କ୍ରିକେଟର୍‌ ପାଳିଲେ ଯୋଗ ଦିବସ

ନୂଆଦିଲ୍ଲୀ: ସୋମବାର ଥିଲା ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ। ସମଗ୍ର ବିଶ୍ବରେ ଏହା ବେଶ୍ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଥିଲା ବେଳେ କ୍ରିକେଟରମାନେ ମଧ୍ୟ ଏହି କ୍ଷେତ୍ରରେ ପଛୁଆ ରହି ନଥିଲେ। ବିଭିନ୍ନ ଯୋଗାସନର ଫଟୋ ନିଜ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରି ସାଧାରଣ ଜୀବନରେ ଯୋଗର ମହତ୍ବକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଆହ୍ବାନ କରିଥିଲେ ସେମାନେ। ଏହି କ୍ରମରେ ଚେନ୍ନାଇ ସୁପରକିଙ୍ଗ୍ସର ବାମହାତୀ ବ୍ୟାଟର୍‌ ତଥା ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା ସର୍ବାଗ୍ରେ ରହିଥିଲେ। ଝିଅ ସହ ଯୋଗ କରୁଥିବାର ଫଟୋ ପ୍ରକାଶ କରି ସେ ଲେଖିଥିଲେ ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆସନ୍ତୁ ମନ, ଶରୀର, ଭାବନା ଓ ପ୍ରତିକ୍ରିୟାକୁ ପ୍ରକୃତି ସହ ମିଶାଇବା।

ଯୋଗକୁ ଜୀବନର ଏକ ଅଭିନ୍ନ ଅଙ୍ଗ କରିବାର ବାର୍ତ୍ତା ଅନ୍ତର୍ଜାତୀୟ ଯୋଗ ଦିବସ ଦେଇଥାଏ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଆସନ୍ତୁ ଯୋଗର ମହତ୍ବକୁ ଆଗାମି ପିଢ଼ିକୁ ଶିଖାଇବା। ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ କହିଥିଲେ ଯେ ଧ୍ୟାନ ଭଳି ଚମତ୍କାର ଜିନିଷ ଭାରତ ହିଁ ବିଶ୍ବକୁ ଉପହାର ଦେଇଛି। ସେ ମଧ୍ୟ ଶୀର୍ଷାସନ କରୁଥିବାର ଫଟୋ ଛାଡ଼ିଥିଲେ। କ୍ରିକେଟର ଶ୍ରେୟସ୍ ଆୟର ଓ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ବିଭିନ୍ନ ଯୋଗ ମୁଦ୍ରାର ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଗୁରୁତ୍ବ ବୁଝାଇବାକୁ ପ୍ରୟାସ କରିଥିଲେ। ପ୍ରଜ୍ଞାନ ଲେଖିଥିଲେ ଆମ ଜୀବନଚର୍ଯାରେ କିଛି ନା କିଛି ସମୟ ଯୋଗ ପାଇଁ ଦେବା। ଏବେବି ମୁଁ ଏହାକୁ ଠିକ୍ ଭାବେ କରିବାକୁ ଚେଷ୍ଟା କରୁଛି। ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ, ଭେଙ୍କଟେଶ ପ୍ରସାଦ ମଧ୍ୟ ଫଟୋ ପ୍ରକାଶ କରି ଯୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର