ନୂଆଦିଲ୍ଲୀ: ଭାରତର ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଆହୁରି ୪ ମାସ ରହିଛି। କିନ୍ତୁ ଏବେଠାରୁ ବାକ୍ଯୁଦ୍ଧ ଆରମ୍ଭ ହୋଇଗଲାଣି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ କହିଛନ୍ତି, ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏଥର ଶତକ ହାସଲ କରିପାରିବେ ନାହିଁ। ନଭେମ୍ବର ମାସରେ ଏକ ଦୁଇ ମାସିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଉଥିବା ଭାରତୀୟ ଦଳ ୩ ଟେ୍ଵଣ୍ଟି-୨୦, ୪ ଟେଷ୍ଟ୍ ଏବଂ ୩ ଦିନିକିଆ ଖେଳିବ। ମଙ୍ଗଳବାର କିନ୍ତୁ ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍ରେ କମିନ୍ସ କହିଛନ୍ତି ‘ମୁଁ ସାହସିକ ଓ ଦୃଢ଼ତାର ସହ କହୁଛି..ବିରାଟ କୋହଲି ଏଥର ଶତକ ଜମାଇପାରିବେ ନାହିଁ, ଆମେ ସେମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବୁ’।
କୋହଲିଙ୍କ ଟେଷ୍ଟ୍ ହାରାହାରି ୫୩.୪୦ ରହିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ୬୨କୁ ବଢ଼ିଛି। ଭାରତ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିବା ବେଳେ କୋହଲି ୮୬.୫୦ ହାରରେ ୪ ଶତକ ସହିତ ୬୯୨ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଗତବର୍ଷ ଅଷ୍ଟ୍ରେଲିଆ ଯେତେବେଳେ ଭାରତ ଆସିଥିଲା ସେତେବେଳେ ୨୯ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୩ ଟେଷ୍ଟ୍ରୁ ମାତ୍ର ୪୬ ରନ୍ କରିଥିଲେ ଏବଂ ଆହତ କାରଣରୁ ଗୋଟିଏ ଖେଳିପାରିନଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ କିମ୍ବଦନ୍ତୀ ଗ୍ଲେନ୍ ମ୍ୟାକ୍ଗ୍ରା କହିଛନ୍ତି, ଏଥର ଭାରତ-ଅଷ୍ଟ୍ରେଲିଆ ମୁକାବିଲା ତୀବ୍ର ହେବ। ଅଷ୍ଟ୍ରେଲିଆକୁ ଟେଷ୍ଟ୍ ଶୃଙ୍ଖଳା ଜିତିବାକୁ ହେଲେ କୋହଲିଙ୍କୁ ଟାର୍ଗେଟ୍ରେ ରଖିବାକୁ ପଡ଼ିବ। କୋହଲିଙ୍କୁ ଚାପରେ ରଖିବା ଏବଂ ସେ କିଭଳି ଏହାକୁ ହାତଉଛନ୍ତି ଦେଖି ଖେଳିବାକୁ ପଡ଼ିବ। ୭୦ ଓ ୮୦ ଦଶକରେ ଉଲ୍ଲେଖନୀୟ ଖେଳୁଥିବା େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରତିପକ୍ଷ ଦଳ ସେମାନଙ୍କ ଅଧିନାୟକଙ୍କୁ ଟାର୍ଗେଟ୍ କରି ସଫଳ ହୋଇଥିଲେ। ସେଭଳି କରିବା ଆବଶ୍ୟକ ବୋଲି ମ୍ୟାକ୍ଗ୍ରା କହିଛନ୍ତି।