ମୁମ୍ବାଇ ସିଟିକୁ ପ୍ରଥମ ଥର ମୁକୁଟ

ଫତୋର୍ଦ୍ଦା : ଆଇଏସ୍‌ଏଲ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଶନିବାର ନୂଆ ବିଜେତା ଉଭା ହୋଇଛନ୍ତି। ଫାଇନାଲ୍‌ରେ ଏଟିକେ ମୋହନ ବାଗାନକୁ ୨-୧‌ ଗୋଲରେ ପରାସ୍ତ କରି ମୁମ୍ବାଇ ସିଟି ଏଫସି ଆଇଏସଏଲ୍‌ ଇତିହାସରେ ପ୍ରଥମ ଥର ବିଜେତା ହୋଇଛି। ଏଥି ସହିତ ଲିଗ୍‌ ଶେଷରେ ବିଜେତା ହୋଇଥିବାରୁ ମୁମ୍ବାଇ ମଧ୍ୟ ବିରଳ ଦ୍ବିମୁକୁଟ ଅର୍ଜନ କରିଛି। ୧୮ତମ ମିନିଟରେ ୱିଲି୍ୟମ୍ସଙ୍କ ଗୋଲ ବଳରେ ଏଟିକେ ମୋହନ ବାଗାନ ପ୍ରଥମେ ଆଗୁଆ ହୋଇଥିଲା। ତେବେ ୨୯ତମ ମିନିଟରେ ତିରିଙ୍କ ଆତ୍ମଘାତୀ ଗୋଲ୍‌‌ ମ୍ୟାଚ୍‌କୁ ବରାବର ସ୍ତରକୁ ନେଇ ଆସିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଭାବେ ଖେଳାଯାଇଥିବା ଏହି ଫାଇନାଲ୍‌ ମ୍ୟାଚ୍‌ର ୮୯ ମିନିଟ୍‌ ପର୍ଯ୍ୟନ୍ତ ୧-୧ ସ୍ତରରେ ରହିଥିଲା। ୯୦ତମ ମିନିଟରେ ମୁମ୍ବାଇ ସିଟି ଏଫସି ପାଇଁ ନିର୍ଣ୍ଣାୟକ ତଥା ବିଜୟ ସୂଚକ ଗୋଲଟି ଦେଇଥିଲେ ତାରକା ଖେଳାଳି ବିପିନ ସିଂହ।

ବିଜେତା ମୁମ୍ବାଇ ସିଟି ଏଫସି ବିଜେତା ଟ୍ରଫି ସହ ୮‌ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଏଟିକେର ‌ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଗୋଲ୍‌ଡେନ୍‌ ଗ୍ଲୋଭ୍‌ସ ବିଜେତା ହୋଇଥିଲେ। ଏଫି ଗୋଆର ଆଇଗର୍‌ ଆଙ୍ଗୁଲୋଙ୍କୁ ଗୋଲ୍‌ଡେନ ବୁଟ୍‌ ସମ୍ମାନ ମିଳିଥିଲା। ମୁମ୍ବାଇ ସିଟି ଦଳ କିନ୍ତୁ ଏହି ବିଜୟକୁ ପ୍ରଥମାର୍ଦ୍ଧ ପୂର୍ବରୁ ଆହତ ହୋଇ ହସପିଟାଲ୍‌ରେ ଭର୍ତ୍ତି ହୋଇଥିବା ଆମି ରାନାୱାଡେଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଦଳଗତ ପ୍ରଦର୍ଶନ ପାଇଁ ଏହି ବିଜୟ ସମ୍ଭବ ହେଲା ବୋଲି ମ୍ୟାଚ୍‌ ପରେ କହିଛନ୍ତି ମୁମ୍ବାଇ ସିଟି ଏଫସି ପ୍ରଶିକ୍ଷକ ସର୍ଜିଓ ଲୋବେରା। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଧାନ୍ୟ ପରେ ଏବେ ଆଇଏସ୍‌ଏଲରେ ମୁମ୍ବାଇ ସିଟିର ବିଜୟ ଏହି ମହାନଗରୀକୁ କ୍ରୀଡ଼ାର ଅନ୍ୟତମ ସଫଳ କେନ୍ଦ୍ରଭାବେ ପ୍ରତିଷ୍ଠିତ କରିଛି।

ସମ୍ବନ୍ଧିତ ଖବର