ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର୍‌ ଶାନ୍ତନୁ କୁମାର ଶତପଥୀ ମଙ୍ଗଳବାର ଅପରାହ୍ନରେ ୭୯ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଭୁବନେଶ୍ବର ଲୁଇସ ରୋଡସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ଭାଇ ସଂଜୟ ଶତପଥୀ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେବା ପରେ ଓଡ଼ିଶା କ୍ରିକେଟ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି।

Advertisment

ଓଡ଼ିଶା ସହିତ ଏକାଧିକ ରାଜ୍ୟ ଓ ଜୋନ୍‌ ପକ୍ଷରୁ ପ୍ରତିନିଧିତ୍ବ କରିବାରେ ଶାନ୍ତନୁ ଅନ୍ୟତମ ଥିଲେ। ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ପାଇଁ ରଣଜୀ ଟ୍ରଫିରେ ଖେଳିବା ସହ ଦଲିପ ଟ୍ରଫିରେ ମଧ୍ୟ ଦୁଇଟି ଜୋନ୍‌ର ପ୍ରତିନିଧିତ୍ବ କରିଥିଲେ। ଜଣେ ଭୟଙ୍କର ଦ୍ରୁତ ବୋଲର ଭାବେ ପ୍ରତିଷ୍ଠା ଲାଭ କରିଥିବା ଶାନ୍ତନୁ ୧୯୫୯-୬୦ ଋତୁରୁ ୧୯୭୧-୭୨ ମଧ୍ୟରେ ମୋଟ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ୨୮.୯୮ ହାରରେ ସେ ମୋଟ ୬୯ ୱିକେଟ୍ ଅକ୍ତିଆର କରିଥିଲେ। ଏହା ମଧ୍ୟରେ ୪ ଥର ୫ ୱିକେଟ୍ ଏବଂ ଥରେ ୧୦ ୱିକେଟ୍ ସଫଳତା ମଧ୍ୟ ଅର୍ଜନ କରିଥିଲେ। ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ୮/୭୮ ମଧ୍ୟ ତାଙ୍କ ବୋଲିଂ କ୍ଷମତାର ପ୍ରମାଣ ଥିଲା। ବ୍ୟାଟିଂରେ ସର୍ବୋଚ୍ଚ ବ୍ୟକ୍ତିଗତ ୪୯* ସହ ମୋଟ ୨୭୮ ରନ୍ କରିଥିଲେ। ଷାଠିଏ ଦଶକରେ ସେ ମେରିଲବୋନ୍‌ କ୍ରିକେଟ୍ କ୍ଲବ୍ (ଏମସିସି) ଏବଂ ଭ୍ରମଣକାରୀ ପାକିସ୍ତାନ ଦଳ ବିପକ୍ଷରେ ମଧ୍ୟ‌‌ ଖେଳିଥିଲେ। ରେଭେନସା ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷା‌ (ବିଏସ୍‌ସି, ବିଇ, ବିଟେକ, ଏଫଆଇ) ଶେ‌ଷ କରିବା ପରେ ଗାରିସନ୍‌ ଇଂଜିନିୟର୍ ଭାବେ କାମ କରିଥିଲେ। ଜଣେ ଭଲ ଫୁଟବଲର୍ ଏବଂ ବକ୍ତା ଭାବେ ମଧ୍ୟ ପରିଚିତ ଥିଲେ। ଚର୍ଚିତ ଖ୍ରୀଷ୍ଟିଆନ ଧାର୍ମିକ ବ୍ୟକ୍ତି ଗ୍ରାହାମ ଷ୍ଟେନ୍ସଙ୍କ ସହ ବଂଧୁତା ପରେ‌ ସେ ବାରିପଦା ଆସି ପ୍ରତିଷ୍ଠିତ ହୋଇଥ‌ିଲେ। ବିଶିଷ୍ଟ ଲେଖକ ସ୍ବର୍ଗତ ବସନ୍ତ କୁମାର ଶତପଥୀଙ୍କ ବଡ଼ ପୁଅ ଶାନ୍ତନ୍ତୁ ପତ୍ନୀ ସୁଷମା ଓ ପୁଅ ରାଜେଶକୁ ଛାଡ଼ିଯାଇଛନ୍ତି। ଶାନ୍ତନୁ ବାବୁଙ୍କ ବି‌‌ୟୋଗ ଖବରରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ଓଡ଼ିଶା ଅଧିନାୟକ ଅଶୋକାନନ୍ଦ ଜେନା। ‘ମୁଁ ଜଣେ ଭଲ ବଂଧୁଙ୍କୁ ହରାଇଲି, ତାଙ୍କ ବୋଲିଂ ସବୁବେଳେ ଚର୍ଚାରେ ରହୁଥିଲା। ସୁଇଙ୍ଗ ବୋଲିଂରେ ସେ ଅନ୍ୟତମ ଅଗ୍ରଜ ଥିଲେ’ ବୋଲି ପ୍ରକାଶ କରିଥିଲେ ଶ୍ରୀ ଜେନା। ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଭିସିଏଓ) ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।