ଏକାନ୍ତରେ ହକି, ଖେଳାଳିଙ୍କ ପାଇଁ ଆବେଗପୂର୍ଣ୍ଣ ଓ ଜଟିଳ ସମୟ

କାହାଣୀ ଶୁଣିଥିଲୁ, ଏବେ ଦେଖୁଛୁ: ରିଡ୍‌

ନୂଆଦିଲ୍ଲୀ: ଆଖି ଖୋଲିବା ଓ କାନ ଉଠିବା ପରଠାରୁ ଏମିତି କଥା କେବେ ବି ଶୁଣାଯାଇ ନଥିଲା କି ଦେଖିବାକୁ ମିଳି ନଥିଲା। କ୍ଷୁଦ୍ର ଭୂତାଣୁଟିଏ ‘କରୋନା’ ପାଇଁ ଏବେ ସମଗ୍ର ବିଶ୍ବର ଅଧିକାଂଶ ସହର, ଜିଲ୍ଲା, ରାଜ୍ୟ ଓ ଦେଶ ଯେମିତି ଗୋଟିଏ ଗୋଟିଏ ଅତି ସୁରକ୍ଷିତ ସେନା ଛାଉଣିରେ ପରିଣତ ହୋଇଛି। ଏକାନ୍ତବାସରେ ଯିବାକୁ ସରକାର ନିଜ ନିଜର ନାଗରିକମାନଙ୍କୁ ନିର୍ଦେଶ ଦେଉଛନ୍ତି। ସହର ବଜାର ଏକପ୍ରକାର ବନ୍ଦ। ଦେଶଗୁଡ଼ିକ ନିଜ ନିଜର ସୀମାକୁ ସିଲ୍ କରୁଥିଲା ବେଳେ ଅତ୍ୟବଶ୍ୟକ ସାମଗ୍ରୀ ଛଡ଼ା ଅନ୍ୟ କୌଣସି ଜିନିଷ କିଣାବିକା କରିବାକୁ ଲୋକଙ୍କୁ ବାହାରକୁ ଛଡ଼ାଯାଉନି। ଏଭଳି ସ୍ଥିତିରେ ନିଜ ଘର ଓ ପରିବାରଠାରୁ ଦୂରରେ ରହି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ଖେଳାଳିମାନେ ଆବେଗପୂର୍ଣ୍ଣ, ହେଲେ ଜଟିଳ ସମୟ ଦେଇ ଗତି କରୁଛନ୍ତି। ବିଶେଷ କରି ଜାତୀୟ ପ୍ରଶିକ୍ଷଣରେ ଯୋଗ ଦେଇଥିବା ହକି ଖେଳାଳିଙ୍କ ପାଇଁ କରୋନା ନୂଆ ଆହ୍ବାନ ନେଇଆସିଛି। କିଛି ଦିନ ତଳେ ଜାତୀୟ ପ୍ରଶିକ୍ଷଣ ଶିବିରରୁ ଛୁଟି ନେଇ ନିଜ ନିଜ ଘରକୁ ଫେରୁଥିବା ଭାରତୀୟ ମହିଳା ହକି ଦଳର କିଛି ଖେଳାଳିଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରୁ ସେଠାକାର ସାଇ କେନ୍ଦ୍ରକୁ ଫେରିବାର ନିର୍ଦେଶ ଦିଆଯାଇଥିଲା। କରୋନାର ଭୟାବହତା ଦିନକୁ ଦିନ ବଢ଼ୁଥିବାରୁ ଏବେ ସେମାନଙ୍କୁ ନିଜ ନିଜର ସହରକୁ ଫେରିଯିବାକୁ କୁହାଯାଇଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ବେଙ୍ଗାଲୁରୁ ସାଇ କେନ୍ଦ୍ର ଏବେ ଏକପ୍ରକାର ପୃଥକାବାସରେ ପରିଣତ ହୋଇଛି। ବାହାରର କୌଣସି ଲୋକଙ୍କୁ କେନ୍ଦ୍ର ଭିତରକୁ ଯିବାକୁ ଅନୁମତି ମିଳୁନି। ଖେଳାଳିଙ୍କ ଛଡ଼ା ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଶିକ୍ଷକ ଜୋଏଡ୍ ମାରିନ୍ ଓ ଗ୍ରାହାମ ରିଡ୍ ମଧ୍ୟ ସେଠାରେ ଅଟକି ରହିଛନ୍ତି। ମାରିନ୍ ସ୍ବଦେଶ (ନେଦରଲାଣ୍ଡ୍ସ) ଫେରିବା ଲାଗି ବେଙ୍ଗାଲୁରୁ ବିମାନ ବନ୍ଦରକୁ ଯାଉଥିଲା ବେଳେ ଅଧାବାଟରୁ ସାଇ କେନ୍ଦ୍ର ଫେରିବାକୁ ବାଧ୍ୟ ହୋଇଥିଲେ। କରୋନା ସାରା ବିଶ୍ବର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇ ସାରିଥିଲା ବେଳେ ସ୍ବଚ୍ଛ ଓ ସଫାସୁତରା ରହିବା ହକି ଖେଳାଳିଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶହ ଶହ କିଲୋମିଟର ଦୂରରେ ରହୁଥିବା ପରିବାର ବର୍ଗ ପାଇଁ ସେମାନଙ୍କ ଚିନ୍ତା ବି ବଢ଼ୁଛି। ସବୁଠାରୁ ବଡ଼ କଥା ହେଲା ଖେଳାଳିମାନେ ଏବେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଚଳାଇଥିଲା ବେଳେ ଅଲିମ୍ପିକ୍ସର ଭାଗ୍ୟ କରୋନା ପାଇଁ ସୂତାଖିଅରେ ଝୁଲୁଛି। ଏହି କାରଣରୁ ଏଫଆଇଏଚ୍ ପ୍ରୋ-ଲିଗ୍ ହକି ମଧ୍ୟ ସ୍ଥଗିତ ହୋଇ ସାରିଛି। ଖେଳାଳିମାନେ ଏବେ ଘୋର ମାନସିକ ଦ୍ବନ୍ଦ୍ବ ଓ ଅବସାଦ ଦେଇ ଗତି କରୁଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଯଦି ଆଉ କୌଣସି ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଖେଳିବାର ସୁଯୋଗ ମିଳେନି, ତାହାଲେ ଏହା ସେମାନଙ୍କ ପାଇଁ ଆଉ ଏକ ଶକ୍ତ ଧକ୍କା ହେବ।

