ସିଏସ୍‌କେ ସଫଳତା ମନ୍ତ୍ରର ପେଡ଼ି ଖୋଲିବେନି ଧୋନି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଆଇପିଏଲ୍‌ ଇତିହାସରେ ଏକମାତ୍ର ଦଳ ଯିଏକି ପ୍ରଥମ ସଂସ୍କରଣ (୨୦୦୮)ରୁ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ ଦେଇଆସୁଛି। ଯାହା ଫଳରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଏହି ଦଳ ତିନି ଥର ଆଇପିଏଲ୍‌ ଟ୍ରଫି ହାତେଇ ସାରିଛି। ସିଏସ୍‌କେ ଏକମାତ୍ର ଦଳ ଭାବେ ପୂର୍ବ ୧୧ ସଂସ୍କରଣ ମଧ୍ୟରୁ ସର୍ବାଧିକ ୯ ଥର ପ୍ଲେଅଫ୍‌ ପ୍ରବେଶ କରିଥିଲା ବେଳେ ୭ ଥର ଫାଇନାଲ୍‌ ଖେଳିଛି। ଚଳିତ ଦ୍ବାଦଶ ସଂସ୍କରଣରେ ମଧ୍ୟ ଏହି ଦଳ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହି ଏକରକମ ପ୍ଲେଅଫ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ମଙ୍ଗଳବାର ଏହି ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬ ୱିକେଟ୍‌ ବିଜୟ ସହ ୧୬ ପଏଣ୍ଟ୍‌ ପାଇସାରିଛି। ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ପରବର୍ତୀ ପୁରସ୍କାର ବିତରଣ ଉତ୍ସବ ଅବସରରେ ଧୋନିଙ୍କୁ ସିଏସ୍‌କେ ସଫଳତା ମନ୍ତ୍ର ସଂପର୍କରେ ପଚରା ଯାଇଥିଲା। ହେଲେ ଅଧିନାୟକ ଧୋନି ଚତୁରତାର ସହ ଏହାର ଉତ୍ତର ରଖିଥିଲେ। ଏପରିକି ସେ ଆଇପିଏଲ୍‌ରେ ଦଳର ସଫଳତା ମନ୍ତ୍ର ପ୍ରଘଟ କରିବେ ନାହିଁ ବୋଲି କହିଥିଲେ। ଧୋନିଙ୍କ କହିବା କଥା ଥିଲା, ଯଦି ମୁଁ ସଫଳତାର ମନ୍ତ୍ର କାହାରିକୁ ବି କହିଦେବି ତେବେ ସିଏସ୍‌କେ ମୋତେ ଆଉ ନିଲାମରେ କିଣିବନି। ଏହା ଏକ ବ୍ୟାବସାୟିକ ଗୋପନ କଥା। ତେବେ ଦର୍ଶକଙ୍କ ସହିତ ଫ୍ରାଞ୍ଚାଇଜ୍‌ର ସମର୍ଥନ ହିଁ ଚାବିକାଠି ବୋଲି ଧୋନି କହିଥିଲେ। ଦଳୀୟ ପରିବେଶକୁ ସବୁବେଳେ ସତେଜ ରଖୁଥିବା ସହକାରୀ ଅଧିକାରୀଙ୍କ ସମର୍ଥନ ମଧ୍ୟ ଶ୍ରେୟ ପାଇବାର ହକ୍‌ଦାର। ଏହା ବ୍ୟତୀତ ସଫଳତାର ମନ୍ତ୍ର ସଂପର୍କରେ ମୁଁ ଆଉ କିଛି ଅଧିକ କହିବି ନାହିଁ। ବିଶେଷକରି ଆଇପିଏଲ୍‌ରୁ ଅବସର ନନେବା ପର୍ଯ୍ୟନ୍ତ ଏହାକୁ ଗୋପନ ରଖିବି ବୋଲି ଧୋନି କହିଥିଲେ।

ସମ୍ବନ୍ଧିତ ଖବର