ସମସ୍ୟାରେ ସିଏସ୍‌କେ: ପରବର୍ତ୍ତୀ ମ୍ୟାଚ୍ ଖେଳିବେନି ଏନ୍‌ଗିଡ଼ି ଓ ଜାସନ

ମନ୍ଥର ବୋଲିଂ ପାଇଁ ଧୋନି ଦଣ୍ଡିତ, ଉପରେ ବ୍ୟାଟିଂ କରିବାକୁ ଧୋନିଙ୍କୁ ଗାଭାସ୍କରଙ୍କ ପରାମର୍ଶ

ମୁମ୍ବାଇ: ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଚଳିତ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ନାନା ସମସ୍ୟାର ସମ୍ମୁଖୀନ ହୋଇଛି। ଚର୍ଚ୍ଚିତ ଓ ଲୋକପ୍ରିୟ ଅଧିନାୟକ ମହେନ୍ଦ୍ର ସିଂହ‌ ଧୋନି ଦଳର ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିନପାରିବା ତାଙ୍କ ପ୍ରଶଂସକଙ୍କୁ ବି ନିରାଶ କରିଛି। ସେହିଭଳି ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍‌ର ବଡ଼ ସ୍କୋର କରିବା ସତ୍ତ୍ବେ ବୋଲରଙ୍କ ମାତ୍ରାଧିକ ରନ୍ ବ୍ୟୟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବା ସିଏସ୍‌କେ ପାଇଁ ଆଉ ଏକ ଚିନ୍ତାର କାରଣ ହୋଇଛି। ଦଳର କେତେକ ତାରକା ଖେଳାଳି ଏପର୍ଯ୍ୟନ୍ତ ଆଇପିଏଲ୍ ପାଇଁ ଉପଲବ୍ଧ ନହେବା ମଧ୍ୟ ଏକଦା ଅପ୍ରତିଦ୍ବନ୍ଦ୍ବୀ ଥିବା ସିଏସ୍‌କେକୁ ଋତୁ ଆରମ୍ଭରୁ ଅଡ଼ୁଆରେ ପକାଇଛି। ପ୍ରଥମ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଧୋନି ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ଶେଷ ମୁହୂର୍ତରେ ଆଇପିଏଲ୍‌ରୁ ଓହରି ଯିବା ସହ ତାଙ୍କ ବିକଳ୍ପ ଜାସନ ବେହରେନଡର୍ଫ ଓ ଦକ୍ଷିଣ ଆଫ୍ରିକୀୟ ଲୁଙ୍ଗି ଏନ୍‌ଗିଡ଼ି ଦଳର ପରବର୍ତ୍ତୀ ମ୍ୟାଚ୍ ଲାଗି ଉପଲବ୍ଧ ହେବେ ନାହିଁ ବୋଲି ଜଣାପଡ଼ିଛି। ଆଇପିଏଲ୍‌ ଏବେ ଆଦ୍ୟ ପର୍ବରେ ଥିଲେ ମଧ୍ୟ ଏସବୁ ଅସୁବିଧା ଦୂର ନକଲେ ସିଏସ୍‌କେ ପୁଣି ଥରେ ଗତ ଋତୁ ଭଳି ପ୍ଲେ ଅଫ୍‌କୁ ଯାଇନପାରିବାର ଆଶଙ୍କା ରହିବ। ୟୁଏଇରେ ଖେଳାଯାଇଥିବା ଆଇପିଏଲ୍-୧୩ରେ ଚେନ୍ନାଇ ଅନ୍ୟନ୍ତ ନୈରାଶ୍ୟଜନକ କ୍ରିକେଟ୍ ଖେଳି ସପ୍ତମ ସ୍ଥାନରେ ରହିଥିଲା।

