ସିଏସ୍‌କେର ୧୩ ସଂକ୍ରମିତ, ୨ ଜଣ ଖେଳାଳି

ରାଜସ୍ଥାନ ରୟାଲ୍‌ସ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ କରୋନା ମୁକ୍ତ

ଦୁବାଇ : ଆଇପିଏଲ୍-୧୩ ଆରମ୍ଭ ହେବା ପୂର୍ବରୁ ଏହି ଚର୍ଚିତ ଲିଗ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସକୁ ଶକ୍ତ ଧକ୍କା ଲାଗିଛି। ଦଳର ଅଧିକାରୀ, ପ୍ରଶିକ୍ଷକ ମଣ୍ଡଳି ଓ ଖେଳାଳିଙ୍କ ମଧ୍ୟରୁ ୧୩ ଜଣ କରୋନା ସଂକ୍ରମିତ ହୋଇଥିବାର ଖବର ଶୁକ୍ରବାର ପଦାକୁ ଆସିଥିଲା ବେଳେ ଶନିବାର ବିସିସିଆଇ ଏହାକୁ ସ୍ବୀକାର କରିଛି। ଏହି ୧୩ ଜଣଙ୍କ ମଧ୍ୟରେ ୨ ଜଣ ଖେଳାଳି ଥିବା ମଧ୍ୟ ବିସିସିଆଇ ଟ୍ବିଟ୍ କରି ସୂଚନା ଦେଇଛି। ଏହି ଦୁଇ ଜଣଙ୍କ ନାଁ ଘୋଷଣା କରାଯାଇନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ହୋଇଥିଲା ବେଳେ ଅନ୍ୟଜଣକ ଦ୍ରୁତ ବୋଲର ବୋଲି ଜଣାପଡ଼ିଛି। ସିଏସ୍‌କେ ଦଳର ଏକାଧିକ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଅନ୍ୟ ଦଳଗୁଡ଼ିକ ଚିନ୍ତାରେ ରହିଛନ୍ତି। ସେପଟେ କରୋନା ସଙ୍କଟ ଭିତରେ ଆଇପିଏଲ୍ ଆୟୋଜନ ହେବା ନେଇ କେତେକ ପୂର୍ବତନ କ୍ରୀଡ଼ାବିତ୍ ତଥା କ୍ରୀଡ଼ା ସଂଗଠକ ପ୍ରଶ୍ନ ଉଠାଇଛନ୍ତି। ହେଲେ ଏଥି‌ନେଇ ବ୍ୟସ୍ତ ହେବାର କିଛି ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ବିସିସିଆଇ ଶନିବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ”ସମସ୍ତ ୧୩ଟି ଯାକ କୋଭିଡ୍-୧୯ ମାମଲା ଗୋଟିଏ ଫ୍ରାଞ୍ଚାଇଜ”। ଏହି ଘଟଣା ପଦାକୁ ଆସିବା ପରେ କିନ୍ତୁ ବିଦେଶୀ ଖେଳାଳିଙ୍କୁ ନେଇ ବିସିସିଆଇ ଚିନ୍ତାରେ ରହିଛି। ବିଦେଶୀ ଖେଳାଳିମାନେ ହୁଏତ ଶେଷ ମୁହୂର୍ତରେ ଲିଗ୍‌ରୁ ଓହରି ଯାଇପାରନ୍ତି ବୋଲି ସଂପୃକ୍ତ ଅଧିକାରୀଜଣକ ମଧ୍ୟ ଆଶଙ୍କା ଜାହିର କରିଛନ୍ତି।

ରାଜସ୍ଥାନ ରୟାଲ୍‌ସ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ କରୋନା ମୁକ୍ତ
ଦୁବାଇ : ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍‌ସ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଦିଶାନ୍ତ ୟାଗ୍ନିକ୍‌ କରୋନା ମୁକ୍ତ ହୋଇଛନ୍ତି। କରୋନା ସଂକ୍ରମଣରୁ ମୁକୁଳିବା ପରେ ସେ ତାଙ୍କ ଦଳ ସହ ଯୋଗ ଦେଇଛନ୍ତି। ଏହି ୩୭ ବର୍ଷ ବୟସ୍କ ୟାଗ୍ନିକ୍‌ ଗତ ୧୨ ତାରିଖରେ ଦଳ ୟୁଏଇ ଯିବା ପୂର୍ବରୁ କରୋନା ସଂକ୍ରମିତ ହୋଇ ପରୀକ୍ଷା କରାଇଥିଲେ। ସେତେବେଳେ ସେ ନିଜ ଘରୋଇ ସହର ରାଜସ୍ଥାନର ଉଦୟପୁରରେ ରହିଥିଲେ। ଯାହାକି ଆଇପିଏଲ୍‌ର କୌଣସି ଫ୍ରାଞ୍ଚାଇଜ୍‌ କରୋନା ସଂକ୍ରମିତ ହେବାରେ ପ୍ରଥମ ମାମଲା ଥିଲା। ହେଲେ ୧୪ ଦିନିଆ ବାଧ୍ୟତାମୂଳକ ସଂଗରୋଧ ସମୟ ମଧ୍ୟରେ ଲଗାତାର ଦୁଇ ଥର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ସେ କରୋନା ମୁକ୍ତ ହୋଇଛନ୍ତି ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଶୁକ୍ରବାର ରାତି‌ରେ ଟ୍ବିଟ୍‌ କରାଯାଇଛି। ଏପରିକି ସେ ଥରେ ଫିଟ୍‌ନେସ୍‌ ପରୀକ୍ଷା ମଧ୍ୟ ଦେଇଛନ୍ତି। ସେ ମଧ୍ୟ ଶନିବାର ପୂର୍ବାହ୍ନରେ ଦୁବାଇ ପହଞ୍ଚିଥିବା ଦଳ ପକ୍ଷରୁ କୁହାଯାଇଛି। ‌‌‌ତେବେ ସେଠାରେ ସେ ୬ ଦିନିଆ ବାଧ୍ୟତାମୂଳକ ଏକାନ୍ତବାସରେ ରହିବେ ଏବଂ ସେଥିମଧ୍ୟରେ ତିନି ଥର ପରୀକ୍ଷାର ସାମ୍‌ନା କରିବେ।

ସମ୍ବନ୍ଧିତ ଖବର