ରୋମାଞ୍ଚଭରା ଫାଇନାଲ୍‌ : ଇଂଲଣ୍ଡ ବିଶ୍ୱ ବିଜେତା

୪୪ ବର୍ଷ ପରେ ନିଜ ମାଟିରେ ଭାଗ୍ୟ ଫିଟିଲା /‘ଡବଲ୍‌ ଟାଇ’ ପରେ ଟାଇଟଲ୍‌

ଲଣ୍ଡନ : କ୍ରିକେଟ୍‌ର ମକ୍କା ଲର୍ଡସରେ ଲେଖା ହୋଇଛି ବିଶ୍ବକପ୍‌ର ନୂଆ ଇତିହାସ। ଅଭୂତପୂର୍ବ ଉତ୍କଣ୍ଠା, ଅବିଶ୍ବସନୀୟ ରୋମାଞ୍ଚ ଓ ନାଟକୀୟ ଉତ୍‌ଥାନ-ପତନ ଭିତରେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ହୋଇଛି ବିଶ୍ବବିଜେତା। ବିଶ୍ବକପ୍ ଆରମ୍ଭ ହେବାର ୪୪ ବର୍ଷ ପରେ ନିଜ ଘରୋଇ ମାଟିରେ ହିଁ ଇଂଲଣ୍ଡର ଭାଗ୍ୟ ଫିଟିଛି ଏବଂ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଡବଲ୍ ‘ଟାଇ’ ପ‌ରେ ହୋଇଛି ମ୍ୟାଚ୍‌ର ଫଇସଲା। ଆଉ ହୃତସ୍ପନ୍ଦନ ବନ୍ଦ ହେଲା ଭଳି ଫାଇନାଲ୍ ଲଢ଼େଇ ପାଇଁ ବିଶ୍ବକପ୍‌ର ଚଳିତ ସଂସ୍କରଣ ମଧ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଛି। ତୀବ୍ର ସଂଘର୍ଷ ସହ ସୁପରଓଭର ଏବଂ ଯୁଗଳ ‘ଟାଇ’ ପାଇଁ ବିଶ୍ବକପ୍ ଇତିହାସରେ ଯୋଡ଼ି ହୋଇଛି ନୂଆ ଓ ସୁନେଲି ଫର୍ଦ। ଫାଇନାଲ ମ୍ୟାଚ୍‌ରେ ବୀରତ୍ବପୂର୍ଣ୍ଣ ବ୍ୟାଟିଂ କରି ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍‌ସ ‘ପ୍ଲେୟର୍‌ ଅଫ୍‌ ଦି ଫାଇନାଲ’ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ‘ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ’ ହୋଇଛନ୍ତି।

ଲର୍ଡସରେ ନୂଆ ଇତିହାସ
ସୁପର ଓଭର ପରେ ଫଇସଲା
ଲଢ଼େଇ କରି ହାରିଲା ନ୍ୟୁଜିଲାଣ୍ଡ
ଷ୍ଟୋକ୍ସ ପ୍ଲେୟାର ଅଫ୍‌ ଦି ଫାଇନାଲ
ୱିଲିୟମ୍‌ସନ୍ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ

ରବିବାରର ଏହି ରୋମାଞ୍ଚଭରା ଫାଇନାଲରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଆୟୋଜକ ଇଂଲଣ୍ଡ ମଧ୍ୟ ସମସ୍ତ ୱିକେଟ୍ ହରାଇ ସେହି ୨୪୧ ରନ୍ କରିବା ପରେ ବିଶ୍ବକପ୍ ଫାଇନାଲ୍ ପ୍ରଥମ ଥର ପାଇଁ ସୁପରଓଭରକୁ ଯାଇଥିଲା। ସୁପରଓଭରରେ ମଧ୍ୟ ଉଭୟ ଦଳ କେହି କାହାରିକୁ ଛାଡ଼ି ନଥିଲେ। ଇଂଲଣ୍ଡ ୧୫ ରନ୍‌ କରିବା ପରେ ନ୍ୟୁଜିଲାଣ୍ଡ ମଧ୍ୟ ‌ସେହି ୧୫ ରନ୍ କରିଥିଲା। ଫଳରେ ଅପୂର୍ବ ସଂଯୋଗ ସହ ମ୍ୟାଚ୍ ଦୁଇ ଥର ଟାଇ ରହିଥିଲା। ତେବେ ଅଧିକ ବାଉଣ୍ଡରି ଆଧାରରେ ଇଂଲଣ୍ଡ ବାଜି ମାରି ବିଶ୍ବବିଜୟୀ ହୋଇଥିଲା। ସେହି କ୍ଷଣି ହିଁ ସାରା ଇଂଲଣ୍ଡ ଉତ୍ସବମୁଖର ହୋଇ ଉଠିଥିଲା। ଶେଷ ପର୍ଯ୍ୟନ୍ତ ଲଢ଼େଇ କଲେ ମଧ୍ୟ ଭାଗ୍ୟ ସାଥ୍‌ ନ ଦେବାରୁ ନ୍ୟୁଜିଲାଣ୍ଡ କିନ୍ତୁ ଲଗାତାର ଦ୍ବିତୀୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

