ରାଇନାଙ୍କୁ ଛାଡ଼ିବ ସିଏସ୍‌କେ

ଚେନ୍ନାଇ,: ଦୁଇ ବର୍ଷର ନିଲମ୍ବନ ପରେ ଆଇପିଏଲ୍‌କୁ ପ୍ରତ୍ୟାବର୍ତନ କରିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ସୁରେଶ ରାଇନାଙ୍କୁ ଅଉ ରଖିବନି। ଆଗାମୀ ସଂସ୍କରଣରୁ ରାଇନାଙ୍କୁ ଏହି ଫ୍ରାଞ୍ଚାଇଜ୍‌ ଛାଡ଼ିଦେବ ବୋଲି ଦଳୀୟ କର୍ତ୍ତୃପକ୍ଷ ଆଭାସ ଦେଇଛନ୍ତି। ପ୍ରଥମ ସଂସ୍କରଣରୁ ଚେନ୍ନାଇ ଦଳରେ ଖେଳିଆସୁଥିବା ରାଇନାଙ୍କ ପାଇଁ ଏହା ଶକ୍ତ ଝଟ୍‌କା ହେବ। ଆସନ୍ତା ସପ୍ତାହରେ ଆଇପିଏଲ୍‌ ପରିଷଦର ବୈଠକ ବସିବାର ଅଛି। ପ୍ରତ୍ୟାବର୍ତନ କରିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ଫ୍ରାଞ୍ଚାଇଜ୍‌ ପାଇଁ ଖେଳାଳି ବଜାୟ ରଖିବା ନୀତି ନିର୍ଧାରଣ ହେବ।

ଏହି ଦୁଇ ଦଳ ବାଦ୍‌ ପଡ଼ିବାକୁ ଯାଉଥିବା ରାଇଜିଂ ପୁନେ ସୁପରଜିଆଣ୍ଟ୍‌ ଓ ଗୁଜରାଟ ଲାୟନ୍‌ସ ଫ୍ରାଞ୍ଚାଇଜ୍‌ରୁ ୩ ଜଣ ଲେଖାଏଁ ଖେଳାଳିଙ୍କୁ ନିଜ ପାଖରେ ରଖିପାରିବାର ନିୟମ ରହିବ। ସେହି ଦୃଷ୍ଟିରୁ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏବଂ ବିଦେଶୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକୀୟ ତାରକା ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ରଖିବାକୁ ସ୍ଥିର କରିସାରିଛି। ପ୍ରତ୍ୟେକ ସଂସ୍କରଣରେ ପ୍ରାୟ ୪୦୦ରୁ ଅଧିକ ଲେଖାଏଁ ରନ୍‌ କରି ଆସୁଥିବା ରାଇନା ଗତ ଦୁଇ ସଂସ୍କରଣରେ ଗୁଜରାଟ ଲାୟନ୍‌ସ ପାଇଁ ଖେଳି ଆସୁଥିଲେ। ସିଏସ୍‌କେ ତାଙ୍କୁ ଛାଡ଼ିଦେଲେ ରାଇନା ଶେଷରେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଯିବେ।

ସମ୍ବନ୍ଧିତ ଖବର