ବେଙ୍ଗାଲୁରୁ: ଡେଭନ୍‌ କନୱେ ଓ ଶିବମ ଦୁବେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କୁ ରୋମାଞ୍ଚକ ଭାବେ ୮ ରନ୍‌ରେ ପରାସ୍ତ କରିଛି। ସୋମବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୬ ୱିକେଟ୍‌ ବିନିମୟରେ ଆହ୍ବାନଭରା ୨୨୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ ମ୍ୟାକ୍ସୱେଲ୍‌ ଓ ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ଆର୍‌ସିବି ୨୧୮/୮ରେ ଅଟକିଯାଇଥିଲା। ଉଭୟ ପାଳିରୁ ୫୮ ବାଉଣ୍ଡରି ସହିତ ମୋଟ ୪୪୪ ରନ୍‌ ଦେଖିଥିଲେ ଚିନ୍ନାସ୍ବାମୀ ଦର୍ଶକ।

Advertisment

ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସିଏସ୍‌କେ ପାଇଁ ଋତୁରାଜ ଗାଏକ୍ବାଡ ଏକମାତ୍ର ଖେଳାଳି ଭାବେ ନିରାଶ କରିଥିଲେ। ତୃତୀୟ ଓଭରରେ ସେ ଆଉଟ୍‌ ହେବା ପରେ ଡେଭନ୍‌ କନୱେ ଓ ଅଜିଙ୍କ୍ୟ ରାହାଣେ ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ରନ୍‌ ବାହାର କରି ୭୪ ରନ୍‌ ଯୋଡ଼ିଥିଲେ। ରାହାଣେ ଆଉଟ୍‌ ହେବା ପରେ ଶିବମ ଦୁବେଙ୍କୁ ସାଥୀ କରି ‌କନୱେ ଦଳକୁ ୧୭୦ରେ ପହଞ୍ଚାଇଥିଲେ। କିନ୍ତୁ ଶତକ ଆଡ଼କୁ ଅଗ୍ରସର ହେଉଥିଲେ ବି କନୱେ ୧୭ ରନ୍‌ ଦୂରରେ ଥିବାବେଳେ ହର୍ଷଲ ପଟେଲ୍‌ ତାଙ୍କୁ ବୋଲ୍ଡ କରି‌ଦେଇଥିଲେ। ୨୫ ବଲ୍‌ରୁ ଅର୍ଦ୍ଧଶତକ କରିଥିବା ଦୁବେ ସ୍ଲଗ୍‌ ଓଭରରେ ଦ୍ରୁତ ରନ୍‌ ବାହାର କରିବାକୁ ଯାଇ ଡିପ୍‌ ମିଡ୍‌ ୱିକେଟ୍‌ରେ ଧରାପଡ଼ିଥିଲେ। ଅମ୍ବାତି ରାୟୁଡୁ ମଧ୍ୟ ‌ଗୋଟିଏ ଲେଖାଏଁ ଛକା, ଚୌକା ମାରି ଦଳକୁ ୨୦୦ ନିକଟତର କରାଇବା ପରେ ଆଉଟ୍‌ ହୋଇଥିଲେ। ଶେଷ ଓଭରରେ ତିନୋଟି ବଲ୍‌ ମଧ୍ୟରେ ହର୍ଷଲ ପଟେଲ୍‌ ଦୁଇଟି ବିମର ମାରିବାରୁ ତାଙ୍କୁ ଆଉ ବୋଲିଂ କରିବାକୁ ଅମ୍ପାୟାର ଅନୁମତି ଦେଇନଥିଲେ। ପ୍ରଥମ ବିମରରୁ ମିଳିଥିବା ଫ୍ରି ହିଟ୍‌ର ଫାଇଦା ଉଠାଇ ପାରିନଥିଲେ ମୋଇନ୍‌ ଅଲ୍ଲୀ।

ଦ୍ବିତୀୟ ବିମର ପରେ କାମଚଳା ଅଧିନାୟକ ମ୍ୟାକ୍ସୱେଲ୍‌ ପରବର୍ତ୍ତୀ ବଲ୍‌ଗୁଡ଼ିକୁ ବୋଲିଂ କରିଥିଲା ବେଳେ ଫ୍ରି ହିଟ୍‌ରେ ରବୀନ୍ଦ୍ର ଜାଦେଜା ଛକା ମାରିବା ପରେ ଚତୁର୍ଥ ବଲ୍‌ରେ ପୁଣି ଛକା ମାରିବାକୁ ପ୍ରୟାସ କରି ଲଙ୍ଗ ଅନ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ପଞ୍ଚମ ବଲ୍‌ରେ ‌ଧୋନି ଷ୍ଟ୍ରାଇକ୍‌ ନେଇଥିଲେ ବି ମାତ୍ର ୧ ରନ୍‌ ନେବାରୁ ଆଉ ବଡ଼ ରନ୍‌ ବାହାରିନଥିଲା। ତଥାପି ୨୨୬ ରନ୍‌ ଚଳିତ ଆଇପିଏଲ୍‌ରେ ସିଏସ୍‌କେ ପାଇଁ ଦ୍ବିତୀୟ ସର୍ବୋଚ୍ଚ ସ୍କୋର ହୋଇଥିଲା। ମୋଟ ଉପରେ ଏହା କିନ୍ତୁ ତୃତୀୟ ସର୍ବୋଚ୍ଚ ସ୍କୋର ହୋଇଥିଲା। ପୂର୍ବରୁ ଚେନ୍ନାଇ ୨୪୬/୫ (୨୦୧୦) ଓ ୨୪୦/୫ (୨୦୦୮) ‌ସ୍କୋର ରହିଥିଲା।

ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆର୍‌ସିବି ପ୍ରଥମ ଦୁଇ ଓଭର ଭିତରେ ବିରାଟ କୋହଲି ଓ ମହିପାଲ୍‌ ଲୋମରର୍‌ଙ୍କୁ ହରାଇଥିଲା। ଏହାପରେ କିନ୍ତୁ ଡୁପ୍ଲେସିସ୍‌ ଓ ମ୍ୟାକ୍ସୱେଲ୍‌ ତୃତୀୟ ୱିକେଟ୍‌ରେ ୧୨୬ ରନ୍‌ ଯୋଡ଼ିଥିଲେ। ଚଳିତ ଆଇପିଏଲ୍‌ରେ ଏହା ସପ୍ତମ ଶତକୀୟ ଭାଗୀଦାରି ହୋଇଥିଲେ। ଏହି ଯୋଡ଼ି ଦ୍ବିତୀୟ ଶତକୀୟ ଭାଗୀଦାରି କରିଥିଲେ। ପୂର୍ବରୁ ଲକ୍ଷ୍ନୌ ବିପକ୍ଷରେ ଉଭୟ ୧୧୫ ରନ୍‌ ଭାଗୀଦାରି କରିଥିଲେ। ପାଖାପାଖି ୧୨.୦୦ ହାରରେ ରନ୍‌ ବାହାର କରୁଥିଲା ବେଳେ ତୀକ୍ଷଣା ଓ ମୋଇନ୍‌ ଏହି ଯୋଡ଼ିକୁ ପ୍ୟାଭିଲିୟନ୍‌ ଫେରାଇଥିଲେ। ଉଭୟଙ୍କ ୱିକେଟ୍‌ ଯିବା ପରେ ରନ୍‌ ଗତିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସିଏସ୍‌କେ ପାଇଁ ତୁଷାର ଦେଶପାଣ୍ଡେ ସର୍ବାଧିକ ୩ ୱିକେଟ୍‌ ନେଇଥିଲେ।