ନ୍ୟୁୟର୍କ: ଭାରତରେ କ୍ରିକେଟ୍‌ ଏକ ଧର୍ମ, ଆମେରିକାରେ ବେସ୍‌ବଲ୍‌ର ମାନ୍ୟତା ତାଠାରୁ କିଛି କମ୍ ନୁହେଁ। ବେସ୍‌ବଲ୍ ପାଗଳ ଆମେରିକାକୁ କିନ୍ତୁ ଏବେ କ୍ରିକେଟ୍ ନିଶା ଧୀରେଧୀରେ ଗ୍ରାସ କରିବା ଆରମ୍ଭ କରିଛି। ‘ଟ୍ବେଣ୍ଟି-୨୦ ବିଶ୍ବକପ୍‌-୨୦୨୪’ର ଆୟୋଜକ ହେବା ପରେ ଏଠାକାର ଘରେଘରେ କ୍ରିକେଟ୍‌କୁ ନେଇ ଚର୍ଚ୍ଚା ବଢ଼ିଛି। କ୍ରିକେଟ୍ ଉପକରଣର ଆମଦାନି ମଧ୍ୟ ରେକର୍ଡ ସ୍ତର ଛୁଇଁଛି। ଅଧିକାଂଶ ଆମେରିକୀୟ କ୍ରିକେଟ୍‌ର ନୀତି ନିୟମ ଜାଣି ନଥିଲେ ମଧ୍ୟ ବେସ୍‌ବଲ୍ ସହ ଥିବା ସାମଞ୍ଜସ୍ୟ ପାଇଁ ଏହାକୁ ଅନୁକରଣ କରିବା ଆରମ୍ଭ କରିଛନ୍ତି। ଆମେରିକାରେ ରହୁଥିବା ଭାରତୀୟ ଓ ଅନ୍ୟ ଦକ୍ଷିଣ ଏସୀୟ ମୂଳ ଅଧିବାସୀମାନେ ଏଠାରେ କ୍ରିକେଟ୍‌କୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଆୟୋଜକ ଭାବେ ଆମେରିକା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବା ମଧ୍ୟ ଏହି ବ୍ରିଟିସ୍ ଖେଳ ପାଇଁ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିଛି। ଏହି କ୍ଷେତ୍ରରେ ଭଲ ପିଚ୍‌ର ଅଭାବ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଥିଲେ ମଧ୍ୟ କ୍ରିକେଟ୍ ତା’ ପାଇଁ ବିଶ୍ବକପ୍ ମାଧ୍ୟମରେ ଏକ ବଡ଼ ପ୍ରଶଂସକ ସମୂହ ଓ ବଜାର ପାଇଯାଇଛି।

Advertisment

ଆମେରିକାରେ କ୍ରିକେଟ୍ ସପ୍ତଦଶ ଶତାବ୍ଦୀରୁ ଖେଳାଯାଉଛି। ହେଲେ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ, ବ୍ରିଟେନ୍ ଓ ୱେଷ୍ଟଇଣ୍ଡିଜ୍‌ରୁ ଯାଇ ଆମେରିକାରେ ବସବାସ କରୁଥିବା ଲୋକଙ୍କ ଭିତରେ ହିଁ ଏହା ପ୍ରାୟତଃ ସୀମିତ ହୋଇ ରହିଛି। ଅଣଏସୀୟ ଆମେରିକୀୟଙ୍କ ଭିତରେ ଏହାର ଲୋକପ୍ରିୟତା ଅତି ନଗଣ୍ୟ। ହେଲେ ବିଶ୍ବକପ୍‌ ପାଇଁ ସେମାନଙ୍କ ମଧ୍ୟରେ କ୍ରିକେଟ୍‌କୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ (ଜୁନ୍ ୯) ଅଷ୍ଟ୍ରେଲିଆରୁ ଆମଦାନି ହୋଇଥିବା ଉଠାପିଚ୍‌କୁ ୨୦ଟିକିଆ ଟ୍ରକ୍‌କେଡ୍‌ରେ ନିଆଯାଇଥିଲା ବେଳେ ଏହାକୁ ଶହଶହ ଆମେରିକୀୟ ସ୍ବାଗତ କରିଥିଲେ। ଆମେରିକାରେ ମଧ୍ୟ କ୍ରିକେଟ୍ ଲିଗ୍ ଓ ସୌଖୀନ ଭାବେ କ୍ରିକେଟ୍ ଖେଳୁଥିବା ଖେଳାଳିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ବେସ୍‌ବଲ୍ ଖେଳାଳିମାନେ ସ୍ଥାନୀୟ କ୍ରିକେଟର୍‌ଙ୍କ ସହ ମିଶି ମ୍ୟାଚ୍ ଖେଳୁଛନ୍ତି। ଗତବର୍ଷଠାରୁ ଆମେରିକାର ନିଜସ୍ବ ଫ୍ରାଞ୍ଚାଇଜ୍‌ ଲିଗ୍‌ ଆରମ୍ଭ ହୋଇଛି। ଏହାକୁ ମେଜର ଲିଗ୍ କ୍ରିକେଟ୍‌ (ଏମ୍‌ଏଲ୍‌ସି) ନାମରେ ନାମିତ କରାଯାଇଛି। ସୂଚନା ପ୍ରଯୁକ୍ତି କଂପାନି ମାଇକ୍ରୋସଫ୍ଟ କଂପାନିର ମୁଖ୍ୟ ସତ୍ୟ ନାଡେଲା ଓ ଆଡୋବର ସାନ୍ତନୁ ନାରାୟଣଙ୍କ ଭଳି ସଫଳ ଭାରତୀୟ ବଂଶୋଦ୍ଭବ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କ ଦ୍ବାରା ପ୍ରୋତ୍ସାହିତ ଏହି ପ୍ରତିଯୋଗିତା ଆୟୋଜନ ବେଳେ ଷ୍ଟାଡିୟମ୍‌ର ୮୦ ପ୍ରତିଶତ ସିଟ୍ ପୂରଣ ହେବା ଆମେରିକାରେ କ୍ରିକେଟ୍‌ର ବର୍ଦ୍ଧିତ ଲୋକପ୍ରିୟତାକୁ ଦର୍ଶାଉଛି। କାରଣ ଏହି ପ୍ରତିଯୋଗିତା ବେଳେ କେବଳ ଟିକେଟ ବିକ୍ରିରୁ ୨.୮ ନିୟୁତ ଡଲାର ବା ପାଖାପାଖି ୨୩ କୋଟି ଟଙ୍କାର ରାଜସ୍ବ ମିଳିଥିଲା।

