ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଆଇପିଏଲ୍‌ର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ପୂର୍ବରୁ ପ୍ରଚଳିତ ଗତ ସଂସ୍କରଣ ବିଜେତା ଓ ଉପବିଜେତା ଦଳ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଏଥର ଦେଖିବାକୁ ମିଳିବନି। ପ୍ରଥମ ମ୍ୟାଚ୍‌ରେ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମୁହାଁମୁହିଁ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ସିଏସ୍‌କେ ନିଜର ପ୍ରଥମ ମ୍ୟାଚ୍‌ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳିବ।

Advertisment

ଲୋକସଭା ନିର୍ବାଚନକୁ ନଜରରେ ରଖି ଗୁରୁବାର ବିସିସିଆଇ ଆଇପିଏଲ୍‌ର ଆଂଶିକ ସୂଚୀ ପ୍ରକାଶ କରିଛି। ନିର୍ବାଚନ ତାରିଖ ଘୋଷଣା ପରେ ପୂରା ସୂଚୀ ପ୍ରକାଶ କରିବ ବୋଲି ବିସିସିଆଇ କହିଛି। ଏବେ ୧୭ ଦିନ ଲାଗି ଘୋଷିତ ସୂଚୀରେ ୨୧ ମ୍ୟାଚ୍‌ ରହିଛି। ୧୦ ସହରରେ ଏହି ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଏହା ମଧ୍ୟରେ ପ୍ରତ୍ୟେକ ଦଳ ଅତିକମ୍‌ରେ ୩ ଓ ବେଶୀରେ ୫ ମ୍ୟାଚ୍‌ ଖେଳିବେ। ପ୍ରଥମ ସପ୍ତାହାନ୍ତରେ ଦୁଇଟି ଯୁଗଳ ମୁକାବିଲା ରହିଛି। ଶନିବାର ଅପରାହ୍ଣରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାତିରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁକାବିଲା କରିବେ। ମାର୍ଚ୍ଚ ୨୪ ରବିବାର ଅପରାହ୍ଣରେ ରାଜସ୍ଥାନ ରୟାଲ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ରାତିରେ ଉପବିଜେତା ଗୁଜରାଟ ଟାଇଟାନ୍ସ ଓ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌‌ ଖେଳାଯିବ।

ଓହରିଲେ ସାମି
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଆହତ ‌ଯୋଗୁଁ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଡାହାଣ ଗୋଇଠିରେ ଆଘାତ ଲାଗିଥିବାରୁ ସେ ବ୍ରିଟେନ୍‌ରେ ଅସ୍ତ୍ରୋପଚାର କରାଇବେ। ୩୩ ବର୍ଷୀୟ ସାମି ସଂପ୍ରତି ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଜାତୀୟ ଦଳରେ ନାହାନ୍ତି। ଶେଷ ଥର ଲାଗି ସେ ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଜାନୁଆରି ଶେଷ ସପ୍ତାହରେ ସେ ଇଂଲଣ୍ଡରେ ରହି ଏହାର ଚିକିତ୍ସା କରାଇଥିଲେ। ଏଥିପାଇଁ ଗୋଟିଏ ବିଶେଷ ଇଞ୍ଜେକସନ୍‌ ଗୋଇଠିରେ ନେଇଥିଲେ। ଏହି ସମୟରେ ତାଙ୍କୁ ୩ ସପ୍ତାହରେ ହାଲ୍‌କା ଦୌଡ଼ି ପାରିବ ବୋଲି କୁହ‌ାଯାଇଥିଲା। କିନ୍ତୁ ଇଞ୍ଜେକସନ୍‌ଟି କାମ ନକରିବାରୁ ତାଙ୍କର ଅସ୍ତ୍ରୋପଚାରର ଆବଶ୍ୟକ ଅଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। କିଛି ଦିନ ତଳେ ଅର୍ଜୁନ ପୁରସ୍କାର ପାଇଥିବା ସାମି ୨୨୯ ଟେଷ୍ଟ୍‌, ୧୯୫ ଦିନିକିଆ ଓ ୨୪ ଟ୍ବେଣ୍ଟି-୨୦ ୱିକେଟ୍‌ ଅକ୍ତିଆର କରିଛନ୍ତି।