କୋଭିଡ୍‌-୧୯ ଲଢ଼େଇରେ କ୍ରିକେଟର୍‌, ଆଇପିଏଲ୍‌ ଖେଳିଥିଲେ ଦକ୍ଷିଣ ‌ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡାନିଏଲ୍‌ ହାରିସ୍‌

ମେଲବର୍ନ: ବୃତ୍ତି ବଦଳିଯାଇଛି, କିନ୍ତୁ ଲଢ଼ୁଆ ଚରିତ୍ର ବଦଳିବାର ଆବଶ୍ୟକତା ପଡ଼ିନି। ବରଂ ଅଧିକ ଗୁରୁ ଦାୟିତ୍ବ ନେବାକୁ ପଡ଼ିଛି ଡାନିଏଲ୍‌ ହାରିସଙ୍କୁ। ଦିନେ କ୍ରିକେଟର୍‌ ଥିଲେ, ଆଜି ସେ ଜରୁରୀକାଳୀନ ଡାକ୍ତର। କ୍ରିକେଟ୍ ପଡିଆରେ ବିଶେଷ ସଫଳତା ପାଇନଥିଲେ ମଧ୍ୟ ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍‌ରେ ବେଶ କିଛି ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଦୀର୍ଘ ୧୫ ବର୍ଷ ଧରି ଖେଳିଥିଲେ ପ୍ରଥମ ଶ୍ରେଣୀ ଓ ଟି-୨୦ କ୍ରିକେଟ୍‌। ଦିନେ ସେ କ୍ରିକେଟ୍‌ ପଡିଆରେ ଲଢ଼ୁଥିଲେ, ଆଜି କୋଭିଡ୍‌-୧୯ ଲଢ଼େଇରେ ଅନ୍ୟତମ ଆଗଧାଡ଼ିର ଯୋଦ୍ଧା ପାଲଟିଛନ୍ତି। ତାଙ୍କ ନାମ ପୂର୍ବରୁ କେବଳ ‘ଡାକ୍ତର’ ଡାନିଏଲ୍‌ ହାରିସ୍ ଲେଖାଯାଉନି ଆଡିଲେଡ୍‌ରେ ଅହରହ କରୋନା ଭୂତାଣୁ ବିରୋଧରେ ଲଢ଼ିଚାଲିଛନ୍ତି ଏହି ୪୦ ବର୍ଷୀୟ ବ୍ୟକ୍ତିତ୍ବ।

ଆଇପିଏଲ୍‌ ଦଳ ଡେକାନ୍ ଚାର୍ଜର୍ସ ପାଇଁ ଚୁକ୍ତିବଦ୍ଧ ଥିବାବେଳେ ତାଙ୍କୁ ଏକଦା କୁମାର ସାଙ୍ଗାକାରାଙ୍କ ଭଳି ମହାନ ଖେଳାଳିଙ୍କ ସହ କ୍ରିକେଟ୍‌ ଓ ଜୀବନ ସମ୍ପର୍କରେ ଆଲୋଚନା କରିବାକୁ ପଡ଼ିଥିଲା। ସେଇଟା କିନ୍ତୁ ଥିଲା ଭିନ୍ନ ଦୁନିଆ। ବିଗତ ୨ ମାସ ହେବ ଡାକ୍ତର ଡାନିଏଲ୍‌ ହାରିସ ଆଡିଲେଡ୍‌ରେ ଜୀବନ ବଞ୍ଚାଇବାରେ ବ୍ୟସ୍ତ। ଦକ୍ଷିଣ ଅଷ୍ଟ୍ରେଲିଆର ଏହି ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଜୁରୁରିକାଳୀନ ଡାକ୍ତର ହେବା ପରଠାରୁ ବହୁ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। କ୍ରିକେଟ୍ ଭଳି ନିଜ ଦଳକୁ ମଧ୍ୟ ବଡ଼ ସଫଳତା ଦେବା ଲାଗି ସେ ଲାଗି ପଡ଼ିଛନ୍ତି। ରୟାଲ୍‌ ଆଡିଲେଡ୍‌ ହସପିଟାଲ୍‌ର ଇମର୍ଜେନସି ବିଭାଗରେ ରହିଥିବା ହାରିସ୍‌ ମଧ୍ୟ ରେକର୍ଡ ସଂଖ୍ୟାକ ଭୋଭିଡ୍‌-୧୯ ଟେଷ୍ଟ୍‌ ସଫଳତା ପାଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆରେ ଏକଦା ୪୩୯ କୋଭିଡ୍-୧୯ ରୋଗୀ ଥିଲେ ମଧ୍ୟ ଏବେ ଶୂନକୁ ଖସି ଆସିଛି। ‘ଅଷ୍ଟ୍ରେଲିଆ ସରକାରଙ୍କ ସାମାଜିକ ଦୂରତା ନିୟମାବଳୀ କାରଣରୁ ଆମେ ଅଧିକ ପ୍ରଭାବିତ ହୋଇନାହୁଁ, ଅନ୍ୟତ୍ର ଏହା ଭୟଙ୍କର ସ୍ଥିତିରେ ରହିଛି’ ବୋଲି ହାରିସ୍ ପ୍ରକାଶ କରିଛି। କ୍ରିକେଟ୍‌ ଖେଳୁଥିବା ବେଳେ ବି ହରିସ୍‌ ସାଥୀ ଖେଳାଳିଙ୍କ ଗହଣରେ ‘ଡକ୍‌’ ନାମରେ ପରିଚିତ ଥିଲେ।

୧୯୯୯ ମସିହାରେ ମାତ୍ର ୧୯ ବର୍ଷ ବୟସରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣ କରିଥିଲେ ହାରିସ୍‌। ସ୍ବଳ୍ପ ବୟସରେ ସେ ଭ୍ରମଣକାରୀ ପାକିସ୍ତାନ ଦଳର ୱାକର୍‌ ୟୁନିସ୍‌, ସାକଲେନ୍ ମୁସ୍ତାକ, ମୁସ୍ତାକ ଅହମ୍ମଦଙ୍କ ଭଳି ଖେଳାଳିଙ୍କୁ ସମ୍ମୁଖୀନ ହୋଇଥିଲେ। ସେତେବେଳେ ଦକ୍ଷିଣ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଉଥିଲେ ଡାରେନ୍ ଲିମ୍ୟାନ୍‌। ସେହି ଦଳ ପାଇଁ ଶେଷ ମ୍ୟାଚ୍‌ ଖେଳିବା ବେଳେ ଟ୍ରାଭିସ୍‌ ହେଡ୍‌ ଓ କେନ୍‌ ରିଚାର୍ଡସନ୍‌ ଅଧିନାୟକ ଥିଲେ। ଯେଉଁ ୩ ଜଣ ଅଷ୍ଟ୍ରେଲିଆ ଜାତୀୟ ଦଳରୁ ଖେଳି ସାରିଛନ୍ତି। ବିଗ୍ ବାସ୍ ଲିଗ୍‌ରେ ଖେଳିବା ଡାନିଏଲ୍‌ ହାରିସ୍‌ଙ୍କୁ ଲୋକଲୋଚନକୁ ଆଣିଥିଲା। ୨୦୧୦ ଦଶକର ପ୍ରଥମ ୫ ବର୍ଷ ସେ ୧୪୩.୦୫ ହାରରେ ବ୍ୟାଟିଂ କରିଥିଲେ। ବାଙ୍ଗାଲୋରଠାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ବିପକ୍ଷ ୨୦୧୧ ଚାମ୍ପିଅନ୍ସ ଲିଗ୍ ଟି-୨୦ର ଏକ ମ୍ୟାଚ୍‌ରେ ସେ ୬୧ ବଲ୍‌ରୁ ୧୦୮ ରନ୍ କରିବା ତାଙ୍କ ପାଇଁ ଅଭୁଲା ରହିଛି। ଏହା ତାଙ୍କୁ ମଧ୍ୟ ପରବର୍ତୀ ବର୍ଷ ଜୀବନର ପଦାର୍ପଣ ଆଇପିଏଲ୍‌ ମ୍ୟାଚ୍‌ ଖେଳିବାର ସୁଯୋଗ ଦେଇଥିଲା। ଡେକାନ୍ ଚାର୍ଜର୍ସ ଦଳ ସହିତ ଏହି ଅଭିଯାନକୁ ହାରିସ୍‌ ‘ଅବିଶ୍ବସନୀୟ ଅଭିଜ୍ଞତା’ର ଆଖ୍ୟା ଦେଇଛନ୍ତି। ଦୁର୍ଭାଗ୍ୟଜନକ ଭାବେ ଆମେ ସେ ମ୍ୟାଚ୍‌ ହାରିଯାଇଥିଲୁ ଏବଂ ପରଦିନ ସକାଳ ୮ଟାରେ ସ୍ବଦେଶ ଫେରି ଆସିଥିଲୁ। ଏହା ତିକ୍ତତା ହୋଇ ରହିଛି। ଡେକାନ୍ ସହିତ କିଛି ମ୍ୟାଚ୍‌ ଖେଳିଛି ଏବଂ ଆଉ କିଛିରେ ମୁଁ ପାଣି ବୋହିଛି। ତଥାପି ସେହି ଋତୁ (୨୦୧୨)ରେ ଦଳ ସହ ବିତାଇଥିବା ୯-୧୦ ସପ୍ତାହ ମୋ ଜୀବନର ଶ୍ରେଷ୍ଠ ସମୟ ବୋଲି କହିଛନ୍ତି ହାରିସ୍‌। ଡେକାନ୍ ପାଇଁ ଏହି ଡାକ୍ତର ୪ ମ୍ୟାଚ୍‌ ଖେଳି ୨୭.୭୫ ହାରରେ ରନ୍ କରିଥିଲେ। ଶିଖର ଧାୱନଙ୍କ ସହିତ ୮୬ ରନ୍‌ର ଭାଗୀଦାରି ସବୁଠାରୁ ବଡ଼ ଅବଦାନ ଥିଲା। ରୋଗୀ ସେବାଠାରୁ କ୍ରିକେଟ୍‌ ସହଜ କାମ ବୋଲି କହିଛନ୍ତି ହାରିସ୍‌।

ବ୍ୟସ୍ତ ଜୀବନରୁ ସମୟ ମିଳିଲେ ହାରିସ୍‌ ମଧ୍ୟ ନିଜ ଛୋଟ ପୁଅ ଓ ଝିଅ ସହ କ୍ରିକେଟ୍‌ ‌ଖେଳନ୍ତି ବୋଲି ପ୍ରକାଶ କରିଛନ୍ତି। ମୋ ଯୋଗ୍ୟତା ଏବେ ‘ଡାହାଣହାତୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌’ରୁ ‘ଏମ୍‌ବିବିଏସ୍‌, ଏଫଏସିଇଏମ୍‌, ସିସିପିୟୁ’ ଆଦିକୁ ବଦଳିଯାଇଛି। କିନ୍ତୁ ଉଭୟ ପେସା ମଧ୍ୟରେ ବିଶେଷ ଫରକ ବାଛିବା ଅପେକ୍ଷା ସମାନ୍ତରାଳ ଚିତ୍ର ଆଙ୍କନ୍ତି ହାରିସ୍‌। ଏବେ ବି ମୁଁ ଖେଳିଥିବା ସାଥୀ ମାନଙ୍କୁ ଭେଟିଥାଏ ଏବଂ ସେ ସମୟରେ ଆହ୍ବାନ ଓ ସଫଳତାକୁ ଜାଣି ଖୁସି ହୁଏ। କ୍ରିକେଟ୍‌ରୁ ମୁଁ ଅନେକ କିଛି ଶିଖିଛି ଏବଂ ମେଡିସିନ୍‌ରେ କାମ ବେଳେ ଏହା ବିନିଯୋଗ ହୋଇଛି। କ୍ରିକେଟ୍‌ରେ ଗୋଟିଏ ଦଳ ଭାବେ ଏକାଠି ଲଢ଼ିବା ଭଳି ଜରୁରିକାଳୀନ ପରସ୍ଥିତିରେ ବି ଆମେ ଲଢ଼ିଛୁ ଓ ଶେଷରେ ସଫଳତା ପାଇଛୁ’ ବୋଲି ହାରିସ୍ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ଲଢ଼େଇ ଟି-୨୦ ନୁହେଁ ୪ ଦିନିଆ ପ୍ରଥମ ଶ୍ରେଣୀ କ୍ରିକେଟ୍ ଭଳି ବୋଲି ମଧ୍ୟ କହିଥିଲେ ଏହି ବ୍ୟାଟ୍‌ସମ୍ୟାନ୍‌।

ସମ୍ବନ୍ଧିତ ଖବର