ମନ୍ଥର ବୋଲିଂ ପାଇଁ ଧୋନି ଦଣ୍ଡିତ
ଚଳିତ ଆଇପିଏଲ୍‌ରେ ମନ୍ଥର ବୋଲିଂ କରି ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବାରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମ ଅଧିନାୟକ ହୋଇଛନ୍ତି। ଶନିବାର ରାତିର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ନିର୍ଦ୍ଧାରିତ ସମୟରେ ବୋଲିଂ ‌ଶେଷ କରି ପାରିନଥିଲା। ଫଳରେ ଆଇପିଏଲ୍‌ ଆଚରଣ ସଂହିତା ମୁତାବକ ଅଧିନାୟକ ଭାବେ ଧୋନିଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। ଏହି ବିଷୟ ଆଇପିଏଲ୍ ତରଫରୁ ରବିବାର ପ୍ରେସ୍ ବିଜ୍ଞପ୍ତି ଜାରି କରି କୁହାଯାଇଛି। ହେଲେ ସିଏସ୍‌କେ ନିର୍ଦ୍ଧାରିତ ସମୟରେ କେତେ ଓଭର କମ୍ ବୋଲିଂ କରିଥିଲା, ସେହି ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।
ପରବର୍ତ୍ତୀ ମ୍ୟାଚ୍ ଖେଳିବେନି ଏନ୍‌ଗିଡ଼ି ଓ ଜାସନ
ସିଏସ୍‌କେର ଦ୍ବିତୀୟ ମ୍ୟାଚ୍‌ରେ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡ଼ି ଓ ଜାସନ ବେହେରେନ୍‌ଡର୍ଫ ଖେଳିବେ ନାହିଁ। ଶୁକ୍ରବାର ଜୋସ୍ ହାଜେଲଉଡ୍‌ଙ୍କ ବଦଳ ଖେଳାଳି ଘୋଷିତ ହୋଇଥିବା ବେହେରେନଡର୍ଫ ଏପର୍ଯ୍ୟନ୍ତ ଭାରତ ପହଞ୍ଚି ନାହାନ୍ତି। ଅନ୍ୟପକ୍ଷରେ ଏନ୍‌ଗିଡ଼ିଙ୍କ ସଙ୍ଗରୋଧ ଅବଧି ଆସନ୍ତା ମ୍ୟାଚ୍‌ ପର୍ଯ୍ୟନ୍ତ ପ୍ରାୟତଃ ଶେଷ ହୋଇନଥିବ। ଏନ୍‌ଗିଡ଼ି ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଅଧାରୁ ଆଇପିଏଲ୍ ଖେଳିବା ପାଇଁ ଭାରତ ଆସିଛନ୍ତି। ତେବେ ସଙ୍ଗରୋଧ ଶେଷ ହୋଇ ନଥିବାରୁ ୧୬ ତାରିଖରେ ମୁମ୍ବାଇରେ ଖେଳାଯିବାକୁ ଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ବୋଲି ସିଏସ୍‌କେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ଫଳରେ ଏହି ମ୍ୟାଚ୍‌ରେ ମଧ୍ୟ ସିଏସ୍‌କେର ବୋଲିଂ ଭାର ଦୀପକ ଚହର, ସାମ୍ କରନ ଓ ଶାର୍ଦୁଳ ଠାକୁରଙ୍କ ଉପରେ ନିର୍ଭରଶୀଳ ରହିବ।
ଉପରେ ବ୍ୟାଟିଂ କରିବାକୁ ଧୋନିଙ୍କୁ ଗାଭାସ୍କରଙ୍କ ପରାମର୍ଶ
ଦୀର୍ଘ ବ୍ୟବଧାନ ପରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରି ନିଜ ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିପାରିନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ କ୍ରିକେଟ୍ କିଂବଦନ୍ତି ସୁନିଲ ଗାଭାସ୍କର ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଏହି ମ୍ୟାଚ୍‌ର ଷୋଡ଼ଶ ଓଭରରେ ମାତ୍ର ଦୁଇଟି ବଲ୍ ଖେଳି ଅଭେସ ଖାନ୍‌ଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହୋଇଥିବା ଧୋନି ଉପରେ ଖେଳନ୍ତୁ ବୋଲି ଗାଭାସ୍କର ଆହ୍ବାନ କରିଛନ୍ତି। ଲିଟିଲ ମାଷ୍ଟର ଭାବେ ପରିଚିତ ଗାଭାସ୍କର କହିଛନ୍ତି ଯେ ସେ (ଧୋନି) ସମ୍ଭବତଃ ଭାବୁଛନ୍ତି ଯେ କେବଳ ଶେଷ ଚାରି ପାଞ୍ଚ ଓଭରରେ ବ୍ୟାଟିଂ କରିବେ। ହେଲେ ମୁଁ ଭାବୁଛି ଦଳକୁ ସେ ମାର୍ଗଦର୍ଶନ ଦେବା ଜରୁରୀ। ତାଙ୍କ ପାଖରେ ଏବର୍ଷ ଏକ ଯୁବ ଦଳ ରହିଛି। ସେଥିମଧ୍ୟରୁ କେତେକ ଖେଳାଳି ପୂରା ନୂଆ। ଅନ୍ତର୍ଜାତୀୟ କ୍ରି‌କେଟ୍ ଦୃଷ୍ଟିକୋଣରୁ ସାମ୍ କରନ୍‌ଙ୍କର ମଧ୍ୟ ବିଶେଷ ଅଭିଜ୍ଞତା ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅବଶ୍ୟ କରନ୍‌ ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କୁ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ବ୍ୟାଟିଂ କରାଯାଇପାରେ। ଧୋନି ନିଜେ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ଆସି ଅନ୍ୟମାନଙ୍କୁ ବାଟ ଦେଖାଇଲେ ଭଲ। ସୂଚନାଯୋଗ୍ୟ ଯେ ଆଇପିଏଲ୍ ଇତିହାସରେ ଧୋନି ଚତୁର୍ଥ ଥର ପାଇଁ ଶୂନରେ ଆଉଟ୍ ହୋ‌ଇଥି‌ଲେ। ୨୦୧୫ ଆଇପିଏଲ୍ ଏବଂ ୧୦୮ ଟ୍ବେଣ୍ଟି-୨୦ ମ୍ୟାଚ୍ ପରେ ମଧ୍ୟ ଏହା ତାଙ୍କର ପ୍ରଥମ ବତକ (ଶୂନରେ ଆଉଟ୍ ହେବା) ଥିଲା।

ସମ୍ବନ୍ଧିତ ଖବର