୧୯୭୯, ୧୯୮୭ ଓ ୧୯୯୨ରେ ଉପବିଜେତାରେ ସନ୍ତୁଷ୍ଟ ରହିଥିବା‌ ଇଂଲଣ୍ଡ ‌‌ଶେଷରେ ନିଜ ଚତୁର୍ଥ ଫାଇନାଲ୍ ପଦାର୍ପଣରେ ଐତିହାସିକ ସଫଳତା ଲାଭ କରିଛି। ବିଳମ୍ବରେ ହେଲେ ମଧ୍ୟ ଘରୋଇ ପରିବେଶରେ ବିଜେତା ହେବାର ଗୌରବ ଅର୍ଜନ କରିଛି ଇଂଲଣ୍ଡ। ୱେ‌ଷ୍ଟଇଣ୍ଡିଜ୍, ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ବିଶ୍ବକପ୍ ଜିତିବାରେ ଇଂଲଣ୍ଡ ଷଷ୍ଠ ଦଳ ହୋଇଛି। ଅନ୍ୟପକ୍ଷରେ ୨୦୧୫ରେ ଅଷ୍ଟ୍ରେଲିଆଠାରୁ ହାରି ବିଶ୍ବକପ୍ ବିଜୟରୁ ବଞ୍ଚିତ ହେବା ପରେ ଏଥର ଇଂଲଣ୍ଡଠାରୁ ହାରି ନ୍ୟୁଜିଲାଣ୍ଡ ପୁଣି ଥରେ ଟାଇଟଲ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଛି। ତେବେ ପରାଜୟ ସତ୍ତ୍ବେ ଲଢ଼ୁଆ ଖେଳ ପାଇଁ ବିଶ୍ବ କ୍ରିକେଟପ୍ରେମୀଙ୍କ ହୃଦୟ ଜିତି ନେଇଛି।

