ହାଇଦ୍ରାବାଦ ଆଗରେ ୧୬୮ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦ ଆଗରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା । ଓପନର ଫାଫ୍ ଡୁ ପ୍ଲେସିସ୍  କୌଣସି ରନ ନ କରି ଆଉଟ ହୋଇଯାଇଥିଲେ । ତେବେ ସାମ କୁରାନ ଓ ସେନ ଓ୍ବାଟସନ ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିବା ସହ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କୁରାନ ୩୧ ରନ କରିଥିବାବେଳେ ଓ୍ବାଟସନ ୪୨ ରନ କରିଥିଲେ । କୁରାନ ଆଉଟ ହେବା ପରେ ଆସିଥିବା ଅମ୍ବାତି ରାଇଡୁ ୪୧ ରନ କରିଥିଲେ । ଅଧିନାୟକ ମହେନ୍ଦ୍ର ସିଂ ଧୋନି  ୨୧ ରନ  ଓ ରବୀନ୍ଦ୍ର ଜାଦେଜା ୨୫ ରନ କରିଥିଲେ । ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୬୭ରନ କରିପାରିଥିଲା ।

ଚଳିତ ଆଇପିଏଲରେ ପୂର୍ବରୁ ତିନି ଥର ଆଇପିଏଲ ଚାମ୍ପିୟନ ହୋଇଥିବା ଚେନ୍ନାଇ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୫ଟି ପରାଜୟ ସହ ମାତ୍ର ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ହାଇଦ୍ରାବାଦ ଦଳ ୭ଟି ମ୍ୟାଚ ଖେଳି ୩ଟି ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇ  ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର