ରୁଷିଆ ପ୍ରଧାନମନ୍ତ୍ରୀଙ୍କ ଆଗରେ ନାଚିଲେ କ୍ରୋଏସିଆ ରାଷ୍ଟ୍ରପତି

ମସ୍କୋ: ଶନିବାରର ରୁଷିଆ-କ୍ରୋଏସିଆ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ବେଳେ ଅତିବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଉଦିଷ୍ଟ ଷ୍ଟାଣ୍ଡରେ ଏହି ଦୁଇ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିଥିଲା। ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କ ସହ କ୍ରୋଏସିଆ ରାଷ୍ଟ୍ରପତି କୋଲିଣ୍ଡା ଗ୍ରାମର-କିଟାରୋଭିକ ଏବଂ ରୁଷିଆ ପ୍ରଧାନମନ୍ତ୍ରୀ ଦିମିତ୍ରି ମେଦଭେଦେଭ ଏକାଠି ମ୍ୟାଚ୍‌ ଦେଖୁଥିଲେ। କ୍ରୋଏସିଆ ପେନାଲ୍ଟି ସୁଟଆଉଟରେ ରୁଷିଆକୁ ୪-୩ ଗୋଲ୍‌ରେ ହରାଇବା ପରେ ମେଦଭେଦେଭଙ୍କ ଆଗରେ ଉଲ୍ଲସିତ କୋଲିଣ୍ଡା ଉତ୍ସବ ପାଳୁଥିବାର ଭିଡିଓ ଏବେ ବେଶ୍‌ ଚର୍ଚାରେ ରହିଛି। ଏଥିରେ କ୍ରୋଏସିଆ ଜିତିବା କ୍ଷଣି କୋଲିଣ୍ଡା ନିଜ ଅସନରୁ ଉଠି ଖୁସିରେ ନାଚୁଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ଭେଦଭେଦେଭଙ୍କ ମୁହଁ କିନ୍ତୁ ପୂରା ଶୁଖି ଯାଇଛିା। କୋଲିଣ୍ଡା ଉତ୍ସବ ପାଳନ କରୁଥିଲା ବେଳେ ମେଦଭେଦେଭ ଦୁଃଖରେ ଅନ୍ୟପଟକୁ ମୁହଁ ବୁଲାଇ ଦେଇଥିଲେ। କୋଲିଣ୍ଡାଙ୍କ ଉତ୍ସବ ପାଳନ କିନ୍ତୁ ସେତିକିରେ ଅଟକି ନଥିଲା। କିଛି ସମୟ ପରେ ଖେଳାଳିଙ୍କ ଡ୍ରେସିଂ ରୁମ୍‌ ଯାଇ ସେଠାରେ ମଧ୍ୟ ସେ ବିଜୟ ଉତ୍ସବ ପାଳିଥିଲେ। କୋଲିଣ୍ଡା ଖେଳାଳିଙ୍କ ହାତଧରି ନାଚୁଥିବାର ଦୃଶ୍ୟ ଏବେ ସେହି ଦେଶର ଫୁଟବଲ୍‌ ପ୍ରେମୀଙ୍କ ମନ କିଣି ନେଇଛି। ଜଣେ ରାଷ୍ଟ୍ରପତି ନିଜ ଫୁଟବଲ୍‌ ଦଳର ବିଜୟରେ ଏମିତି ଖୁସି ହେବା ଏକ ନିଆରା ଘଟଣା ବୋଲି ସେମାନେ କହିଛନ୍ତି। ଏହା ପୂର୍ବରୁ କ୍ରୋଏସିଆ ସେହି ମ୍ୟାଚ୍‌ର ଦ୍ୱିତୀୟ ଗୋଲ୍‌ ଦେବା ପରେ ମଧ୍ୟ କୋଲିଣ୍ଡା ଉପରକୁ ହାତ ଉଠାଇ କିଛି ସମୟ ନାଚିଥିଲେ। ଡେନମାର୍କ ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ବେଳେ ମଧ୍ୟ ସେ ନୟମିତ ନିଜ ଖେଳାଳିଙ୍କ ମନୋବଳ ବଢ଼ାଉଥିବା ଦେଖିବାକୁ ମିଳିଥିଲା। ଜଣେ ମହିଳା ରାଷ୍ଟ୍ରପତିଙ୍କ ଏଭଳି ଫୁଟବଲ୍‌ ପ୍ରେମ ଏବେ ସାରା ବିଶ୍ୱର ଗଣମାଧ୍ୟମର ପ୍ରମୁଖ ଶିରୋନାମା ପାଲଟିଛି। ସାମାଜିକ ଗଣମାଧ୍ୟମରେ କୋଲିଣ୍ଡାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ବହୁଗୁଣ ବଢ଼ି ଯାଇଛି।

ସମ୍ବନ୍ଧିତ ଖବର