ବିଦେଶୀ ପ୍ରଶିକ୍ଷକଙ୍କୁ ସିଏସିର ନା, ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୁଣି ବଢ଼ିବ

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) କୌଣସି ବିଦେଶୀ ବିଶେଷଜ୍ଞଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରିବା ସପକ୍ଷରେ ନାହିଁ। ସମିତିର ଜଣେ ସଦସ୍ୟ ମଙ୍ଗଳବାର ଏକଥା ସ୍ପଷ୍ଟ କରିଛନ୍ତି। ସେହିଭଳି ବର୍ତମାନର ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତୀୟ କ୍ରିକେଟ୍ ଦଳ ଭଲ କରୁଥିବାରୁ ତାଙ୍କୁ ବଦଳାଇବା ସମିତି ପାଇଁ ସେତେଟା ସହଜ ହେବ ନାହିଁ ବୋଲି ସେ କହିଛନ୍ତି। ଏହି ସଦସ୍ୟଙ୍କ ମତାମତ ପଦାକୁ ଆସିବା ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୁନର୍ବାର ବଢ଼ିବାର ସମ୍ଭାବନା ବଢ଼ି ଯାଇଛି। ଶାସ୍ତ୍ରୀଙ୍କ ସହ ଅଧିନାୟକ ବିରାଟ ‌କୋହଲିଙ୍କର ଦୃଢ଼ ସମର୍ଥନ ମଧ୍ୟ ରହିଛି। କୋହଲିଙ୍କ ରାୟକୁ ସମିତି ସମ୍ମାନ ଦେବ ବୋଲି କପିଳ ନିଜେ ପୂର୍ବରୁ କହି ସାରିଛନ୍ତି। ଏସବୁ ସଙ୍କେତରୁ ଶାସ୍ତ୍ରୀ ତାଙ୍କ ପଦ ବଜାୟ ରଖିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଛି। ତାଙ୍କ କାର୍ଯ୍ୟକାଳ ବିଶ୍ବକପ୍ ପରେ ପରେ ଶେଷ ହେଉଥିଲା। ହେଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ଆଖି ଆଗରେ ରଖି ବିସିସିଆଇ ଏହାକୁ ଆଉ ୪୫ ଦିନ ବଢ଼ାଇଥିଲା। ବିସିସିଆଇର କେ‌ତେକ କର୍ମକର୍ତା ମଧ୍ୟ ଶାସ୍ତ୍ରୀଙ୍କୁ ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ପ୍ରଶିକ୍ଷକ ପଦରେ ରଖିବାକୁ ଚାହୁଁଛନ୍ତି। ‌ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଓ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କୁ ନେଇ କିନ୍ତୁ ସିଏସି କିମ୍ବା‌ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ଦିଆଯାଇନାହିଁ।

ତଥାପି ଦୌଡ଼ରେ ୩ ଯୋଗ୍ୟ ବିଦେଶୀ
ନୂଆଦିଲ୍ଲୀ: ବିଦେଶୀ ପ୍ରଶିକ୍ଷକ ନେବାକୁ ସିଏସି ପରୋକ୍ଷରେ ମନା କରି ଦେଇଥିଲେ ମଧ୍ୟ ୩ ଜଣ ଯୋଗ୍ୟ ଥିଲେ ଦୌଡ଼ରେ। ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଟମ୍ ମୁଡି କିଛି ବର୍ଷ ତଳେ ଅନିଲ କୁମ୍ବଲେଙ୍କଠାରୁ ହାରିଯାଇଥିଲେ ମଧ୍ୟ ଏବେ ପୁଣି ଆବେଦନ କରିଛନ୍ତି। ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଦାୟିତ୍ବକୁ ବିଗତ ୫ ବର୍ଷ ତୁଲାଉଥିବା ମୁଡି ବିସିସିଆଇର ସବୁ ସର୍ତ ପୂରଣ କରୁଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ମାଇକ୍ ହେସେନ୍‌ ମଧ୍ୟ ଆଗ୍ରହ ଦେଖାଇଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ପ୍ରଶିକ୍ଷକ ଥିବା ହେସେନ୍ ଜଣେ ଭଲ ସଂଯୋଜକ ଓ ପରିଚାଳକ ଭାବେ ବିରାଟ କୋହଲିଙ୍କ ପାଇଁ ଫିଟ୍ ରହିବେ ବୋଲି ବିଶ୍ବାସ କରାଯାଉଛି। ଅତୀତରେ ବିରାଟ କୋହଲି ଏବଂ ମାହେଲା ଜୟବର୍ଧନେ ପରସ୍ପରକୁ ପ୍ରଶଂସା କରୁଥିଲେ। ଜଣେ ଭଲ କୁଶଳୀ ଭାବେ ମାହେଲା ଜୟବର୍ଧନେ ମଧ୍ୟ ଶ୍ରୀଲଙ୍କାର ନେତୃତ୍ବ ନେଇଥିଲେ। ଦୀର୍ଘଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସର ସଫଳ ଆଇପିଏଲ୍‌ ଯାତ୍ରାରେ ସେ ଅନ୍ୟତମ କାରିଗର। ସେ ଭାରତୀୟ ଦଳ ପ୍ରଶିକ୍ଷକ ହେଲେ ଖେଳାଳିଙ୍କ ସହିତ ଡ୍ରେସିଂ ରୁମ୍‌ ମଧ୍ୟ ଭିନ୍ନ ବ୍ୟକ୍ତିତ୍ବର ଛାପ ଛାଡ଼ିଯିବ।

ଭାରତର ବୋଲିଂ ପ୍ରଶିକ୍ଷକ ପାଇଁ ଯୋଶୀଙ୍କ ଆବେଦନ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ସୁନୀଲ ଯୋଶୀ ଜାତୀୟ ଦଳର ବୋଲିଂ ପ୍ରଶିକ୍ଷକ ହେବାକୁ ମନ ବଳାଇଛନ୍ତି। ସାଂପ୍ରତିକ ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଜଣେ ସ୍ପିନ୍‌ ବିଶେଷଜ୍ଞଙ୍କ ଆବଶ୍ୟକତା ଅନୁଭବ କରୁଛି ବୋଲି କହିଥିବା ଯୋଶୀ ଭାରତୀୟ ଦଳର ବୋଲିଂ ପ୍ରଶିଷକ ପଦ ପାଇଁ ଆବେଦନ କରିଛନ୍ତି। ୨୦୧୭ରେ ମୁଖ୍ୟ ପ୍ରଶିକ୍ଷକ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରଠାରୁ ଭାରତୀୟ ଦଳ ସହ କେହି ବି ବିଶେଷଜ୍ଞ ସ୍ପିନ୍‌ ପରାମର୍ଶଦାତା ନାହାନ୍ତି ବୋଲି ଯୋଶୀ କହିଛନ୍ତି। ଅଧିକାଂଶ ଆନ୍ତର୍ଜାତିକ ଦଳ ଏବେ ବିଶେଷଜ୍ଞ ସ୍ପିନ୍‌ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ହେଲେ ଭାରତରେ ଏହାର ଅଭାବ ରହିଛି ବୋଲି ଯୋଶୀ କହିଛନ୍ତି। ଯୋଶୀ ବାଂଲାଦେଶ କ୍ରିକେଟ୍‌ ଦଳ ସହ ପ୍ରାୟ ଅଢ଼େଇ ବର୍ଷ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଛନ୍ତି। ଚଳିତ ବିଶ୍ବକପ୍‌ ପରେ ପରେ ତାଙ୍କ ବାଂଲାଦେଶ ଦାୟିତ୍ବ ମଧ୍ୟ ଶେଷ ହୋ‌ଇଛି। ସେ ମଧ୍ୟ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଥିବା କହିଛନ୍ତି। ଏହି ପଦ ମୋ ପାଇଁ ପରବର୍ତୀ ଆହ୍ବାନ ହେବ। ମୋର ଅଭିଜ୍ଞତାକୁ ମନୋନୟନ ପ୍ୟାନେଲ ବିଚାର କରିବ ବୋଲି ଆଶା ବାନ୍ଧିଛନ୍ତି ୪୯ ବର୍ଷ ବୟସ୍କ ଯୋଶୀ। ଆନ୍ତର୍ଜାତିକ ଦଳ ଏବଂ ରଣଜୀ ଦଳର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇବା ପୂର୍ବରୁ ଯୋଶୀ ଭାରତୀୟ କ୍ରିକେଟ୍‌ ଦଳ ପକ୍ଷରୁ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଖେଳିଥିଲେ। ୧୫ ଟେଷ୍ଟ୍‌ରୁ ୩୫.୮୫ ହାରରେ ୪୧ ଏବଂ ସମାନ ସଂଖ୍ୟକ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରୁ ୩୬.୩୬ ହାରରେ ୬୯ ୱିକେଟ୍‌ ଦଖଲ କରିଥିଲେ ଯୋଶୀ। ଏହି କର୍ଣ୍ଣାଟକ କ୍ରିକେଟର୍‌ ୧୬୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୫.୧୨ ହାରରେ ୬୧୫ ୱିକେଟ୍‌ ନିଜ ନାମରେ ରଖିଛନ୍ତି।

ସମ୍ବନ୍ଧିତ ଖବର