ଜୟପୁର: ଚଳିତ ଆଇପିଏଲ୍‌ରେ ଲଗାତାର ଦ୍ବିତୀୟ ଥର ପାଇଁ ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପରାଜିତ ହୋଇଛି। ପରସ୍ପର ପ୍ରଥମ ମୁକାବିଲାରେ ସିଏସ୍‌କେକୁ ୩ ରନ୍‌ରେ ହରାଇଥିବା ରାଜସ୍ଥାନ ରୟାଲ୍ସ ଗୁରୁବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ୩୨ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ କରିଥିଲା। ଜବାବରେ ସିଏସ୍‌କେ ପାଳି ୧୭୦/୬ରେ ଅଟକି ଯାଇଥିଲା। ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଫେରିଛି। ରାଜସ୍ଥାନ, ଗୁଜରାଟ ଓ ‌ସିଏସ୍‌କେ ମିଳିତ ଭାବେ ସମାନ ୧୦ ପଏଣ୍ଟ ଲେଖାଏଁ ପାଇଥିଲା ବେଳେ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଛନ୍ତି।

Advertisment

୨୦୩ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍‌କେ ପାଇଁ ରନ୍‌ ବାହାର କରିବାରେ ସମସ୍ୟା ହେଉଥିଲା। ସନ୍ଦୀପ ଶର୍ମା ଓ କୁଲଦୀପ ୟାଦବ ସିଏସ୍‌କେ ବ୍ୟାଟରଙ୍କୁ ହାତଖୋଲା ସଟ୍‌ ଖେଳିବାକୁ ସୁଯୋଗ ଦେଇନଥିଲେ। ଯାହାଫଳରେ ପାୱାରପ୍ଲେରେ ମାତ୍ର ୪୨ ରନ୍‌ ସଂଗ୍ରହ କରିବା ପରେ ଡେଭନ କନୱେ ଆଉଟ୍‌ ହୋଇଯାଇଥିଲେ। ତଥାପି ରକ୍ଷଣାତ୍ମକ ଖେଳି ଅର୍ଦ୍ଧଶତକଠୁ ୩ ରନ୍‌ ଦୂରରେ ଥିଲା ବେଳେ ଋତୁରାଜ ଗାଏକ୍ବାଡଙ୍କୁ ଆଦାମ ଜାମ୍ପା ଦ୍ବିତୀୟ ଶିକାର କରିଥିଲେ। ଅଜିଙ୍କ୍ୟ ରାହାଣେ ଓ ଅମ୍ବାତି ରାୟୁଡୁଙ୍କୁ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଓଭରରେ ଆଉଟ୍‌ କରିବାରୁ ଦଳ ଚାପରେ ରହିଯାଇଥିଲା। ତଥାପି ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ସଂଘ‌ର୍ଷ କରି ୨୯ ବଲ୍‌ରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ।

ଜୟସ୍ବାଲ୍‌ଙ୍କ ଛକା, ଚୌକା ବର୍ଷା

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସଞ୍ଜୁ ସାମସନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲ୍‌ ଓ ଜୋସ୍‌ ବଟଲର୍‌ ଆରମ୍ଭରୁ ଦ୍ରୁତ ରନ୍‌ ବାହାର କରି ଦଳକୁ ଦୃଢ ମୂଳଦୁଆ ଦେଇଥିଲେ। ଉଭୟ ପାୱାରପ୍ଲେରେ ୬୪ ରନ୍‌ ଉଠାଇଥିଲା ବେଳେ ମାତ୍ର ୨୬ ବଲ୍‌ରୁ ୫୦ ରନ୍‌ ଯୋଡ଼ିଥିଲେ। ଜୟସ୍ବାଲ୍‌ ଚଳିତ ଆଇପିଏଲ୍‌ର ତୃତୀୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଆକାଶ ସିଂହ, ତୁଷାର ଦେଶପାଣ୍ଡେ ଓ ମହେଶ ତୀକ୍ଷ୍‌ଣାଙ୍କୁ ଏହି ଦୁଇ ରୟାଲ୍ସ ବ୍ୟାଟର ନିସ୍ତୁକ ପ୍ରହାର କରିବା ପରେ ନବମ ଓଭରରେ ରବୀନ୍ଦ୍ର ଜାଦେଜା ଯୋଡ଼ି ଭାଙ୍ଗିଥିଲେ। ବଟଲର (୨୭) ଆଉଟ୍‌ ହେବା ପରେ ୧୪ତମ ଓଭରରେ ତୁଷାର ଦେଶପାଣ୍ଡେ ସିଏସ୍‌କେକୁ ଦ୍ବୈତ ସଫଳତା ଦେଇଥିଲେ। ସେ ପ୍ରଥମ ବଲ୍‌ରେ ସଞ୍ଜୁ ସାମସନ୍‌ (୧୭) ଓ ପଞ୍ଚମ ବଲ୍‌ରେ ଜୟସ୍ବାଲ୍‌ (୭୭)ଙ୍କୁ ଆଉଟ୍‌ କରିଥିଲେ। ଜୟସ୍ବାଲ୍‌ଙ୍କ ପାଳିରେ ୮ ଚୌକା ଓ ୪ ଛକା ସାମିଲ ଥିବାରୁ କେବଳ ବାଉଣ୍ଡରିରୁ ହିଁ ୫୬ ରନ୍‌ ସଂଗ୍ରହ କରିଥି‌ଲେ। ଜୟସ୍ବାଲ ୨୬ ବଲ୍‌ରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସିମ୍ରନ ହେଟମାୟର (୮) ମଧ୍ୟ ତୀକ୍ଷ୍‌ଣାଙ୍କ ଶିକାର ହେବାରୁ ରନ୍‌ ଗତି ପୂର୍ବାପେକ୍ଷା ଧିମେଇ ଯାଇଥିଲା। ତଥାପି ଧ୍ରୁବ ଜୁରେଲ୍‌ ଓ ଦେବିଦତ୍ତ ପଡ଼ିକଲ୍‌ ଡେଥ୍‌ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋର୍‌ ୨୦୦ ପାର୍‌ କରାଇଥିଲେ।