ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୯ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୩୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ୩ ୱିକେଟ ହରାଇ ୧୩୮ ରନ୍‌ କରି ବିଜୟୀ ହୋଇଛି । ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଇକୱାଡ ୩୫ ରନ୍‌ କରିଥିବା ବେଳେ ଡିଭନ୍ କନୱେ ୭୭ ରନ୍‌ କରି ଚେନ୍ନାଇକୁ ବିଜୟ ଦେଇଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଦୁର୍ବଳ ବ୍ୟାଟିଂ ସହ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା । ମୟଙ୍କ ମାର୍କାଣ୍ଡେ ୨ଟି ୱିକେଟ ନେଇଥିବା ବେଳ ଅନ୍ୟ କୌଣସି ବି ବୋଲର ଗୋଟିଏ ବି ୱିକେଟ ନେବାରେ ସକ୍ଷମ ହୋଇନଥିଲେ ।

Advertisment

ପ୍ରଥମ ପାଳିରେ ଚେନ୍ନାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲେ ମଧ୍ୟ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ଦଳ ପକ୍ଷରୁ କେବଳ ଅଭିଷେକ ଶର୍ମା ୩୪ରନ ଓ ରାହୁଲ ତ୍ରିପାଠୀ ୨୧ରନ କରିଥିଲେ । ଅନ୍ୟମାନେ ୨୦ରନ ଉପରକୁ ଟପିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରର ମାତ୍ର ୧୩୪ରନ କରିପାରିଥିଲା । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ମହିଶ ତିକସନା, ମହିଶା ପାଥିରନା ଓ ଆକାଶ ସିଂ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଗତ ଆଇପିଏଲ ପରି ଚଳିତ ଆଇପିଏଲରେ ବି ହାଇଦ୍ରାବାଦର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଚେନ୍ନାଇ ସୁପରକିଙ୍ଗସ୍‌ ଏହି ମ୍ୟାଚରେ ବିଜୟୀ ହେବା ସହ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୩ୟରେ ରହିଛି । ହାଇଦ୍ରାବାଦ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଛି ଓ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି ।