ରେକର୍ଡ ବୁକ୍‌ରେ କମିନ୍ସ ଓ କେକେଆର୍‌

ମୁମ୍ବାଇ: ବୁଧବାର ରାତିରେ ଖେଳାଯାଇଥିବା ଚେନ୍ନାଇ ‌ସୁପର୍‌ କିଙ୍ଗ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍‌ ଅବସରରେ ଏକାଧିକ କୀର୍ତ୍ତିମାନ ନଜରକୁ ଆସିଛି।

୧୭୧: କେକେଆର୍‌ର ପଞ୍ଚମ ୱିକେଟ୍‌ (୩୧/୫) ପତନ ପରେ ଦଳ ଆଉ ୧୭୧ ରନ୍‌ ଯୋଡ଼ିଥିଲା। ଏତେ କମ୍‌ ସ୍କୋର୍‌ରେ ପଞ୍ଚମ ୱିକେଟ୍ ପତନ ପରେ ଅନ୍ୟ ଦଳ କରିଥିବା ରନ୍‌ଠାରୁ ଏହା ସର୍ବାଧିକ। ପୂର୍ବରୁ ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପଞ୍ଚମ ୱିକେଟ୍ ପତନ ପରେ ୧୩୦ ରନ୍‌ ଯୋଡ଼ି ଆଜିଯାଏ ଶୀର୍ଷରେ ଥିଲା। ସେହି ମ୍ୟାଚ୍‌ରେ ୧୫୯ ରନ୍‌କୁ ପିଛା କରୁଥିବା ବେଳେ ଆର୍‌ସିବି ୨୯ ରନ୍‌ରେ ୫ ୱିକେଟ୍ ହରାଇଥିଲେ ମଧ୍ୟ ବିଜୟୀ ହୋଇଥିଲା। ସମସ୍ତ ପ୍ରକାର ଟ୍ବେଣ୍ଟି-୨୦ କ୍ରିକେଟରେ ପଞ୍ଚମ ୱିକେଟ୍ ପତନ ପରେ ୧୭୧ ରନ୍‌ ଯୋଡ଼ିବା କିନ୍ତୁ ଦ୍ବିତୀୟ ସର୍ବାଧିକ। ୨୦୧୮ କାରବୀୟ ପ୍ରିମିୟର୍‌ ଲିଗ୍‌ରେ ଟ୍ରିବାଗୋ ନାଇଟ୍‌ ରାଇଡର୍ସ ବିପକ୍ଷରେ ୨୨୪ ରନ୍‌କୁ ପିଛା କରୁଥିବା ବେଳେ ଜାମାଇକା ତଲାୱା ୪୧ ରନ୍‌ରେ ୫ ୱିକେଟ୍ ହରାଇଥିଲେ ମଧ୍ୟ ୧୮୪ ରନ୍ ଯୋଡ଼ି ବିଜୟୀ ହୋଇଥିଲା। ଆନ୍ଦ୍ରେ ରସେଲ୍ ମଧ୍ୟ ସେହି ମ୍ୟାଚ୍‌ରେ ୪୯ ବଲ୍‌ରୁ ୧୨୧* ରନ୍‌ କରିଥିଲେ।

୬୬*: ଆଠ ନମ୍ବର ସ୍ଥାନରେ ବ୍ୟାଟିଂ କରି ପ୍ୟାଟ୍ କମିନ୍ସ ୬୬* ରନ୍ କରିଥିଲେ। ଆଇପିଏଲ୍‌ ଇତିହାସରେ ଏହା ଅଷ୍ଟମ କିମ୍ବା ତା’ଠୁ ନିମ୍ନରେ ବ୍ୟାଟିଂ ବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌। ୨୦୧୫ରେ ହରଭଜନ ସିଂହ ସେହି ୮ ନମ୍ବରରେ ବ୍ୟାଟିଂ କରି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ୬୪ ରନ୍‌ କରିଥିଲେ।

୦: କୋଲକାତା ନାଇଟ୍‌ ରାଇଡର୍ସ ୨୦୨ ରନ୍‌ କରି ଅଲଆଉଟ୍ ହୋଇଥିଲା। ପୂର୍ବରୁ ଅଲ୍‌ଆଉଟ୍‌ ହୋଇ ଏତେ ବଡ଼ ସ୍କୋର୍‌ କେହି କରିନଥିଲେ। ୨୦୦୮ ପ୍ରଥମ ସଂସ୍କରଣ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ୧୯୦ ରନ୍‌କୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୮ ରନ୍‌ରେ ଅଲ୍‌ ଆଉଟ୍ ହୋଇଥିଲା। କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଟ୍ବେଣ୍ଟି-୨୦ ଇତିହାସରେ ଦ୍ବିତୀୟ ଦଳ ଯିଏ ୫୦ ରନ୍‌ ଭିତରେ ଅଧା ଖେଳାଳିଙ୍କୁ ହରାଇବା ପରେ ୨୦୦ରୁ ଊର୍ଧ୍ବ ରନ୍‌ କରିଥିଲା। ୨୦୧୮ ସିପିଏଲ୍‌ରେ ଏଭଳି ପରିସ୍ଥିତିରୁ ବାହାରି ଜାମାଇକା ତଲାୱା ୨୨୪ ରନ୍‌ କରି ଜିତିଥିଲା।

୨୦୨: କୌଣସି ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍‌ ଏକ ଅଙ୍କରେ ଆଉଟ୍ ହେବା ସତ୍ତ୍ବେ ଟ୍ବେଣ୍ଟି-୨୦ରେ ୨୦୨ ରନ୍‌ କରିବା ସର୍ବାଧିକ। ପୂର୍ବରୁ ଏଭଳି ଏକ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ ସ୍କୋର୍‌ ସ‌ତ୍ତ୍ବେ ୨୦୧୪ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୧୭୫ ରନ୍‌ କରିଥିଲା। କୋଲକାତା ନାଇଟ୍ ରାଇଡର୍ସର ୨୦୦ରୁ ଊର୍ଧ୍ବ ସ୍କୋର୍‌ ମଧ୍ୟ ୩ଟି ଶୂନ ଥାଇ ସର୍ବାଧିକ।

୪: ବାଧ୍ୟତାମୂଳକ ପାୱାର ପ୍ଲେ ପ୍ରଥମ ୬ ଓଭର ଭିତରେ ଦୀପକ ଚହର ୪ ୱିକେଟ୍ ନେଇଥିଲେ। ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଏହା ପ୍ରଥମ ଥିଲା। ପାୱାର ପ୍ଲେ ଭିତରେ ଦଳ ୫ ୱିକେଟ୍ ଅକ୍ତିଆର କରିବା ମଧ୍ୟ ପ୍ରଥମ ଉଦାହରଣ ଥିଲା।

୫୮: ସାମ୍‌ କରନ୍‌ ତାଙ୍କ ୪ ଓଭରରେ ୫୮ ରନ୍‌ ବ୍ୟୟ କରିଥିଲେ। ଯାହାକି ଯୁଗ୍ମ ସର୍ବାଧିକ ରନ୍‌ ବ୍ୟୟ ଥିଲା। ୨୦୧୫ରେ ମୋହିତ ଶର୍ମା ସନ୍‌ରାଇଜର୍ସ ହାଇବ୍ରାଦାବ ବିପକ୍ଷରେ ସମାନ ୫୮ ରନ୍‌ ବ୍ୟୟ କରିଥିଲେ। ବୁଧବାର ରାତିରେ କରନ୍‌ ତାଙ୍କ ତୃତୀୟ ଓଭରରେ ୩୦ ରନ୍‌ ଦେଇଥିଲେ। ଯାହା ମଧ୍ୟ ଚେନ୍ନାଇ ପାଇଁ ଯୁଗ୍ମ ସର୍ବାଧିକ ଥିଲା। ଗତବର୍ଷ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲୁଙ୍ଗି ଏନ୍‌ଗିଡି ଏଭଳି ଶିକାର ହୋଇଥିଲେ। ସେଥର ଜୋଫ୍ରା ଆର୍ଚର ଲଗାତାର ୪ ଛକା ମାରିଥିଲେ।

୦: ବୁଧବାର କେକେଆର୍‌-‌ସିଏସ୍‌କେ ମ୍ୟାଚ୍‌ ପୂର୍ବରୁ ୭ ନମ୍ବର ସ୍ଥାନ କିମ୍ବା ତା’ଠୁ ନିମ୍ନ କ୍ରମରେ ବ୍ୟାଟିଂ କରି ଦୁଇ ଜଣ ଅର୍ଦ୍ଧଶତକ ହାସଲ କରିବା ଟି-୨୦ କ୍ରିକେଟରେ କେବେ ଦେଖିବାକୁ ମିଳିନଥିଲା। ୨୦୧୨-୧୩ ଋତୁ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ହରିୟାଣା ବିପକ୍ଷରେ ଜମ୍ମୁ କଶ୍ମୀର ପାଳିରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର