ଭୁବନେଶ୍ବର: ଶିଳ୍ପ ସଂସ୍ଥାଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ଅଭିଯାନ ଅଧୀନରେ ଖର୍ଚ୍ଚ କରୁଛନ୍ତି। ସେ କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ସେହି ଖର୍ଚ୍ଚ କେବଳ ନିୟମ ପାଳନରେ ସୀମିତ ରହିବା ଉଚିତ୍‌ ନୁହେଁ। କମ୍ପାନିଗୁଡ଼ିକ ମହିଳା ସଶକ୍ତୀକରଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଶିକ୍ଷା ଓ ସମାଜ କଲ୍ୟାଣ କ୍ଷେତ୍ରରେ ପ୍ରକୃତ ଅର୍ଥରେ ସେହି ପାଣ୍ଠି ବିନିଯୋଗ କରିବା ଦରକାର ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି।

Advertisment

ଶୁକ୍ରବାର ଆସୋଚାମ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ସିଏସ୍‌ଆର୍‌ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡସ୍‌ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମାଜରେ ଉନ୍ନତି ଆଣିବା ଲାଗି ସିଏସ୍‌ଆର୍‌ ଗୁରୁତ୍ବପୂର୍ଣ୍ଣ। ବିଶେଷ କରି ବହୁଦେଶୀୟ କମ୍ପାନିଗୁଡ଼ିକ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ଓଡ଼ିଶାରୁ ଅଧିକ ଆୟ କରୁଥିବା କମ୍ପାନିଗୁଡ଼ିକ ସେମାନଙ୍କ ସିଏସ୍‌ଆର୍‌ ଖର୍ଚ୍ଚର ସିଂହଭାଗ ରାଜ୍ୟ ଭିତରେ ଖର୍ଚ୍ଚ କରିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସିଏସ୍‌ଆର୍‌ କେବଳ ସ୍କୁଲ ଓ ହସ୍ପିଟାଲ୍ ଗୃହ ନିର୍ମାଣଠାରୁ ଆଗକୁ ବଢ଼ି ଫଳାଫଳଭିତ୍ତିକ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ (ଜଙ୍ଗଲ) ଏ ଟି ମିଶ୍ର କହିଛନ୍ତି। ପୃଥିବୀ ଉପରେ ଶିଳ୍ପାୟନର ‌ରହିଥିବା କୁପ୍ରଭାବକୁ କମ୍ କରିବା ଲାଗି ଅଧିକ ବୃକ୍ଷରୋପଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଆସୋଚାମ୍‌ ଓଡ଼ିଶା ସିଏସ୍‌ଆର୍‌ ଆଣ୍ଡ୍ ସଷ୍ଟେନେବିଲିଟି ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ହୋତା କହିଛନ୍ତି ଯେ ସ୍ଥାୟିତ୍ବ ବିନା ସାମାଜିକ ଦାୟିତ୍ବ ଦାନ ସହ ପ୍ରାୟ ସମାନ। ତେଣୁ ସ୍ଥାୟିତ୍ବ ଓ ପୃଥିବୀର ସୁରକ୍ଷାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେଥିପାଇଁ ଏକ ଦୃଢ଼ ମଡେଲ୍‌ ବିକାଶ କରିବା ଉପରେ ସେ ଜୋର୍‌ ଦେଇଛନ୍ତି।

ଏହି ଅବସରରେ ଆସୋଚାମ୍‌ ଓଡ଼ିଶାର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଆସୋଚାମ୍‌ ପୂର୍ବ ଓ ଉତ୍ତର ପୂର୍ବର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦର ଜିତ୍‌ କୌର, ଷ୍ଟେଟ୍‌ ବ୍ୟାଙ୍କର ଭୁବନେଶ୍ବରର ସିଜିଏମ୍‌ ଦୀନେଶ ପୃଥ୍ବୀ, ଆସୋଚାମ୍‌ ଓଡ଼ିଶାର ଖଣି ଓ ଇସ୍ପାତ ପରିଷଦ ଅଧ୍ୟକ୍ଷ ପ୍ରବୋଧ ମହାନ୍ତି ଓ ଏଚ୍‌ସିଏଲ୍‌ର ସିଏସ୍‌ଆର୍‌ ଉପଦେଷ୍ଟା ଡ. ସୁରଭି ଯାଦବ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ସିଏସ୍‌ଆର୍‌ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୧୮ଟି ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା।