କୋଲ୍କାତା: ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ରବିବାର ରାତିରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ୩୫ତମ ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୪୯ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ୨୩୬ ରନ୍ର ବିଜୟ ଲକ୍ଷ୍ୟ ଛାଡ଼ିଥିବା ସିଏସ୍କେ ବୋଲରଙ୍କ ବଳରେ କେକେଆର୍ ପାଳିକୁ ୧୮୬/୮ରେ ଅଟକାଇ ଦେଇଥିଲା। ଫଳରେ ଆରମ୍ଭରୁ ଝୁଣ୍ଟିଥିବା କେକେଆର୍ ବିଜୟଠୁ ୪୯ ରନ୍ ଦଳରରେ ରହିଯାଇଥିଲା। ଦଳୀୟ ସ୍କୋର୍ ମାତ୍ର ୧ ରନ୍ରେ ଦୁଇ ଓପ୍ନରଙ୍କୁ ହରାଇଥିବା କେକେଆର୍ ମଧ୍ୟକ୍ରମରେ ଲଢ଼ିଥିଲେ ମଧ୍ୟ ପରାଜୟରୁ ବର୍ତି ପାରିନଥିଲା। ସୁନିଲ ନାରାୟଣ (୦)ଙ୍କୁ ଆକାଶ ସିଂହ ବୋଲ୍ଡ କରି ଦଳକୁ ପ୍ରଥମ ସଫଳତା ଦେଇଥିଲା ବେଳେ ଏହା ପର ଓଭରରେ ନାରାୟଣ ଜଗଦୀଶାନ (୧)ଙ୍କୁ ତୁଷାର ଦେଶପାଣ୍ଡେ ଆଉଟ୍ କରି ଦେଇଥିଲେ। ଭେଙ୍କଟେଶ ଆୟର (୨୦) ଓ ଅଧିନାୟକ ନୀତୀଶ ରାଣା (୨୭) ପାଳି ସମ୍ଭାଳିଥିଲେ ମଧ୍ୟ ଧିମା ଖେଳିବାରୁ ଆବଶ୍ୟକ ରନ୍ରେଟ୍ ବଢ଼ି ବଢ଼ି ଯାଇଥିଲା। ଜାସନ ରୟ (୬୧) ଓ ରିଙ୍କୁ ସିଂହ (୫୩*) ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଏହା ଦଳ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା। ଦୁଇ ସିଂହଳୀ ବୋଲର ମହେଶ ତୀକ୍ଷ୍ଣା ଓ ମାଥିସା ପଥିରଣା ୨-୨ ୱିକେଟ୍ ନେଇ ସିଏସ୍କେକୁ ବିଜୟ ଭେଟି ଦେଇଥିଲେ।
ପୂର୍ବରୁ ଚଳିତ ଆଇପିଏଲ୍ରେ ରବିବାର ସର୍ବୋଚ୍ଚ ଦଳଗତ ସ୍କୋର୍ ଦେଖିବାକୁ ମିଳିଥିଲା। କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ନୀତୀଶ ରାଣାଙ୍କ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ସିଏସ୍କେ ୨୩୫/୪ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସିଏସ୍କେ ପାଳିରେ ୩ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ଅଜିଙ୍କ୍ୟ ରାହାଣେ (୭୧*), ଡେଭନ କନ୍ୱେ (୫୬) ଏବଂ ଶିବମ ଦୁବେ (୫୦) ଅର୍ଦ୍ଧଶତକ ସାଙ୍ଗକୁ ଋତୁରାଜ ଗାଏକ୍ବାଡଙ୍କ ୩୪ ରନ୍ ବଳରେ ସିଏସ୍କେ ୨୦୦ ରନ୍ ପାର୍ କରିଥିଲା। ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିବା କେକେଆର୍ ବୋଲରଙ୍କ ମଧ୍ୟରୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଥିବା ସୂୟାଶ ଶର୍ମା କେବଳ ୧୦ରୁ କମ୍ ହାରରେ ରନ୍ ବ୍ୟୟ କରିଥିଲେ। ଲିଟନ ଦାସ ଓ ମନଦୀପ ସିଂହଙ୍କ ବଦଳରେ ଜଗଦୀଶାନ ଓ ଡେଭିଡ ୱାଇଜ୍ଙ୍କୁ ଖେଳାଇଥିଲା କେକେଆର୍।