ଦୁବାଇ : ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଖେଳିବା ପାଇଁ ସଂପ୍ରତି ୟୁଏଇ ଗସ୍ତରେ ଥିବା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳକୁ ଅଭ୍ୟାସ ଆରମ୍ଭ ପୂର୍ବରୁ ଶକ୍ତ ଝଟ୍କା ଲାଗିଛି। ବିସିସିଆଇର ପ୍ରୋଟୋକଲ ଅନୁଯାୟୀ ବାଧ୍ୟତାମୂଳକ ୬ ଦିନିଆ ସଂଗରୋଧ ସମୟ ବିତାଇବା ପରେ ଦଳ ଶୁକ୍ରବାରଠାରୁ ଦୁବାଇରେ ଅଭ୍ୟାସ ଆରମ୍ଭ କରିଥା'ନ୍ତା। ହେଲେ ଏହାର କେତେକ ସଦସ୍ୟଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଅଭ୍ୟାସ ଆରମ୍ଭ ବିଳମ୍ବିତ ହେବା ସ୍ପଷ୍ଟ ହୋଇଯାଇଛି। ତେବେ ଦଳର କେତେଜଣ ଓ କିଏ କିଏ ପଜିଟିଭ୍ ଆସିଛନ୍ତି ସେନେଇ ସିଏସ୍କେ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତଥାପି ନିକଟରେ ଭାରତୀୟ ଦଳରୁ ଖେଳିଥିବା ଜଣେ ଡାହାଣ ହାତୀ ମଧ୍ୟମଗତି ବୋଲରଙ୍କ ସାଙ୍ଗକୁ କେତେକ ଷ୍ଟାଫ୍ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସିଏସ୍କେ ମ୍ୟାନେଜମେଣ୍ଟ୍ର ଜନୈକ ବରିଷ୍ଠ ଅଧିକାରୀ ଓ ତାଙ୍କ ପତ୍ନୀ ଏବଂ ସିଏ୍କେର ସାମାଜିକ ଗଣମାଧ୍ୟମ ଦଳର ଦୁଇ ଜଣ ସଦସ୍ୟଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ଆଇପିଏଲ୍ର ଜଣେ ବରିଷ୍ଠ ଅଧିକାରୀ। ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀଙ୍କ ନାମ ଏପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍ ପକ୍ଷରୁ ଖୋଲି କୁହାଯାଇନାହିଁ। ହେଲେ ଦୁବାଇରେ ପହଞ୍ଚିବା ପରେ କେତେକଙ୍କ ପରୀକ୍ଷା ପଜିଟିଭ୍ ଆସିଥିବା ନିଶ୍ଚିତ ହୋଇଛି। ଯାହା ଫଳରେ ସିଏସ୍କେର ସଂଗରୋଧ ସମୟକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରାଯାଇଛି। ସିଏସ୍କେ ଅଗଷ୍ଟ ୨୧ ତାରିଖରେ ଦୁବାଇରେ ପହଞ୍ଚିଥିଲା ଏବଂ ସେଠାରେ ୬ ଦିନିଆ ବାଧ୍ୟତାମୂଳକ ସଂଗରୋଧ ସମୟ ବିତାଇଥିଲା। ଏହି ସମୟ ମଧ୍ୟରେ ସପୋର୍ଟ ଷ୍ଟାଫ୍ ଓ ଅଧିକାରୀଙ୍କ ସହିତ ପୂରା ଦଳ ଶୁକ୍ରବାର ଚତୁର୍ଥ କୋଭିଡ୍ ପରୀକ୍ଷା କରିଥିଲା। ୟୁଏଇରେ ପହଞ୍ଚିବା ପରେ ଏବଂ ଅଭ୍ୟାସ ଆରମ୍ଭ ପୂର୍ବରୁ ବିସିସିଆଇ ୬ ଦିନିଆ ସଂଗରୋଧ ସମୟ ମଧ୍ୟରେ ତିନି ଥର ପରୀକ୍ଷା ବାଧ୍ୟତାମୂଳକ କରିଥିଲା। ହେଲେ ସିଏସ୍କେ ଚତୁର୍ଥ ଥର ପରୀକ୍ଷା କରିଛି ଏବଂ ଏହାର ରିପୋର୍ଟ ଶନିବାର ଜଣାପଡ଼ିବ। ଏହା ପୂର୍ବରୁ କେତେକ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ଏବେ ଦଳକୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ସଂଗରୋଧରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ସିଏସ୍କେ କିନ୍ତୁ ଦୁବାଇ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ତଥାପି ପଜିଟିଭ୍ ରିପୋର୍ଟ ଆସିବା ଦଳକୁ କିଛିଟା ଅଡୁଆରେ ପକାଇଦେଇଛି। ଆଇପିଏଲ୍-୧୩ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ।
ଏଠାରେ ସୂଚନାଯୋଗ୍ୟ, ୟୁରୋପରେ ଯେତେବେଳେ ଫୁଟ୍ବଲ୍ ପ୍ରତିଯୋଗିତା ଆରମ୍ଭ ହେଲା, ସେତେବେଳେ ବି କିଛି ଖେଳାଳିଙ୍କ କରୋନା ପରୀକ୍ଷା ପଜିଟିଭ୍ ଆସିଥିଲା। ତେଣୁ ଆଇପିଏଲ୍ରେ ୮ ଦଳ ଭାଗ ନେଉଥିବାରୁ ଏବଂ ସେମାନଙ୍କ ମୋଟ ସଦସ୍ୟ ସଂଖ୍ୟା ୧୦୦୦ରୁ ଅଧିକ ଥିଲା ବେଳେ କରୋନା ପଜିଟିଭ୍ ଆସିବା ସମ୍ଭାବନା ହିଁ ଥିଲା। ଏହା ଯେ କୌଣସି ଦଳ ପାଇଁ ଘଟିପାରେ। ହେଲେ ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ପ୍ରଥମେ ସିଏସ୍କେ ଏହାର ଶିକାର ହେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/1-CSK.jpg)