ଆଇପିଏଲ : ଦିଲ୍ଲୀକୁ ୨୭ ରନ୍‌ରେ ପରାସ୍ତ କଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଦିଲ୍ଲୀକୁ ୨୭ ରନ୍‌ରେ ପରାସ୍ତ କରିଛି ଚେନ୍ନାଇ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୪୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ପକ୍ଷରୁ ରିଲେ ରୋସୋ ୩୫ ରନ୍‌ କରିଥିବା ବେଳେ ମନୀଷ ପାଣ୍ଡେ ୨୭ ରନ୍‌, ଅକ୍ଷର ପଟେଲ ୨୧ ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ମାଥେଶା ପାଥିରାନା ୩ ୱିକେଟ ନେଇଥିବା ବେଳେ ଦୀପକ ଚହର ୨ ୱିକେଟ, ରବୀନ୍ଦ୍ର ଜାଡେଜା ‌ଗୋଟେଏ ୱିକେଟ ନେଇ ଚେନ୍ନାଇକୁ ବିଜୟ ଦେଇଥିଲେ। ଏହି ବିଜୟ ସହ ଚେନ୍ନାଇ ୧୫ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ୨ୟରେ ରହିଛି । ସେହିପରି ଦିଲ୍ଲୀ ୮ ଅଙ୍କ ସହ ଟେବୁଲ ତାଲିକାର ୧୦ମ ସ୍ଥାନରେ ରହି ଏକ ପ୍ରକାର ପ୍ଳେ ଅଫରୁ ବାହାରି ଯାଇଛି ।

ପ୍ରଥମ ପାଳିରେ ଚେନ୍ନାଇ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଦେବନ କନଓ୍ବେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ କନଓ୍ବେ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ ।

ଏହା ପରେ ଆସିଥିବା ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ଗାଇକ୍ବାଡ୍ ୨୪ରନ କରିଥିବାବେଳେ ଅଜିଙ୍କ୍ୟ ରାହାଣେ ୨୧ରନ କରିଥିଲେ । ସେହିପରି ଶିବମ ଦୁବେ ୨୫ରନ ଓ ଅମ୍ବାତି ରାୟଡୁ ୨୩ରନ କରିଥିଲେ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦ରନ ଓ ରବୀନ୍ଦ୍ର ଜାଦେଜା ୨୧ରନ କରିଥିଲେ । ଏ ସମସ୍ତଙ୍କ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା ।

ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ୩ ଓ ଅକ୍ଷର ପଟେଲ ୨ ଓ୍ବିକେଟ ନେଇଥିଲେ । ସେହିପରି ଲଲିତ ଯାଦବ, ଖଲିଲ ଅହମ୍ମଦ ଓ କୂଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର