ନୂଆଦିଲ୍ଲୀ: ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବ ଏଭଳି ଚର୍ଚ୍ଚା ଏବେଠାରୁ ଜୋର ଧରିଛି। ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ବକପ୍ ଖେଳାଯିବା ସମୟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ଏଭଳି ଘୋଷଣା କରିପାରେ। ଏଥିରେ କିଛି ଆଶ୍ଚର୍ଯ୍ୟ ଚକିତ ହେବାରେ ନାହିଁ। ଦକ୍ଷିଣ ଏସିଆରେ କ୍ରିକେଟ୍ ଢେର ଲୋକପ୍ରିୟ ରହିଛି। ଏସିଆ ମହାଦେଶର ଏହି ଅଞ୍ଚଳ ସହିତ ଆଫ୍ରିକାରେ ଅଲିମ୍ପିକ୍ସ ଅନ୍ଦୋଳନ ବ୍ୟାପ୍ତ ନଥିବାରୁ ଆଇଓସି ନିଶ୍ଚିତ ନିକଟ ଭବିଷ୍ୟତରେ ପ୍ରବେଶ କରିବ। କ୍ରିକେଟ୍ ଅଲିମ୍ପିକ୍ସରେ ସାମିଲ ହେଲେ ଦକ୍ଷିଣ ଏସିଆରେ ଏହାର ବଜାର ପ୍ରବେଶ ଭଳି ନିଶ୍ଚିତ ଲାଭପ୍ରଦ ହୋଇପାରିବ। ଭାରତୀୟ ବଜାରରେ ପ୍ରବେଶ ପାଇଁ ମଧ୍ୟ ଆଇଓସିକୁ ବଡ଼ ସୁଯୋଗ ମିଳିବ। ଅକ୍ଟୋବରରେ ଭାରତରେ ବିଶ୍ବକପ୍ ଖେଳାଯିବା ପୂର୍ବରୁ ଜୁନ୍ କିମ୍ବା ଅଗଷ୍ଟ ବେଳକୁ ଏ ସମ୍ପର୍କିତ ଚିତ୍ର ସ୍ପଷ୍ଟ ହୋଇଯାଇଥିବ।
୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଯଦି ବାସ୍ତବରେ ସାମିଲ ହୁଏ ତେବେ ପରବର୍ତୀ ୨ ସଂସ୍କରଣ ପାଇଁ ମଧ୍ୟ ପଥ ପରିସ୍କାର ହୋଇଯିବ। କାରଣ ୨୦୩୨ରେ ବ୍ରିସବେନ୍ ଆୟୋଜକ ହେଉଥିବାରୁ ଏହା କ୍ରିକେଟର୍ ଅନ୍ୟତମ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ରହିଛି। ସେହିଭଳି ଭାରତ ମଧ୍ୟ ୨୦୨୬ ଅଲିମ୍ପିକ୍ସ ନେଇ ଦୃଢ଼ ଦାବିଦାର ରହିଛି। ବର୍ତମାନର ପିଢ଼ିର କ୍ରିକେଟର୍ଙ୍କ ବେକରେ ଅଲିମ୍ପିକ୍ସ ପଦକ ପଡ଼ିଲେ ନିଶ୍ଚିତ ଭାବେ କ୍ରିକେଟ୍କୁ ଫାଇଦା ହେବ। ଏଥି ସହିତ ପାରମ୍ପରିକ କ୍ରିକେଟ୍ ଖେଳୁଥିବା ରାଷ୍ଟ୍ରର ସୀମାରେଖା ଅତିକ୍ରମ କରି କ୍ରିକେଟ୍ ବିଶ୍ବବିଦିତ ହୋଇପାରିବ। ଅତୀତରେ କ୍ରିକେଟ୍ ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ ସାମିଲ ହୋଇଥିବା ବେଳେ କେବଳ ଇଂଲଣ୍ଡ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ। ୧୯୦୪ ଚିକାଗୋ ଗେମ୍ସରେ ମଧ୍ୟ ଆଇଓସିର ଅନ୍ୟତମ ପ୍ରତିଷ୍ଠାତା ବାରୋନ୍ ପିଏର ଡି’ କ୍ୟୁବରର୍ତିନ କ୍ରିକେଟ୍ ସାମିଲ ସପକ୍ଷରେ ଥିଲେ। କିନ୍ତୁ ଏହା ସେଣ୍ଟ ଲୁଇସ୍ ସ୍ଥାନାନ୍ତର ହେବା ପରେ ପଛରେ ପଡ଼ିଯାଇଥିଲା। ୧୯୧୦ ପରଠାରୁ କ୍ରିକେଟ୍କୁ ବେସ୍ବଲ୍ ପଛରେ ପକାଇ ଦେଇଥିଲା। ରୋଜର ଫେଡେରର ୨୦୦୮ ବେଜିଂ ଅଲିମ୍ପିକ୍ସରେ ଷ୍ଟାନ ୱାରିଙ୍କାଙ୍କ ସହ ଯୁଗଳ ସ୍ବର୍ଣ୍ଣ ପଦକ ପାଇବା ପରେ ଏହାର ମୂଲ୍ୟ ବୁଝିପାରିଥିଲେ। ୨୦୨୮ରେ କ୍ରିକେଟ୍ ଯଦି ସାମିଲ ହୁଏ ତେବେ ଶୁବମନ ଗିଲ୍, ହାରି ବ୍ରୁକ୍, ସ୍ମୃତି ମନ୍ଧାନା, ତାହିଲା ମ୍ୟାକଗ୍ରା ପ୍ରମୁଖଙ୍କ ବେକରେ ନିଶ୍ଚିତ ଅଲିମ୍ପିକ୍ସ ପଦକ ପଡ଼ିପାରିବ।