ନୂଆଦିଲ୍ଲୀ: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଚାଲିଛି। ଏହି ମ୍ୟାଚରେ ଭାରତର ବିଜୟ ପାଇଁ ଛୋଟ ଠାରୁ ବଡ଼ ସମସ୍ତେ ପ୍ରାର୍ଥନା କରିବା ସହିତ ଜଜ୍ଞ ବି କରୁଛନ୍ତି। ଏହି କ୍ରମରେ କିନ୍ନର ସମାଜ ବି ଭାରତର ବିଜୟ ପାଇଁ ଆଗକୁ ଆସିଛନ୍ତି।
ଉତ୍ତରପ୍ରଦେଶ ସରକାରଙ୍କ କିନ୍ନର କଲ୍ୟାଣ ବୋର୍ଡର ସଦସ୍ୟ ତଥା କିନ୍ନର ଆଖଡାର ରାଜ୍ୟ ସଭାପତି କିନ୍ନର କଲ୍ୟାଣ ବୋର୍ଡର ସଦସ୍ୟ କୌଶଲ୍ୟା ନନ୍ଦ ଗିରିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ‘ଅଖଣ୍ଡ ଜ୍ୟୋତି’ ଜଳା ଯିବା ସହିତ ସ୍ବତନ୍ତ୍ର ପୂଜାଅର୍ଚ୍ଚନା କରାଯାଉଛି। ଏଥିସହିତ କିନ୍ନର କଲ୍ୟାଣ ବୋର୍ଡର ସମସ୍ତ ସଦସ୍ୟ ଭଗବାନ ଶିବଙ୍କୁ ବିଶ୍ବକପ-୨୦୨୩ରେ ଭାରତର ବିଜୟ ହେଉ ବୋଲି ପ୍ରାର୍ଥନା ବି କରିଛନ୍ତି।
ଯେପର୍ଯ୍ୟନ୍ତ ଭାରତର ବିଜୟ ହୋଇ ନାହିଁ ସେପର୍ଯ୍ୟନ୍ତ କିନ୍ନର ସମାଜ ଏହି ଅଖଣ୍ଡ ଦୀପକୁ ସେମିତି ଜଳାଇ ରଖିଥିବ ବୋଲି ପ୍ରତିଜ୍ଞା ନେଇଛନ୍ତି।
କିନ୍ନର ସମାଜ ବ୍ୟତୀତ ବିଭିନ୍ନ ସ୍ଥାନରେ ଖେଳପ୍ରେମୀ ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ପ୍ରାର୍ଥନା କରି ଚାଲିଛନ୍ତି। କେମିତି ଦଳ ଜିତିବ ସେଥିପାଇଁ ଲୋକେ ନିଜନିଜ ଶୈଳୀରେ ପୂଜା ଅର୍ଚ୍ଚନା କରିବାରେ ବ୍ୟସ୍ତ ଅଛନ୍ତି। ଏଥିସହିତ ଗ୍ୟାଲେରୀରେ ବି ଦର୍ଶକ ବସି ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ଭଗବାନଙ୍କୁ ଆରଧନା କରୁଛନ୍ତି।