‘ଭବିଷ୍ୟବାଣୀ କରି ହେବନି’
କରୋନା ସଙ୍କଟକୁ ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ଗ୍ରାହାମ ରିଡ୍ ଅଦ୍ଭୂତପୂର୍ଣ୍ଣ ଓ ଆହ୍ବାନଭରା ସମୟ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଏଭଳି କାହାଣୀ ଆମେ କେବଳ ଜେଜେ ବାପା ଓ ଜେଜେ ମା’ଙ୍କଠାରୁ ଶୁଣିବାକୁ ପାଉଥିଲୁ। ସେମାନେ ସେତେବେଳେ ବିଶ୍ବଯୁଦ୍ଧର ବିଭୀଷିକା କଥା କହୁଥିଲେ। ସମ୍ଭବତଃ ଆମେ ଆମ ନାତିନାତୁଣୀମାନଙ୍କୁ କରୋନାର କରୁଣ କାହାଣୀ କଥା କହିପାରିବୁ। ପାଖାପାଖି ସବୁ ଖେଳକୁ ଏବେ ବାତିଲ କରି ଦିଆଯାଇଛି କିମ୍ବା ସ୍ଥଗିତ ରଖାଯାଇଛି, ଜଣେ କ୍ରୀଡ଼ା ପ୍ରଶଂସକ ଭାବେ ଆମ ପାଇଁ ଏହା ନିଶ୍ଚିତ ଭାବେ କଠିନ ସମୟ। ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ଓ ଆଗ୍ରହ ସବୁ ଖେଳାଳିଙ୍କ ମନୋବଳ ବଢ଼ାଇଥାଏ ହେଲେ ସଂପ୍ରତି ଖେଳାଳିମାନେ ଦ୍ବନ୍ଦ୍ବରେ ଅଛନ୍ତି। କ’ଣ କରିବେ କ’ଣ ନ କରିବେ, ସେମାନେ ଜାଣି ପାରୁନାହାନ୍ତି। ସେମାନେ ଲକ୍ଷ୍ୟଚ୍ୟୁତ ହେବା ସ୍ବାଭାବିକ କଥା। ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ହକି ଦଳ ପ୍ରୋ ଲିଗ୍ ଖେଳିବାର ଥିଲା। ହେଲେ ଜର୍ମାନି ଓ ଇଂଲଣ୍ଡ ଗସ୍ତ ଏବେ ସ୍ଥଗିତ ହୋଇ ଯାଇଛି। ଯାହା ଆମ ପାଇଁ ଏକ ବଡ଼ ଧକ୍କାଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ହତାଶ ରିଡ୍ କହିଛନ୍ତି। ଭାରତୀୟ ହକି ଦଳର କେତେକ ଅଭ୍ୟାସ ଅଧିବେସନକୁ ସ୍ଥଗିତ କରି ଦିଆଯାଇଥିଲା ବେଳେ ସପ୍ତାହକୁ ଦୁଇ ଦିନ ଆମେ ପିଲାଙ୍କ ଭିତରେ ହିଁ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ ମତ ରଖିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ କିନ୍ତୁ ଭଲ ହୋଇଥାଆନ୍ତା ବୋଲି ସେ ସ୍ବୀକାର କରିଛନ୍ତି। ନେଦରଲାଣ୍ଡ୍ସରେ ରହୁଥିବା ନିଜ ପରିବାର ନେଇ ଚିନ୍ତା ପ୍ରକଟ କରିବା ସହ ଖେଳାଳିମାନଙ୍କୁ ବାହାରକୁ ନଯାଇ ଦରକାରୀ ଜିନିଷ ମଗେଇବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ଅଲିମ୍ପିକ୍ସକୁ ନେଇ ଏବେଠାରୁ କୌଣସି ଭବିଷ୍ୟବାଣୀ କରାନଯାଇପାରେ ବୋଲି ରିଡ୍ ମତ ରଖିଛନ୍ତି।

ତଥାପି ଚାଲିଛି ଅଭ୍ୟାସ
ଆଉ ମାତ୍ର ୧୨୫ ଦିନ ପରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡ ଓ ମହିଳା ଦଳ ନେଦରଲାଣ୍ଡ୍ସ ବିପକ୍ଷରେ ନିଜ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବେ। କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ ଉଭୟ ଦଳ ଏଥିଲାଗି ଅଭ୍ୟାସ ଜାରି ରଖିଛନ୍ତି। ବେଙ୍ଗାଲୁରୁର ସାଇ କେନ୍ଦ୍ରର ସଠିକ୍ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଖେଳାଳିମାନେ ନିଜ ଦକ୍ଷତାକୁ ଆହୁରି ଶାଣିତ କରିବାକୁ ଲାଗି ପଡ଼ିଛନ୍ତି। ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଓ ହକି ଇଣ୍ଡିଆ ପକ୍ଷରୁ ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥାକୁ ନେଇ ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂହ ଓ ମହିଳା ଦଳର ଅଧିନାୟିକା ରାଣୀ ରାମପାଲ ଉଭୟେ ଖୁସି ଜାହିର କରିଛନ୍ତି। କରୋନା ଭୟ ଆମ ଅଭ୍ୟାସକୁ ପ୍ରଭାବିତ କରିନି। ଆମେ ନିୟମିତ ହାତ ଧୋଉଛୁ। ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟମିତ ଯାଞ୍ଚ କରାଯାଉଛି। ଅଲିମ୍ପିକ୍ସ ପାଇଁ ଆମେ କଠିନ ପରିଶ୍ରମ କରୁଛୁ ବୋଲି ମନ୍‌ପ୍ରୀତ କହିଛନ୍ତି। ‌ସେପଟେ ରାଣୀ କହିଛନ୍ତି ଯେ ସାଇ କେନ୍ଦ୍ରରେ ଥିବାରୁ ଆମେ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହୁଁ। ଆମେ ମଧ୍ୟ ସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛୁ। ଟୋକିଓ ଅଲିମ୍ପିକ୍ସ ହିଁ ଆମ ନଜରରେ ଅଛି।

 

ସମ୍ବନ୍ଧିତ ଖବର