ଲଢ଼େଇ କରି ହାରିଲା ନ୍ୟୁଜିଲାଣ୍ଡ
ନ୍ୟୁଜିଲାଣ୍ଡ ଆଜି ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ଇଂଲଣ୍ଡକୁ ପୂରା ପାଣି ପିଆଇ ଦେଇଥିଲା। ୨୭ ବର୍ଷ ପରେ ବିଶ୍ବକପ୍ ଫାଇନାଲ୍ ଖେଳିଥିବା ଇଂଲଣ୍ଡ ଫାଇନାଲର ମହତ୍ବପୂର୍ଣ୍ଣ ଟସ୍‌କୁ ଜିତି ପାରି ନଥିଲା। ହେଲେ ନ୍ୟୁଜିଲାଣ୍ଡକୁ ନିଜ ଶୃଙ୍ଖଳିତ ବୋଲିଂରେ ଘାଇଲା କରି ମାତ୍ର ୨୪୧/୮ରେ ଅଟକାଇ ଦେଇଥିଲା। ଏହାପରେ ଇଂଲଣ୍ଡ ୮୬ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଆରମ୍ଭରୁ ନ୍ୟୁଜିଲାଣ୍ଡର ମାପଚୁପ ବୋଲିଂ ପାଇଁ ଜାସନ ରୟ (୧୭), ଜନି ବେୟାରଷ୍ଟୋ (୩୬) ଦୃଢ଼ ମୂଳଦୁଆ ପକାଇ ପାରି ନଥିଲେ। ନିର୍ଭରଯୋଗ୍ୟ ଜୋ ରୁଟ୍ (୭) ଓ ଅଧିନାୟକ ଇଅନ ‌ମୋର୍ଗାନ (୯) ମଧ୍ୟ ଏକ ଅଙ୍କରେ ଅଟକି ଯାଇଥିଲେ। ତେବେ ବେନ୍ ଷ୍ଟୋକ୍ସ (୮୪*) ଓ ଜୋସ୍ ବଟଲର (୫୯) ପଞ୍ଚମ ୱିକେଟ୍‌ରେ ୧୧୦ ରନ୍ ଯୋଡ଼ି ଇଂଲଣ୍ଡର ପଲା ଭାରି କରି ଦେଇଥିଲେ। ଉଭୟ ନିଜ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ଏବଂ ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ୪୫ତମ ଓଭରର ପଞ୍ଚମ ବଲ୍‌ରେ ଲୋକି ଫର୍ଗୁସନ୍ ବଦଳ ଖେଳାଳି ଟିମ୍ ସାଉଦିଙ୍କ ହାତରେ ବଟଲରଙ୍କୁ କ୍ୟାଚ୍ କରାଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ସେହିଭଳି ୪୭ତମ ଓଭରର ପ୍ରଥମ ବଲ୍‌ରେ କ୍ରିସ୍ ଓକ୍ସ (୨)ଙ୍କ ୱିକେଟ୍ ନେଇ ଇଂଲଣ୍ଡକୁ ଯୁଗଳ ଝଟ୍‌କା ଦେଇଥିଲେ। ସେହିଭଳି ଜେମ୍ସ ନିସାମ ୪୯ତମ ଓଭରରେ ଏକ ଛକା ଖାଇବା ପରେ ମଧ୍ୟ ଲିଆମ ପ୍ଲଙ୍କେଟ (୧୦) ଓ ଜୋଫ୍ରା ଆର୍ଚର (୦)ଙ୍କୁ ଆଉଟ୍ କରି ମ୍ୟାଚର ରୋମାଞ୍ଚ ବଢ଼ାଇ ଦେଇଥିଲେ। ଶେଷ ଓଭରରୁ ୧୫ ରନ୍‌ର ଦରକାର ଥିଲା ବେଳେ ଷ୍ଟୋକ୍ସ ପ୍ରଥମ ଦୁଇ ବଲରେ ରନ୍ ନେଇ ପାରି ନଥିଲେ। ‌େ‌ତବେ ସେ ତୃତୀୟ ବଲ୍‌କୁ ଛକା ମାରିବାରୁ ପୁଣି ଥରେ ମ୍ୟାଚ୍‌ର ମୋଡ଼ ବଦଳିଥିଲା। ଚତୁର୍ଥ ବଲ୍‌ରେ ସେ ଭାଗ୍ୟ ବଳରେ ଓଭର ଥ୍ରୋରୁ ୬ ରନ୍ ଅମଳ କରି ନେଇଥିଲେ। ତେବେ ପରବର୍ତ୍ତୀ ବଲ୍‌ରେ ଆଦିଲ୍‌ ରସିଦ୍‌ଙ୍କୁ ରନ୍ ଆଉଟ୍ କରି ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ନୟାନ୍ତ କରିଥିଲା। ଶେଷ ବଲ୍‌ରୁ ଦୁଇ ରନର ଦରକାର ଥିଲା ବେଳେ ବେନ୍ ‌ଷ୍ଟୋକ୍ସ-ମାର୍କ ଉଡ୍ ଦ୍ବିତୀୟ ରନ୍‌ ନେଲା ବେଳକୁ ଉଡ୍‌ ରନ୍ ଆଉଟ୍ ହୋଇ ଯାଇଥିଲେ। ଇଂଲଣ୍ଡ ସମସ୍ତ ୱିକେଟ୍ ବିନିମୟରେ ୨୪୧ ରନରେ ଅଟକି ଯାଇଥିଲା।

ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ସୁପର ଓଭରରେ ଇଂଲଣ୍ଡର ଦୁଇ ବ୍ୟାଟ୍ସମ୍ୟାନ୍‌ ବେନ୍ ଷ୍ଟୋକ୍ସ ଓ ଜୋସ୍‌ ବଟଲର ୧୫ ରନ୍‌ ଆଦାୟ କରିଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ ସୁପର ଓଭରରେ ଖୁବ୍ ଭଲ ଆରମ୍ଭ କରିଥିଲା। ଜିମି ନିସାମ ଦ୍ବିତୀୟ ବଲ୍‌ରେ ଛକା ମାରି ନ୍ୟୁଜିଲାଣ୍ଡକୁ ବିଜୟ ଆଶା ଦେଇଥିଲେ। ତେବେ ଶେଷ ବଲ୍‌ରୁ ବିଜୟ ପାଇଁ ୨ ରନ୍‌ର ଦରକାର ଥିଲା ବେଳେ ଗପ୍ଟିଲ ରନ୍ ଆଉଟ୍ ହୋଇଯିବାରୁ ସୁପର ଓଭର ମଧ୍ୟ ଟାଇ ରହିଥିଲା। କିନ୍ତୁ ସୁପର ଓଭରରେ ଅଧିକ ବାଉଣ୍ଡାରି ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର