ନିରାକାରପୁର/କଟକ : କ୍ରିକେଟ୍ ଖେଳାଳିରୁ କ୍ରୀଡ଼ା ଶିକ୍ଷକ ହୋଇଥିବା ଭବତୋଷ ପରମାଣିକ (୨୭) ଶନିବାର ଦୁର୍ଭାଗ୍ୟଜନକ ଭାବେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗାଧୋଇବାକୁ ଯାଇଥିବା ବେଳେ ସେ ପୋଖରୀରେ ବୁଡ଼ିଯାଇଥିଲେ। ଭବତୋଷ ହେଉଛନ୍ତି ଟାଙ୍କୋଳ ପଞ୍ଚାୟତ ଅଧୀନସ୍ଥ ପଶ୍ଚିମଦ୍ୱାର ପାଟଣାସାହିର ବାସିନ୍ଦା। ସେ ଶନିବାର ମଧ୍ୟାହ୍ଣରେ ସ୍ଥାନୀୟ ମହୁଲ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସି ଯିବାରୁ ପୋଖରୀର ଗଭୀର ଜଳରେ ବୁଡ଼ିଯାଇଥିଲେ।
ଭବତୋଷ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଘରେ ଖବର ଦେଇଥିଲେ। ପରିବାରବର୍ଗଙ୍କ ସମେତ କେତେକ ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଭବତୋଷ ରଣପୁର ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ କେବଳ ଜଣେ ଖେଳ ଶିକ୍ଷକ ନଥିଲେ, ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପ୍ରାଣ ବ୍ୟକ୍ତି ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଟାଙ୍ଗୀ ବ୍ଲକ୍ରେ ଶୋକର ଛାୟା ଖେଳିଯାଇଛି। ଏନେଇ ଜଙ୍କିଆ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ବେହେରା ଶୋକ ପ୍ରକାଶ କରିଛନ୍ତି। ଭବତୋଷ ୧୬ ବର୍ଷ, ୧୯ ବର୍ଷ ଓ ୨୩ ବର୍ଷରୁ କମ ଦଳରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି।