ମୁମ୍ବାଇ: ଚଳିତ ଆଇପିଏଲ୍ର ପଞ୍ଚଦଶ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ୧୮ ରନ୍ରେ ଅନ୍ୟତମ ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ପରାସ୍ତ କରିଛି। ସିଏସ୍କେ ୨୨୧ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ୩୧ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କେକେଆର୍ ଶେଷ ଆଡ଼କୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରି ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ତେବେ ଶେଷ ଦୁଇ ୱିକେଟ୍ ରନ୍ଆଉଟ୍ରେ ହରାଇବା ପରେ ୫ ବଲ୍ ପୂର୍ବରୁ ୨୦୨ ରନ୍ରେ ଅଟକି ଯାଇଥିଲା। ଫଳରେ ଆନ୍ଦ୍ରେ ରସେଲ (୫୪ ରନ୍, ୨୨ ବଲ୍, ୩ ଚୌକା, ୬ ଛକା)ଙ୍କ ଚଳିତ ଆଇପିଏଲ୍ର ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ସହ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ପ୍ୟାଟ୍ କମିନ୍ସ (୬୬* ରନ୍, ୩୪ ବଲ୍, ୪ ଚୌକା, ୬ ଛକା)ଙ୍କ ଧୂଆଁଧାର ଓ ମନୋରଞ୍ଜନଧର୍ମୀ ସାହସିକ ପାଳି ବେକାର ଯାଇଥିଲା। ଏହି ବିଜୟ ବଳରେ ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ହାସଲ କରି ଧୋନିଙ୍କ ସିଏସ୍କେ ପଏଣ୍ଟ୍ ତାଲିକାର ଶୀର୍ଷକୁ ଉଠିଥିଲା। ଅନ୍ୟପକ୍ଷରେ କେକେଆର୍ ସମାନ ସଂଖ୍ୟକ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରି ଷଷ୍ଠ ସ୍ଥାନରେ ରହିଥିଲା। ୯୫ ରନ୍ର ଅପରାଜିତ ପାଳି ପାଇଁ ସିଏସ୍କେର ଫାଫ୍ ଡୁ’ପ୍ଲେସିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
କମିନ୍ସ କିମିଆ ବେକାର
ବୁଧବାର ଆଶ୍ଚର୍ଯ୍ୟଜନକ ଭାବେ କେକେଆର୍ର ପଶ୍ଚାତଧାବନ ପାୱାର ପ୍ଲେ ଭିତରେ ହିଁ ଦିଗ ହରାଇ ବସିଥିଲା। ରାହୁଲ ଚହର ଏହି ଦଳର ଚାରି ଜଣ ଶୀର୍ଷକ୍ରମ ବ୍ୟାଟର୍ଙ୍କୁ ଏକ ଅଙ୍କ ଆଗକୁ ବଢ଼ିବାକୁ ଦେଇ ନଥିଲେ। ଅନ୍ୟ ୱିକେଟ୍ଟି ଲୁଙ୍ଗି ଏନ୍ଗିଡ଼ି ନିଜ ନାଁରେ କରିବା ପରେ ୫.୨ ଓଭରରେ ଅଧାଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା କେକେଆର୍। ଏହି ଦଳ ଏକ ବୃହତ୍ ପରାଜୟ ବରଣ କରିବାର ଶତ ପ୍ରତିଶତ ସମ୍ଭାବନା ବି ସୃଷ୍ଟି ହୋଇଥିଲା। ହେଲେ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ (୪୦ ରନ୍, ୨୪ ବଲ୍, ୪ ଚୌକା, ୨ ଛକା) ଓ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ସାହସ ହରାଇ ନଥିଲେ। ଉଭୟ ପ୍ରତିଆକ୍ରମଣ କରି ଷଷ୍ଠ ୱିକେଟ୍ରେ ୮୧ ରନ୍ ଯୋଡ଼ି ନେଇଥିଲେ। ମାତ୍ର ୨୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ରସେଲ ଦୁର୍ଭାଗ୍ୟଜନକ ଭାବେ ସାମ୍ କରନ୍ଙ୍କ ଲେଗ୍ କଟରରେ ବୋଲ୍ଡ ହୋଇ ନିରାଶାର ସହ ପ୍ୟାଭିଲିୟନ ଫେରି ଯାଇଥିଲେ। କାର୍ତ୍ତିକ ମଧ୍ୟ ରନ୍ ହାର ବଢ଼ାଇବା ଲୋଭରେ ଏନ୍ଗିଡ଼ିଙ୍କ ଅସରଦାର ୟର୍କରରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। କେକେଆର୍ ପ୍ରଶଂସକ ସେହିଠାରେ ଆଶା ଛାଡ଼ି ଦେଇଥିଲେ। ହେଲେ ଦ୍ରୁତ ବୋଲର କମିନ୍ସ ଯେମିତି ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଆଜି ମ୍ୟାଚ୍ ପାଇଁ ସାଇତି ରଖିଥିଲେ। କରନଙ୍କ ଗୋଟିଏ ଓଭରରେ ଚାରିଟି ଛକା ସହ ୩୦ ରନ୍ ଅମଳ କରି କେକେଆର ସ୍କୋର ବୋର୍ଡକୁ ସେ ଗତିଶୀଳ ରଖିଥିଲେ। ମାତ୍ର ୨୩ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି କେକେଆର୍କୁ ଏକପ୍ରକାର ବିଜୟ ଦ୍ବାରରେ ପହଞ୍ଚାଇ ଦେଇଥିଲେ। ତାଙ୍କ ନାଟକୀୟ ତଥା ବିସ୍ଫୋରକ ବ୍ୟାଟିଂ ପାଇଁ କେକେଆର୍କୁ ବିଜୟ ପାଇଁ ଶେଷ ଓଭରରୁ ୨୦ ରନ୍ର ଦରକାର ଥିଲା। ତେବେ ପ୍ରଥମ ବଲ୍ରୁ ୨ ରନ୍ ନେଲା ବେଳେ ପ୍ରସିଦ୍ଧକୃଷ୍ଣ ଶେଷ ୱିକେଟ୍ ଭାବେ ରନ୍ଆଉଟ୍ ହୋଇଯାଇଥିଲେ। ସାଥୀ ଅଭାବରୁ କମିନ୍ସ ଅସହାୟ ଭାବେ ଅପରାଜିତ ରହିଥିଲେ। କୋଲକାତା ୧୮ ରନ୍ରେ ମ୍ୟାଚ୍ ହାରିଥିଲା।
ଡୁ’ପ୍ଲେସିସ୍-ଋତୁରାଜ ରାଜୁତି
ପ୍ରଥମ ତିନିଟି ମ୍ୟାଚ୍ରେ ଲଗାତାର ବିଫଳ ହେବା ସତ୍ତ୍ବେ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ୍ଙ୍କ ଉପରେ ଅଧିନାୟକ ଧୋନି ଦେଖାଇଥିବା ଭରସାର ସମ୍ମାନ ବୁଧବାର ସେ ବହୁତ ଭଲ ଭାବରେ ରଖିଥିଲେ। ଚତୁର୍ଥ ମ୍ୟାଚ୍ରେ ନିଜ ଅସଲ ଚମକ ଦେଖାଇ ଚଳିତ ଋତୁର ପ୍ରଥମ ଏବଂ ମୋଟ ଉପରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ୨୪ ବର୍ଷୀୟ ମରାଠୀ ତାରକା ଋତୁରାଜ (୬୪) ଓ ଦକ୍ଷିଣ ଆଫ୍ରିକୀୟ ଡୁ’ପ୍ଲେସିସ୍ (୯୫*) ଆରମ୍ଭରୁ କେକେଆର୍ ବୋଲରଙ୍କୁ ଘନ ଘନ ଅକ୍ରମଣ କରି ପାୱାର ପ୍ଲେରୁ ୫୪ ରନ୍ ଅମଳ କରିଥିଲେ। ଋତୁରାଜ ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିବା ସହ ଉଭୟ ଚଳିତ ଆଇପିଏଲ୍ରେ ଚେନ୍ନାଇ ପାଇଁ ପ୍ରଥମ ଶତକୀୟ ଭାଗୀଦାରି କରିଥିଲେ। ଋତୁରାଜଙ୍କୁ ବରୁଣ ଚକ୍ରବର୍ତ୍ତୀ ନିଜ ପ୍ରଥମ ଶିକାର କରି ଯୋଡ଼ି ଭାଙ୍ଗିଥିଲେ। ହେଲେ ଡୁ’ପ୍ଲେସିସ୍ ନିଜ ଧମାକାଦାର ବ୍ୟାଟିଂ ଜାରି ରଖିଥିଲେ। ଶେଷ ଓଭରରୁ ଦୁଇଟି ଛକା ମାରିବା ସତ୍ତ୍ବେ ମାତ୍ର ୫ ରନ୍ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ଅବଶ୍ୟ ଶେଷ ବଲ୍ରୁ ରବୀନ୍ଦ୍ର ଜାଦେଜା ଭାଗ୍ୟଶାଳୀ ଛକା ହାସଲ କରିବା ପରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ବିନିମୟରେ ୨୨୦ ରନ୍ର ବିଶାଳ ସ୍କୋର କରି ନେଇଥିଲା। ଏହା ପୂର୍ବରୁ ଅଲରାଉଣ୍ଡର୍ ମୋଇନ ଅଲ୍ଲୀ ମାତ୍ର ୧୨ ବଲ୍ରୁ ୨୫ ରନ୍ର ଦ୍ରୁତ ପାଳି ଖେଳିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ ଆସି ଅଧିନାୟକ ଧୋନି ମଧ୍ୟ ୮ ବଲ୍ରୁ ୨ ଚୌକା ଓ ୧ ଛକା ବଳରେ ୧୭ ରନ୍ର ତୋଫାନି ପାଳି ଖେଳି ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ।