ଚେନ୍ନାଇ: ଚାରି ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ନିଜ ଘରୋଇ ପଡ଼ିଆରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ ଆହତରୁ ମୁକୁଳିଥିବା ‌ସିଏସ୍‌କେର ବିଦେଶୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ଫେରିବାକୁ ଚାହିବସିଛି ସିଏସ୍‌କେ। ଆହତ ଯୋଗୁଁ ଷ୍ଟୋକ୍ସ ୩ଟି ମ୍ୟାଚ୍‌ ଖେଳିପାରିନାହାନ୍ତି। ହେଲେ ବୁଧବାର ସେ ଅଭ୍ୟାସକୁ ଫେରିଛନ୍ତି। ଯଦି କାଲି ତାଙ୍କ ଫିଟ୍‌ନେସ୍‌ ଠିକ୍‌ ରହେ ସେ ‌ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ରାଜସ୍ଥାନ ରୟାଲ୍ସଠୁ କଡ଼ା ସଂଘର୍ଷ କରି ହାରିବା ପରେ ସିଏସ୍‌କେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ତେଣୁ ଇଂଲଣ୍ଡ ଅଧିନାୟକ ଫେରିଲେ ଦଳକୁ ହାଇଦ୍ରବାଦ ବିପକ୍ଷରେ ଅତିରିକ୍ତ ବଳ ମିଳିବ। ଦୁଇ ଓପନର୍‌ ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡ଼ ଭଲ ଆରମ୍ଭ କରୁଥିଲା ବେଳେ ଶିବମ ଦୁବେଙ୍କ ବଡ଼ ସଟ୍‌ ଯୋଗୁଁ ସିଏସ୍‌କେ ଅଧିକ ରନ୍‌ କରିପାରୁଛି। ସେହିପରି ଅଜିଙ୍କ୍ୟ ରାହାଣେ ମଧ୍ୟ ଉପଯୋଗୀ ପାଳି ଖେଳୁଛନ୍ତି। ଚେନ୍ନାଇ ବ୍ୟାଟିଂ ୟୁନିଟ୍‌ ରନ୍‌ କରୁଥିଲା ବେଳେ ବୋଲର ଓ ଫିଲ୍ଡରଙ୍କ ଆଖିଦୃଶିଆ ପ୍ରଦର୍ଶନ ରହୁନଥିବାରୁ ଦଳ ପାଇଁ ଚିନ୍ତା ବଢ଼ାଇଛି। ଆସନ୍ତାକାଲି ସ୍ପିନ୍‌ ତ୍ରିମୂର୍ତ୍ତି ମହେଶ ତୀକ୍ଷ୍‌ଣା, ରବୀନ୍ଦ୍ର ଜାଦେଜା ଓ ମୋଇନ ଅଲୀଙ୍କ ବୋଲିଂ ଭଲ ହେଲେ ଦଳ ପାଇଁ ଜିତିବା ସହଜ ହେବ। ହାଇଦ୍ରାବାଦ ବିପକ୍ଷରେ ସିଏସ୍‌କେ ପୂର୍ବରୁ ୫ ମ୍ୟାଚ୍‌ ଖେଳିଥିଲା ବେଳେ ୪ଟି ଜିତିଛି। ସଂପ୍ରତି ଟେବୁଲରେ ଚେନ୍ନାଇ ୫ରୁ ୩ ଜିତି ୬ ପଏଣ୍ଟ ସହ ତୃତୀୟରେ ରହିଛି।

Advertisment

ଅନ୍ୟପକ୍ଷରେ ହାଇଦ୍ରାବାଦ ତା’ର ବ୍ୟାଟିଂ ୟୁନିଟ୍‌ କମାଲ କରିବା ନେଇ ଆଶା ରଖିଛି। ଏହି ଭାର ଅଧିନାୟକ ଏଦେନ ମାର୍‌କ୍ରମଙ୍କ କାନ୍ଧରେ ରହିବ। ଅନ୍ୟ ବ୍ୟାଟର୍‌ ଯଦି ଚେପକରେ ଭଲ ବ୍ୟାଟିଂ କରନ୍ତି ସିଏସ୍‌କେ ଉପରେ ଏହା ଭାରି ପଡ଼ିବ। ପାୱାର ପ୍ଲେରେ ୱିକେଟ୍‌ ହରାଇବା ଦଳକୁ ପଛରେ ପକାଇଛି। ଏଥିରୁ ବ୍ରାଏନ୍‌ ଲାରାଙ୍କ ପ୍ରଶିକ୍ଷିତ ଏହି ଦଳକୁ ବାହାରିବାକୁ ପଡ଼ିବ। ହାରି ବ୍ରୁକ୍‌ଙ୍କଠୁ ଦଳ ଆଉ ଏକ ବଡ଼ ସ୍କୋର୍‌ ଆଶା ରଖିଛି। ‌ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ସ୍ଥାନୀୟ ଖେଳାଳି ୱାସିଂଟନ ସୁନ୍ଦରଙ୍କୁ ଘରୋଇ ପ୍ରଶଂସକଙ୍କ ସମର୍ଥନ ମିଳିବାର ସମ୍ଭାବନା ଥିବାରୁ ସେ ଭଲ କରିବାର ଆଶା ରହିଛି।