ଚେନ୍ନାଇ : କରୋନା ସଂକ୍ରମଣକୁ ନେଇ କିଛି ଦିନର ପଶ୍ଚାତ୍ତାପ ପରେ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଖେଳିବାକୁ ୟୁଏଇରେ ଅବସ୍ଥାନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଶିବିରରେ ମଙ୍ଗଳବାର ଆଶ୍ବସ୍ତିକର ଖବର ମିଳିଛି। ଗତ ସପ୍ତାହରେ କରୋନା ପଜିଟିଭ୍ ବାହାରିଥିବା ୧୩ ଜଣଙ୍କ ବ୍ୟତୀତ ଏହାର ସମସ୍ତ ଖେଳାଳି ଏବଂ ସହଯୋଗୀ ଷ୍ଟାଫ୍ଙ୍କ ସଦ୍ୟ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଦଳର ସିଇଓ କାଶି ବିଶ୍ବନାଥନ୍। ବିଶେଷକରି ଦୁଇ ଖେଳାଳି ଦୀପକ ଚହର ଏବଂ ଋତୁରାଜ ଗାଏକ୍ବାଡଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସିଏସ୍କେ ଶିବିରରେ ନୈରାଶ୍ୟ ଭାବ ଦେଖାଦେଇଥିଲା। ପୁଣି ବ୍ୟକ୍ତିଗତ କାରଣ ଦର୍ଶାଇ ପୁରୁଖା ଅଲ୍ରାଉଣ୍ଡର ସୁରେଶ ରାଇନାଙ୍କ ସ୍ବଦେଶ ପ୍ରତ୍ୟାବର୍ତନ ସାମାଜିକ ଗଣମାଧ୍ୟମରେ ଗତ କିଛି ଦିନ ଧରି ଚର୍ଚ୍ଚା ଜାରି ରହିଥିଲା। ତଥାପି ଆଉ ଆଗକୁ ସେଭଳି କିଛି ସମସ୍ୟା ଉପୁଜିବ ନାହିଁ ବୋଲି ସିଏସ୍କେ ଶିବିର ଆଶାବାଦୀ ଥିଲା। ଇତି ମଧ୍ୟରେ ସବୁ ଖେଳାଳି ଓ ସହଯୋଗୀ ଷ୍ଟାଫ୍ଙ୍କ ପରୀକ୍ଷା ରିପୋର୍ଟ ଉତ୍ସାହଜନକ ରହିଛି। ସୋମବାର ପରୀକ୍ଷାରେ ଚହର ଓ ଗାଏକ୍ବାଡଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ତେବେ ପରବର୍ତୀ ତଥା ଶେଷ ପରୀକ୍ଷା ଆସନ୍ତା ୩ ତାରିଖରେ ହେବ। ଯଦି ସମସ୍ତେ ସେହି ବାଧା ଅତିକ୍ରମ କରିଯାଆନ୍ତି, ତାହାଲେ ସେପ୍ଟେମ୍ବର ୪ ତାରିଖରୁ ପଡ଼ିଆରେ ଅଭ୍ୟାସ ପାଇଁ ଖେଳାଳି ଓ ଷ୍ଟାଫ୍ମାନଙ୍କୁ ଅନୁମତି ମିଳିଯିବ ବୋଲି ଦୁବାଇରୁ ସୂଚନା ଦେଇଛନ୍ତି ବିଶ୍ବନାଥନ୍। ଉଭୟ ଚହର ଓ ଋତୁରାଜ ସେମାନଙ୍କ ୧୪ ଦିନିଆ ସଂଗରୋଧ ସମୟ ପୂର୍ଣ୍ଣ କରିବା ପରେ ପ୍ରୋଟୋକଲ ଅନୁଯାୟୀ ଦୁଇଟି ପରୀକ୍ଷାରେ ନେଗେଟିଭ୍ ଆସିଲେ ପ୍ରଶିକ୍ଷଣ ଶିବିରରେ ଦଳ ସହ ଯୋଗଦେବେ। ସେହିପରି ପଜିଟିଭ୍ ଥିବା ସମସ୍ତ ୧୩ ଜଣଯାକ ସେମାନଙ୍କ ସଂଗରୋଧ ସମୟ ଶେଷ ହେଲା ପରେ କରୋନା ପରୀକ୍ଷାର ସମ୍ମୁଖୀନ ହେବେ। ଏଭଳି ପରିସ୍ଥିତିରେ ସିଏସ୍କେ ମଧ୍ୟ ରାଇନାଙ୍କ ବଦଳ ଖେଳାଳି ନେଇ କିଛି ସ୍ପଷ୍ଟ କରିନି।
ଅନ୍ୟପକ୍ଷରେ ତାରକା ସ୍ପିନର ହରଭଜନ ସିଂହ ଏବେ ବି ୟୁଏଇ ପହଞ୍ଚିବାକୁ ସ୍ଥଗିତ ରଖିଛନ୍ତି। ସେ କେବେ ପହଞ୍ଚିବେ ନା ପୂରା ପ୍ରତିଯୋଗିତାରୁ ଓହରିଯିବେ ସେନେଇ ମଧ୍ୟ କିଛି ସ୍ପଷ୍ଟ କରିନାହାନ୍ତି। ହେଲେ ସିଏସ୍କେ କର୍ତୃପକ୍ଷ ହରଭଜନଙ୍କ ଅଭିଜ୍ଞତା ଉପରେ ବିଶ୍ବାସ ରଖିଛନ୍ତି। ସେ ନିଶ୍ଚିତ ୟୁଏଇ ପହଞ୍ଚିବେ ବୋଲି ଆଶାବାଦୀ ରହିଛି। ଆଗାମୀ କିଛି ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଆମେ ଆଶା ରଖିଛୁ ଏବଂ ଆଇପିଏଲ୍-୧୩ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସମର୍ଥ ହେବୁ ବୋଲି ସିଏସ୍କେ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/CSK-PTIjpg.jpg)