ବାଧ୍ୟତାମୂଳକ ବିରତିକୁ ତାରକା କ୍ରି‌କେଟର୍‌ମାନେ ଏମିତି କାଟୁଛନ୍ତି

ମୁମ୍ବାଇ: କରୋନା ମହାମାରୀ ପାଇଁ ସମସ୍ତ କ୍ରୀଡ଼ା କ୍ୟାଲେଣ୍ଡର ଦୋହଲି ଯାଇଛି। ଅନେକ ପ୍ରମୁଖ ଦ୍ବିପାକ୍ଷିକ ଶୃଙ୍ଖଳା ବାତିଲ ହୋଇଯାଇଛି। ଆଇପିଏଲ୍ ଓ ପିଏସ୍‌ଏଲ୍ ଭଳି ପ୍ରତିଯୋଗିତା ସ୍ଥଗିତ ହୋଇଛି। ଖେଳାଳିମାନେ କ୍ରିକେଟ୍‌ଠାରୁ ଦୂରେଇ ରହିବାକୁ ଚାହୁଁ ନଥିଲେ ମଧ୍ୟ ସଂକ୍ରମଣ ଭୟରେ ବାହାରକୁ ବାହାରିବାକୁ ଡରୁଛନ୍ତି। ଏହି ବାଧ୍ୟତାମୂଳକ ବିରତିକୁ ତାରକା କ୍ରି‌କେଟର୍‌ମାନେ କେମିତି କଟାଉଛନ୍ତି, ଆସନ୍ତୁ ତା’ ଉପରେ ନଜର ପକାଇବା।

ରୋହିତ ଶର୍ମା: ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା ପ୍ରଶଂସକଙ୍କୁ ଟ୍ବିଟ୍ କରି ଏହି ସଙ୍କଟ ଜନକ ସ୍ଥିତିରେ ସୁରକ୍ଷିତ ରହିବାକୁ ଆହ୍ବାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ବିଶ୍ରାମ ନେଇଥିବା ରେହିତ ସଂପ୍ରତି ପତ୍ନୀ ଓ ଝିଅ ସହ ସମୟ କଟାଉଛନ୍ତି। ସୁସ୍ବାଦୁ ଖାଦ୍ୟର ମଜା ନେଉଥିବାର ଫଟୋ ବି ସେ ପ୍ରକାଶ କରିଛନ୍ତି।

ଶିଖର ଧାୱନ: ଭାରତୀୟ କ୍ରିକେଟ୍ ଦଳର ‘ଗବର ସିଂହ’ ଶିଖର ଧାୱନ ନିକଟରେ କର୍କଟ ରୋଗୀଙ୍କୁ ସହାୟତା କରିବାକୁ ଯାଇ ନିଜ ମୁଣ୍ଡକୁ ଲଣ୍ଡା କରିଥିଲେ। ଏହି କାମ ତାଙ୍କ ଝିଅ କରିଥିଲା। ତେବେ କ୍ରିକେଟରୁ ଦୂରେଇ ରହିଥିଲେ ମଧ୍ୟ ସେ ବ୍ୟାୟା‌ମ କରିବା ଛାଡ଼ି ନାହାନ୍ତି। ଗଛ ମୂଳରେ ପୁଲ୍ ଅପ୍ କରୁଥିବାର ଭିଡିଓ ମଧ୍ୟ ସେ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି।

ସୌରଭ ଗାଙ୍ଗୁଲି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସବୁବେଳେ ବହୁତ ବ୍ୟସ୍ତ ରହନ୍ତି। ବିସିସିଆଇ ସଭାପତି ହେବା ପରେ ତାଙ୍କ କାର୍ଯ୍ୟବ୍ୟସ୍ତତା ପୂର୍ବାପେକ୍ଷା ଆହୁରି ବଢ଼ି ଯାଇଛି। କରୋନା ଆତଙ୍କ ପାଇଁ ତାଙ୍କର ଅନେକ କାମ ଅଟକି ଯାଇଛି। ତେବେ ବିଶ୍ରାମ ନେବା ଲାଗି ତାଙ୍କୁ କିଛି ସମୟ ବି ମିଳି ଯାଇଛି। ନିଜ ବାରଣ୍ଡାରେ ବସିଥିବାର ଏକ ଫଟୋ ଗାଙ୍ଗୁଲି ବୁଧବାର ଟ୍ବିଟ୍ କରିଛନ୍ତି। ଏହା ତଳେ ଦାଦା’ଲେଖିଛନ୍ତି ଯେ କରୋନା ଭୂତାଣୁ ଭୟ, ଅପରାହ୍ଣ ୫ଟାରେ ଘର ବାରଣ୍ଡାରେ ବସି ବହୁତ ଖୁସି ଲାଗୁଛି। ଶେଷ ଥର ପାଇଁ ମୁଁ ଏଭଳି କେବେ କରିଥିଲି, ତାହା ସମ୍ଭବତଃ ମନେ ନାହିଁ।

‌କେଏଲ୍ ରାହୁଲ: ଭାରତୀୟ କ୍ରିକେଟ୍ ଦଳର ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଏବେ ନିଜ ପ୍ରିୟ ପୋଷା କୁକୁର ସହ ଅଧିକ ସମୟ ବିତାଉଛନ୍ତି।

ୟୁଜବେନ୍ଦ୍ର ଚହଲ: ଲେଗ୍ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ହୋଇ ଯାଇଛନ୍ତି। ବୁଧବାର ସେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅନ୍ୟ ପ୍ରଶିକ୍ଷକଙ୍କ ସହ ଉଠାଇଥିବା ଫଟୋ ପ୍ରକାଶ କରିଛନ୍ତି। ସେ ମଧ୍ୟ ବଳକା ସମୟ ହରିଆଣାରେ ନିଜ ପରିବାର ସହ କଟାଉଛନ୍ତି।

କ୍ରିସ୍ ଗେଲ୍-ଆନ୍ଦ୍ରେ ରସେଲ: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ପ୍ରଶଂସକମାନଙ୍କୁ ସବୁବେଳେ ହସଖୁସିରେ ରହିବାକୁ ଆହ୍ବାନ କରିଛନ୍ତି। ଅନ୍ୟ ପକ୍ଷରେ ୱେଷ୍ଟ୍‌ଇଣ୍ଡିଜ୍‌ର ଆଉ ଜଣେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ ସ୍ନୁକର ଖେଳି ସମୟ ଅତିବାହିତ କରୁଛନ୍ତି। ଏହାର ଫଟୋ ମଧ୍ୟ ସେ ଟ୍ବିଟ୍ କରିଛନ୍ତି।

ଆରୋନ ଫିଞ୍ଚ୍‌: ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ୍ ଅଧିନାୟକ ଆରୋନ ଫିଞ୍ଚ୍ ପୁରୁଣା ବନ୍ଧୁ ତଥା ସାଥୀ କ୍ରିକେଟର୍‌ ପିଟର ସିଡଲଙ୍କ ସହ ମଧ୍ୟାହ୍ନଭୋଜନ ଉପଭୋଗ କରି ବହୁତ ଖୁସି ଅଛନ୍ତି। ‌ତେବେ କରୋନା ପାଇଁ ସତର୍କତା ଅବଲମ୍ବନ କରିବାକୁ ସେ ମଧ୍ୟ ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର