ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ପୁଣି ଥରେ ଚର୍ଚ୍ଚାରେ। ସେ ତାଙ୍କ ସାଥୀ ଖେଳାଳି ଏବଂ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି ଏବଂ ବଡ଼ ବଡ଼ ବୟାନ ଦେଉଛନ୍ତି। ମନୋଜ କହିଥିଲେ ଯେ, ଗମ୍ଭୀର ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅନେକ ଥର ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଗୋଟିଏ ସ୍ଥାନରେ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ଏବେ ମନୋଜ ଆଉ ଏକ ବଡ଼ ବୟାନ ଦେଇଛନ୍ତି।
ମନୋଜ କହିଛନ୍ତି ଯେ, ଗମ୍ଭୀରଙ୍କର କ୍ରିକେଟ୍ ବିଷୟରେ କୌଣସି ଜ୍ଞାନ ନାହିଁ। ଭାରତୀୟ ପ୍ରଶିକ୍ଷକ ପିଚ୍ କିପରି ପଢ଼ିବେ ତାହା ମଧ୍ୟ ଜାଣନ୍ତି ନାହିଁ।
ଗମ୍ଭୀର ଜୁଲାଇ ୨୦୨୪ରୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ, ଭାରତୀୟ ଦଳ ପ୍ରଥମେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ୦-୩ରେ ହାରିଥିଲା। ଏହା ପରେ, ଭାରତ, ଅଷ୍ଟ୍ରେଲିଆ ଗସ୍ତରେ ୧-୩ରେ ୫ଟିକିଆ ଟେଷ୍ଟ ସିରିଜ ହାରିଥିଲା।
ଏସବୁକୁ ଆଖି ଆଗରେ ରଖି ଏକ ସାକ୍ଷାତକାରରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି ମନୋଜ୍। ସେ କହିଛନ୍ତି ଯେ, "ପ୍ରଶିକ୍ଷକ ଗୌତମ ଏବଂ ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟରେ (ଅଷ୍ଟ୍ରେଲିଆ ଗସ୍ତରେ) ପିଚ୍ ପଢ଼ିପାରିଲେ ନାହିଁ। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା, ପର୍ଥରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବା ପିଲାଳିଆମି ଥିଲା। ଏହା ଦର୍ଶାଉଛି ଯେ ପ୍ରଶିକ୍ଷକଙ୍କର କ୍ରିକେଟ୍ ବିଷୟରେ କୌଣସି ଜ୍ଞାନ ନାହିଁ। ଆଇପିଏଲ ଜିତିବା ପରେ ପିଆର ଏଜେନ୍ସି ଏଭଳି ଏକ ଧାରଣା ସୃଷ୍ଟି କରିଥିଲା ଯେ, ଗୌତମଙ୍କ ଠାରୁ ଭଲ କୋଚ୍ ଆଉ କେହି ନାହାଁନ୍ତି। ଅଶ୍ୱିନଙ୍କ ଅବସର ପାଇଁ ପ୍ରଶିକ୍ଷକ ମଧ୍ୟ ଦାୟୀ କାରଣ ସେ ଜଣେ ବରିଷ୍ଠ ଖେଳାଳିଙ୍କୁ ସମ୍ଭାଳି ପାରିଲେ ନାହିଁ।"
ସେ ଆହୁରି କହିଛନ୍ତି ଯେ, "ଗୌତମଙ୍କୁ କୋଚ୍ କରାଯିବା ସମୟରେ ଭାରତୀୟ ଟିମ୍ ବହୁତ ଉପରେ ଥିଲା। ହେଲେ ଏବେ ଦଳ ତାଙ୍କ ପାଇଁ ବହୁତ ତଳକୁ ଖସି ଆସିଛି। ଗୌତମ କୋଚ୍ ହେବା ପରେ ବିରାଟ-ରୋହିତଙ୍କୁ ଜବରଦସ୍ତି ଖେଳାଇ ପ୍ରଥମ ସିରିଜ୍ ଜିତିବାକୁ ଚାହୁଥିଲେ। କିନ୍ତୁ ଦଳ ହାରିଥିଲା। ଖୁବଶୀଘ୍ର କୋଚ୍ ଓ ଅଧିନାୟକଙ୍କ ଭିତରେ ମତଭେଦ ହେବ।"
ଉଲ୍ଲେଖଯୋଗ୍ୟ, ମନୋଜ ତିୱାରୀ ଭାରତୀୟ ଦଳ ପାଇଁ ୧୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।