ୟୁଏଇ ଯାତ୍ରା ପୂର୍ବରୁ ଚେନ୍ନାଇରେ ସିଏସ୍‌କେର ପ୍ରଶିକ୍ଷଣ ଶିବିର

ଚେନ୍ନାଇ: ଆଇପିଏଲ୍-୧୩ ପାଇଁ ୟୁଏଇ ଯାତ୍ରା କରିବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଦଳର ଭାରତୀୟ ଖେଳାଳିମାନେ ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। ଏହି ଶିବିର ଚଳିତମାସ ୧୫ ତାରିଖରୁ ଆରମ୍ଭ ହେବ। ଏଥିଲାଗି ତାମିଲନାଡୁ ସରକାର ମଧ୍ୟ ଅନୁମତି ଦେଇସାରିଛନ୍ତି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ପୀୟୂଷ ଚାୱଲା, ହରଭଜନ ସିଂହ, ଅମ୍ବାତି ରାଇଡୁ ଓ ଅନ୍ୟ କେତେକ ଖେଳାଳି ସ୍ବତନ୍ତ୍ର ବିମାନରେ ୧୪ ତାରିଖରେ ଚେନ୍ନାଇ ପହଞ୍ଚିବା ପରେ ୧୫ରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଶିବିର ସଂପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଆୟୋ‌ଜିତ ହେବ।

୨୧ ତାରିଖରେ ଏହି ଖେଳାଳିମାନେ ୟୁଏଇ ଅଭିମୁଖେ ଯାତ୍ରା କରିବେ। ସିଏସ୍‌କେ ଛଡ଼ା କେବଳ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଖେଳାଳିଙ୍କୁ ଏକତ୍ର କରିପାରିଥିଲା ବେଳେ ମୁମ୍ବାଇରେ ଏହି ଦଳର ଏକ ଛୋଟ କାଟିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବାର ମଧ୍ୟ ଅଛି। ପୂର୍ବରୁ ପ୍ରକାଶିତ ଖବର ବିପରୀତ ସିଏସ୍‌କେ ଖେଳାଳିମାନେ କିନ୍ତୁ ଦୁଇ ସପ୍ତାହର ସଙ୍ଗରୋଧରେ ରହିବେ ନାହିଁ। ବରଂ ଚେନ୍ନାଇ ପହଞ୍ଚିବାର ଦୁଇ ଦିନ ପୂର୍ବରୁ ସେମାନଙ୍କର କୋଭିଡ୍ ପରୀକ୍ଷା ହେବ। ରିପୋର୍ଟ ନେଗେଟିଭ୍ ଆସିଲେ ହିଁ, ସେମାନଙ୍କୁ ଚେନ୍ନାଇ ଆସିବାର ଅନୁମତି ମିଳିବ। ଚେନ୍ନାଇ ପହଞ୍ଚିବା ପରେ ଖେଳାଳିମାନେ ସିଧାସଳଖ ଦଳୀୟ ହୋଟେଲ ରୁମ୍‌କୁ ଯିବେ। ସେଠାରୁ ବାହାରକୁ ଯିବାକୁ ସେମାନଙ୍କୁ ଅନୁମତି ମିଳିବ ନାହିଁ। ୟୁଏଇ ଯାତ୍ରା କରିବା ପୂର୍ବରୁ ମଧ୍ୟ ଖେଳାଳିମାନଙ୍କର ଦୁଇଟି କୋଭିଡ୍ ପରୀକ୍ଷା କରାଯିବ। ଉଭୟ ଥର ନେଗେଟିଭ୍ ଆସିଲେ ସେଠାକୁ ଯାତ୍ରା କରିବାର ସୁଯୋଗ ମିଳିବ। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀ ପ୍ରଶିକ୍ଷଣ ଶିବିରର ଦାୟିତ୍ବରେ ରହିବେ।

ସମ୍ବନ୍ଧିତ ଖବର