ନିଝ୍ନି : ମହାନ ଖେଳାଳି ଲିଓନେଲ୍ ମେସି ପୁଣି ଥରେ ବିଫଳ ହେବା ସହ ଗତ ବିଶ୍ୱକପ୍ର ଉପ ବିଜେତା ଆର୍ଜେଣ୍ଟିନା ମସ୍କୋ ମହାସମରରେ ନିଜଠାରୁ ୧୫ଟି ସ୍ଥାନ ତଳେ ଥିବା କ୍ରୋଏସିଆଠାରୁ ଲଜ୍ଜାଜନକ ଭାବେ ୦-୩ ଗୋଲ୍ରେ ହାରିଯାଇଛି। କ୍ରୋଏସିଆ ଗୋଲ୍ ଉପରେ ଗୋଲ୍ କରି ଚାଲିଥିଲା ବେଳେ ମେସି ଅସହାୟଙ୍କ ଭଳି ଚାହିଁ ରହିବା ସାରା ବିଶ୍ୱରେ ଥିବା ତାଙ୍କ କୋଟି କୋଟି ପ୍ରଶଂସକଙ୍କ ହୃଦୟ ବି ଭାଙ୍ଗି ଦେଇଛି। ସେହିଭଳି ଫିଫା ମାନ୍ୟତାର ୨୦ତମ ସ୍ଥାନରେ ଥିବା କ୍ରୋଏସିଆ ପଞ୍ଚମ ସ୍ଥାନରେ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ଆଣ୍ଠେଇଦେବା ଚଳିତ ବିଶ୍ୱକପ୍ର ଅନ୍ୟତମ ବଡ଼ ବିପର୍ଯ୍ୟୟ ହୋଇଛି। ଗୁରୁବାରର ଏହି ପ୍ରତୀକ୍ଷିତ ମୁକାବିଲାର ପ୍ରଥମାର୍ଧ ଗୋଲ୍ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ଆର୍ଜେଣ୍ଟିନା ତିନିଟି ଗୋଲ୍ ବରଣ କରିବା ଏହି ଦଳର ପ୍ରଶଂସକଙ୍କୁ ବ୍ୟଥିତ କରିଛି। ସେପଟେ ଦୁଇଟି ମ୍ୟାଚ୍ରୁ ଦୁଇଟି ବିଜୟ ସହ କ୍ରୋଏସିଆ ଗ୍ରୁପ୍-ଡି’ର ପ୍ରଥମ ଦଳ ଭାବେ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି।
ଗୁରୁବାର ମ୍ୟାଚ୍ ପୂର୍ବରୁ ଆର୍ଜେଣ୍ଟିନା ଓ କ୍ରୋଏସିଆ ୪ ଥର ମୁହାଁମୁହିଁ ହୋଇଥିଲେ। ସେଥିମଧ୍ୟରୁ ଆର୍ଜେଣ୍ଟିନା ଦୁଇଟି ଏବଂ କ୍ରୋଏସିଆ ଗୋଟିଏ ବିଜୟ ହାସଲ କରିଥିଲା। ୧୯୯୮ ମସିହାରେ ପ୍ରଥମ ଓ ଶେଷ ଥର ପାଇଁ ଉଭୟ ଦଳ ବିଶ୍ୱକପ୍ରେ ପରସ୍ପରକୁ ଭେଟିଥିଲେ। ସେହି ମ୍ୟାଚ୍କୁ ଆର୍ଜେଣ୍ଟିନା ୧-୦ରେ ଜିତି ନେଇଥିଲା। ୨୦ ବର୍ଷ ପରେ କ୍ରୋଏସିଆ ଏହାର ମଧୁର ପ୍ରତିଶୋଧ ନେଇଛି। ଦୁଇ ଦଳର ଜୟ ପରାଜୟ ଅନୁପାତ ମଧ୍ୟ ସମାନ ୨/୨ ହୋଇ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଇସ୍ଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ପେନାଲ୍ଟି ସୁଯୋଗ ହାତଛଡ଼ା କରିଥିବା ମେସିଙ୍କ ସମ୍ମାନ ଗୁରୁବାର ବାଜିରେ ଥିଲା। କହିବାକୁ ଗଲେ ସେ ହିଁ ଆଜି ମୁକାବିଲାର ମୁଖ୍ୟ ଆକର୍ଷଣ ଥିଲେ। ହେଲେ ପ୍ରଥମାର୍ଧର ୪୫ ମିନିଟ୍ ସହ ୨ ମିନିଟ୍ର ଷ୍ଟପେଜ୍ ଟାଇମ୍ରେ ମଧ୍ୟ ସେ କିମ୍ବା କୌଣସି ଆର୍ଜେଣ୍ଟିନା ଖେଳାଳି କିଛି କମାଲ କରି ପାରି ନଥିଲେ। ବରଂ କ୍ରୋଏସିଆ କେବେ କେବେ ଗୋଲ୍ ଦେବାର ନିକଟତର ହୋଇ ଆଗୁଆ ହେବାର ଆଶା ସୃଷ୍ଟି କରିଥିଲା। ଷ୍ଟପେଜ୍ ଟାଇମର ଶେଷ କ୍ଷଣରେ ଲୁକା ମୋଡ୍ରିକ୍ ଏକ ଭଲ ପାସ୍ ଦେଇଥିଲେ ମଧ୍ୟ କ୍ରୋଏସିଆର ଯୁବ ତାରକା ଆଣ୍ଟେ ରେବିକ ଏହାକୁ କାମରେ ଲଗାଇ ପାରି ନଥିଲେ। ଫଳରେ ଆର୍ଜେଣ୍ଟିନା ଅଳ୍ପକେ ବର୍ତି ଯାଇଥିଲା। ଏହି ଦଳର ପ୍ରଥମାର୍ଥ ପ୍ରଦର୍ଶନ ପୂରା ନିରାଶାଜନକ ଥିଲା। ଏପରିକି ସାଥୀ ଖେଳାଳିମାନେ ମେସିଙ୍କୁ ଥରେ ହେଲେ ବି ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ କରିବାର ସୁଯୋଗ ଦେଇ ନଥିଲେ। ଦ୍ୱିତୀୟାର୍ଧରେ ବି ଏହି ସ୍ଥିତି ଜାରି ରହିଥିଲା। ଯାହାର ଲାଭ କ୍ରୋଏସିଆ ୫୩ ମିନିଟ୍ରେ ଉଠାଇଥିଲା।
ନିଝନି ଷ୍ଟାଡିୟମ୍ରେ ଥିବା ଆର୍ଜେଣ୍ଟିନା ସମର୍ଥକଙ୍କୁ ସ୍ତବ୍ଧ କରି ଏକ ଚମତ୍କାର ବ୍ୟାକ ସଟ୍ ଜରିଆରେ ଆଣ୍ଟେ ରେବିକ୍ କ୍ରୋଏସିଆକୁ ଆଗୁଆ କରି ଦେଇଥିଲେ। ଗୋଲ୍ ରକ୍ଷକ ଓ୍ଵିଲି କାବାଲେରୋ ହିଁ କ୍ରୋଏସିଆକୁ ଏହି ଗୋଲ୍ ଉପହାର ଦେଇଥିଲେ। ତାଙ୍କ କ୍ଲିଅର କିକ୍ ସିଧା ଉପରକୁ ଉଠି ରେବିକଙ୍କ ଆଗରେ ତଳେ ପଡ଼ିବା ପୂର୍ବରୁ ସେ ଏହାକୁ ଉପରେ ଉପରେ ହିଁ ଗୋଲ୍ ପୋଷ୍ଟ ଭିତରେ ପୂରାଇ ଦେଇଥିଲେ। ୮୦ ମିନିଟ୍ରେ କ୍ରୋଏସିଆ ମଧ୍ୟଭାଗ ଖେଳାଳି ଲୁକା ମୋଡ୍ରିକ୍ ଆଉ ଏକ ଗୋଲ୍ ଦେଇ କ୍ରୋଏସିଆ ବିଜୟକୁ ପକ୍କା କରି ନେଇଥିଲେ। ଆର୍ଜେଣ୍ଟିନା ରକ୍ଷଣଭାଗ କ୍ଲବ୍ ସ୍ତରୀୟ ଦଳ ଭଳି ଖେଳିବା ଏହି ଦଳର ପ୍ରଶଂସକଙ୍କୁ ସବୁଠାରୁ ଅଧିକ ଚକିତ କରିଥିଲା। ଏପରିକି ପରାଜୟ ସୁନିଶ୍ଚିତ ଜାଣି କାବାଲେରୋ ଗୋଲ୍ ପୋଷ୍ଟ ଛାଡ଼ି ବାହାରେ ଖେଳୁଥିବାର ସୁଯୋଗ ନେଇ ଦ୍ୱିତୀୟାର୍ଧର ଷ୍ଟପେଜ୍ ଟାଇମରେ ଇଭାନ ରାକିଟିକ୍ ଆଉ ଏକ ଗୋଲ୍ ଦେଇ କ୍ରୋଏସିଆକୁ ୩-୦ରେ ବିଜୟୀ କରାଇଥିଲେ।