ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଇଂଲଣ୍ଡ ଗସ୍ତରେ ଯାଉଥିବା ଉଭୟ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ସାଥିରେ ପରିବାର ନେବାକୁ ବିସିସିଆଇ ଅନୁମତି ପ୍ରଦାନ କରିଛି। ଖେଳାଳିମାନଙ୍କୁ ବିସିସିଆଇ ଅନୁରୋଧ କରିଛି ଯେ ପରିବାର ସଦସ୍ୟଙ୍କୁ ବି ଜୈବ ବଳୟରେ ସମୟ କାଟିବାକୁ ହେବ। ଅନ୍ୟପକ୍ଷରେ କିନ୍ତୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ କିନ୍ତୁ ବିସିସିଆଇର କୌଣସି କାର୍ଯ୍ୟକର୍ତ୍ତା ଇଂଲଣ୍ଡ ଗସ୍ତ କରିପାରିବେ ନାହିଁ। ବ୍ରିଟେନର କଡ଼ା ସଙ୍ଗରୋଧ ନିୟମ କାରଣରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହା ମଧ୍ୟ ଇଂଲଣ୍ଡ ଗସ୍ତ କରିପାରିବେ ନାହିଁ। ସୂଚନାଯୋଗ୍ୟ, ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ସାଉଥାମ୍ପଟନ୍ରେ ଖେଳାଯିବ।
ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତା ନିଜ ନାମ ଗୋପନ ରଖି କହିଛନ୍ତି ‘‘ବ୍ରିଟେନ୍ ଗସ୍ତରେ ଭାରତୀୟ ଖେଳାଳିମାନେ ସାଥିରେ ପରିବାରକୁ ନେଇ ପାରିବେ। ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ଏହା ପ୍ରଯୁର୍ଯ୍ୟ। କୋଭିଡ୍ ପରିସ୍ଥିତିରେ ପରିବାର ସାଥିରେ ରହିଲେ ମାନସିକ ସ୍ଥିତି ଭଲ ରହେ। ବିସିସିଆଇ ଏହାକୁ ହୃଦୟଙ୍ଗମ କରିଛି। ଆମ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଦୃଢ଼ ମାନସିକ ସ୍ଥିତିରେ ରହିବା ଆବଶ୍ୟକ। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହା ଡବଲ୍ୟୁଟିସି ଫାଇନାଲ୍ ଲାଗି ଯିବାର ଯୋଜନା ରହିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନି’’ ବୋଲି ସେ କହିଥିଲେ। ଇସିବି ମଧ୍ୟ ଉଭୟଙ୍କୁ ଅନୁମତି ପ୍ରଦାନ କରିନାହିଁ। ଖେଳାଳି ସଦସ୍ୟ ହୋଇନଥିବାରୁ ଏମାନଙ୍କୁ ୧୦ ଦିନିଆ କଠୋର ସଙ୍ଗରୋଧ ନିୟମ ଅନୁସରଣ କରିବାକୁ ପଡ଼ିଥାନ୍ତା।
ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ବୁଧବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ପୁରୁଷ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ପୂର୍ବରୁ ମହିଳା ଦଳ ବ୍ରିଷ୍ଟଲ୍ରେ ଏକମାତ୍ର ଟେଷ୍ଟ୍ (ଜୁନ୍ ୧୬-୧୯) ଖେଳିବ। ଏହା ପରେ ପୁରୁଷ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଏବଂ ମହିଳା ଦଳ ଦୁଇ ସୀମିତ ଓଭର ଶୃଙ୍ଖଳା ଖେଳିବେ। ଘର ଓ ହୋଟେଲ୍ ହୋଇ ଉଭୟ ଦଳର ଖେଳାଳିମାନେ ୧୪ ଦିନିଆ ସଙ୍ଗରୋଧ ଅନୁସରଣ କରିଛନ୍ତି। ଏତଦ୍ ସହିତ ୬ଟି ଆରଟିପିସିଆର୍ ଟେଷ୍ଟ୍ ନେଭେଟିଭ୍ ରିପୋର୍ଟ ସହ ଲଣ୍ଡନ୍ ଅଭିମୁଖେ ବିମାନରେ ବାହାରିବେ। ସେଠାରେ ପହଞ୍ଚିବା ପରେ ୩ ଦିନିଆ କଠୋର ସଙ୍ଗରୋଧ (ରୁମ୍) ପାଳନ କରିବା ପରେ ଜିମ୍ନାସିୟମ୍ ଓ ସ୍କିଲ୍ (ନେଟ୍) ତାଲିମ ଆରମ୍ଭ କରିବେ।