ଦୁବାଇ: ଉଭୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବଂ ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ) ପାଇଁ ଚଳିତ ସଂସ୍କରଣ ଭଲ ଚାଲିନି। ସିଏସ୍କେ ଶିବିରରେ ଡଜନେରୁ ଅଧିକ କରୋନା ଆକ୍ରାନ୍ତ ବାହାରିବା ସହ ଏହାର ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଚଳିତ ବର୍ଷ ପୂରା ଆଇପିଏଲ୍ ଖେଳିବେନି ବୋଲି ମନା କରିଦେଇଛନ୍ତି। ସେ ମଧ୍ୟ ଭାରତ ଫେରି ଆସିଛନ୍ତି। ଅନ୍ୟପକ୍ଷରେ ସିଏସ୍କେ ୧୯ ତାରିଖ ଉଦ୍ଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାର ଥିଲା। ହେଲେ ଏହି ଉଦ୍ଘାଟନୀ ମ୍ୟାଚ୍ରେ ସିଏସ୍କେ ଖେଳିବନି ବୋଲି ସୂଚନା ମିଳିଛି। ବିସିସିଆଇ ପକ୍ଷରୁ କିନ୍ତୁ କିଛି ସ୍ପଷ୍ଟ କରାଯାଇନାହିଁ। ସିଏସ୍କେ ଶିବିରରେ ଚାଲିଥିବା ସଂକଟରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ଆଉ କିଛି ଦିନ ଦେବା ଉଦେଶ୍ୟରେ ବିସିସିଆଇ ଆଇପିଏଲ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସିଏସ୍କେ କିଛି ଖେଳାଳିଙ୍କ ନିକଟରୁ କରୋନା ପଜିଟିଭ୍ ବାହାରିବା ପରେ ସେମାନଙ୍କ କ୍ବାରେଣ୍ଟାଇନ୍ ଅବଧି ଆଉ ୧୪ ଦିନ ବଢ଼ି ଯାଇଛି। ଯେଉଁମାନଙ୍କର ପଜିଟିଭ୍ ବାହାରିଛି ସେମାନେ ୨ ସପ୍ତାହ କ୍ବାରେଣ୍ଟାଇନ୍ରେ ରହିବେ। ଏଥିସହ ସିପିଏଲ୍ରେ କିଛି ଖେଳାଳି ଖେଳୁଥିବାରୁ ସେମାନଙ୍କ ଆସିବାରେ ବିଳମ୍ବ ହେଉଛି। ପହଞ୍ଚିବା ପରେ ସେମାନେ ମଧ୍ୟ ୬ ଦିନିଆ କ୍ବାରେଣ୍ଟାଇନ୍ରେ ରହିବେ। ଏସବୁ କାରଣରୁ ବିସିସିଆଇ ଉଦ୍ଘାଟନୀ ମ୍ୟାଚ୍କୁ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ସିଏସ୍କେକୁ କିଛି ସମୟ ଦେବା ସହ ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇ ସହ ଅନ୍ୟ ଦଳର କରିବାକୁ ଚିନ୍ତା କରୁଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।