ମଜାଦାର କଥା ହେଲା ଡଲାସ ସହରର ଏକ ବେସବଲ୍ ଷ୍ଟାଡିୟମ୍‌କୁ କ୍ରିକେଟ୍ ଷ୍ଟାଡିୟମ୍‌ରେ ରୂପାନ୍ତର କରି ଏମ୍‌ଏଲ୍‌ସି ଖେଳାଯାଇଥିଲା। ୭୦ହଜାର ଦର୍ଶକଙ୍କ ଗହଣରେ ନିକୋଲାସ୍ ପୂରନ, ଟ୍ରେଣ୍ଟ ବୋଲ୍ଟ, ରସିଦ ଖାନ୍ ଓ ଫାଫ୍ ଡୁପ୍ଲେସିସ୍‌ଙ୍କ ଭଳି ଖେଳାଳି ନିଜ ଯାଦୁ ଦେଖାଇଥିଲେ। ସେହିଭଳି ଆରିଜୋନା କ୍ରିକେଟ୍ ଲିଗ୍, ଟ୍ବେଣ୍ଟି-୨୦ ୱିଣ୍ଟର୍ ଲିଗ୍ ଭଳି ଛୋଟ ଛୋଟ ଲିଗ୍‌ ମଧ୍ୟ ଆମେରିକାରେ ନିୟମିତ ଆୟୋଜିତ ହେଉଛି। ଆମେରିକା ବିଶ୍ବର ତୃତୀୟ କ୍ରିକେଟ୍ ଉପକରଣ ଆମଦାନିକାରୀର ମାନ୍ୟତା ଲାଭ କରିଛି। ଏଣୁ କ୍ରିକେଟ୍ ରୂପରେ ଆମେରିକାରେ ଏକ ନୂଆ ଧର୍ମ ସୃଷ୍ଟି ହେବାରେ ଲାଗିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବିଶ୍ବକପ୍ ପୂର୍ବରୁ ଆଇସିସି ଏଠାରେ ବହୁ ପ୍ରଚାର ଅଭିଯାନ କରି କ୍ରିକେଟ୍‌ପ୍ରତି ମୂଳଆମେରିକୀୟଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛି। ନ୍ୟୁୟର୍କରେ ଥିବା ଏମ୍ପାୟାର ଷ୍ଟେଟ୍ ବିଲଡିଂର ଆଲୋକମାଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ରଙ୍ଗରେ ରଙ୍ଗାୟିତ ହୋଇଛି। ବିଶ୍ବକପ୍ ଆମେରିକାର ଫ୍ଲୋରିଡା, ନ୍ୟୁୟର୍କ ଓ ଟେକ୍ସାସରେ ଖେଳାଯିବାକୁ ଥିବାରୁ ଏହି ତିନିଟି ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷ କରି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍ ଖେଳାଯିବାକୁ ଥିବା ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଅଧିକ ଚଳଚଞ୍ଚଳ ରହିଛି। ଏଭଳି ସ୍ଥିତିରେ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ଆମେରିକା ମାଟିରୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ସେନ୍ ୱର୍ଣ୍ଣ, ବ୍ରାଏନ ଲାରା ଓ ୱାସିମ ଆକ୍ରମଙ୍କ ଭଳି ଖେଳାଳି ସୃଷ୍ଟି ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।