ ଆସିବା ପୂର୍ବରୁ କର୍ମଚାରୀମାନେ ପଡ଼ିଆର ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ହେବ। ସେହିଭଳି ଖାଦ୍ୟ ଯୋଗାଣକାରୀ କର୍ମଚାରୀ ଓ ଡ୍ରେସି˚ରୁମ୍‌ କର୍ମଚାରୀଙ୍କ ସ˚ଖ୍ୟା ସୀମିତ ରଖାଯିବ। ଡ୍ରେସି˚ ରୁମ୍‌ରେ ରହିଥିବା ସବୁ ବ୍ୟବସ୍ଥାଗୁଡ଼ିକୁ ନିୟମିତ ଭାବେ ବିଶୋଧନ କରାଯିବ।

ସନ୍ଦିଗ୍ଧ କିମ୍ବା ପଜିଟିଭ୍‌ ଆକ୍ରାନ୍ତଙ୍କ ସହ ବ୍ୟବହାର
ଯଦି ଶିବିର ବେଳେ କେହି କରୋନାରେ ଆକ୍ରାନ୍ତ ହୁଅନ୍ତି କିମ୍ବା ଲକ୍ଷଣ ଥାଏ, ସେମାନଙ୍କ ସହ ଭାରତ ସରକାରଙ୍କ ନିୟମାବଳୀ ଅନୁଯାୟୀ ବ୍ୟବହାର କରାଯିବ। ଡାକ୍ତରୀ ଦଳ ପିପିଇ କିଟ୍‌ ପିନ୍ଧି ସେମାନଙ୍କ ଚିକିତ୍ସା ସମ୍ବନ୍ଧୀୟ ପଦକ୍ଷେପ ନେବେ। ସେମାନଙ୍କଠୁ ବାହାରୁଥିବା ବ୍ୟବହୃତ ଆବର୍ଜନାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ ନଷ୍ଟ କରାଯିବ।

ପ୍ରଶିକ୍ଷଣ ଏସ୍‌ଓପି
ପ୍ରତ୍ୟେକ ଖେଳାଳି ଓ କର୍ମଚାରୀମାନଙ୍କର ପ୍ରତ୍ୟେକ ଦିନ ସକାଳେ ସ୍କ୍ରିନି˚ କରାଯିବ। ଯଦି କାହା ପାଖରେ କାଶ, ମୁଣ୍ତବିନ୍ଧା, ଜ୍ବର, ଶରୀର ପୀଡ଼ା, ଶ୍ବାସରେ ସମସ୍ୟା, ସ୍ବାଦ ଓ ଗନ୍ଧ ହରାଇବା ଭଳି ଲକ୍ଷଣ ଦେଖାଦିଏ, ତାହେଲେ ସେମାନେ ଡାକ୍ତରୀ ଦଳକୁ ଏବିଷୟରେ ଅବଗତ କରାଇବେ। ସାମାଜିକ ଦୂରତ୍ବ ମଧ୍ୟରେ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଖେଳାଳିଙ୍କ କିଟ୍‌ ବ୍ୟାଗକୁ ପଡ଼ିଆରେ ପହଞ୍ଚିବା ପରେ ଓ ପ୍ରତ୍ୟେକ ବ୍ୟବହାର ପରେ ବିଶୋଧନ କରାଯିବ। ବିସିସିଆଇ ମୁଖ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା ପରେ ବଲ୍‌କୁ କିପରି ବିଶୋଧନ କରାଯିବ ତାହା ପରେ ଜଣାଇଦିଆଯିବ। ଡ୍ରେସି˚ ରୁମ୍‌, ଵାସ୍‌ ରୁମ୍‌ ଓ ଅନ୍ୟାନ୍ୟ ସ୍ଥାନର ବ୍ୟବହାର କମ୍‌ କରିବା ପାଇଁ ଖେଳାଳିମାନେ ପୂର୍ଣ୍ଣ ମାତ୍ରାରେ ପୋଷାକ ପରିଧାନ କରି ଓ ପ୍ରସ୍ତୁତ ହୋଇ ପଡ଼ିଆରେ ପ୍ରବେଶ କରିବେ। ପଡ଼ିଆରେ ଛେପ କିମ୍ବା ନାକରୁ ବାହାରୁଥିବା ପାଣି ପକାଇବାକୁ ବାରଣ କରାଯାଇଛି। ଯଦି କେହି ଏପରି କରୁଛନ୍ତି, ତାହେଲେ ଟିସୁ ପେପର ବ୍ୟବହାର କରିବେ ଓ ସ୍ଥିରିକୃତ ଡଷ୍ଟବିନ୍‌ରେ ତାହାକୁ ପକାଇବେ।

ଶିବିର ବେଳେ ବାହାରେ ମିଶିବା ମନା
ଶିବିର ଜାରି ରହିଥିଲାବେଳେ ଖେଳାଳିମାନେ ବାହାରର କୌଣସି ଲୋକଙ୍କ ସହ ନମିଶିବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିକି ପରିବାର, ବନ୍ଧୁ, ସାଙ୍ଗମାନଙ୍କ ସହ ମଧ୍ୟ କେହି ମିଶିପାରିବେନି। ଯଦି ନିହାତି ଆବଶ୍ୟକ ଭିତ୍ତିରେ ଖେଳାଳିମାନେ ବାହାରକୁ ଯାଉଛନ୍ତି, ତାହେଲେ ସେମାନେ ଫେରିବା ପରେ ସଙ୍ଗରୋଧରେ ରହିବେ। ସମସ୍ତ ଡାକ୍ତରୀ ନିୟମାବଳୀ ପାଳନ ହେବା ପରେ ତାଙ୍କୁ ଦଳ ସହିତ ରହିବାକୁ ଅନୁମତି ମିଳିବ। ଏସବୁ ସହିତ ଜାତୀୟ କ୍ରିକେଟ ଏକାଡେମୀ ପାଇଁ ମଧ୍ୟ ନିୟମାବଳୀ ଧାର୍ଯ୍ୟ କରାଯାଇଛି। ଖେଳାଳି ଓ ଏକାଡେମୀ କର୍ମଚାରୀମାନେ କ’ଣ କରିବେ ଓ କ’ଣ ନକରିବେ ତାହାର ଏକ ତାଲିକା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର