କମିନ୍ସ-ଷ୍ଟାର୍କ ପାକିସ୍ତାନର ବିପର୍ଯ୍ୟୟ ଘଟାଇଲେ: ଅଷ୍ଟ୍ରେଲିଆ ୧୩୪ ରନ୍‌ରେ ଆଗୁଆ, ଆଝାରଙ୍କ ୭୦୦୦ ରନ୍‌ ମାଇଲଖୁଣ୍ଟ

ଲାହୋର: ଏଠାରେ ଚାଲିଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟେଷ୍ଟର ପ୍ରଥମ ଦୁଇ ଦିନରେ ମାତ୍ର ୧୧ ୱିକେଟ୍‌ର ପତନ ଘଟିଥିଲା ବେଳେ ବୁଧବାର ତୃତୀୟ ଦିବସରେ ୯ ୱିକେଟ୍‌ ଝଡ଼ିଛି। ବିଶେଷକରି ଭ୍ରମଣକାରୀ ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ଅଧିନାୟକ ପ୍ୟାଟ୍‌ କମିନ୍ସ ଏବଂ ମିଚେଲ ଷ୍ଟାର୍କ ଘରୋଇ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ଦୁହେଁ ମିଳିତ ଭାବେ ୯ ୱିକେଟ୍‌ ବାଣ୍ଟିନେବାରୁ ପାକିସ୍ତାନ ପ୍ରଥମ ପାଳି ୨୬୮ ରନ୍‌ରେ ଶେଷ ହୋଇଯାଇଛି। କମିନ୍ସ ୫ ଏବଂ ଷ୍ଟାର୍କ ୪ ୱିକେଟ୍‌ ଦଖଲ କରିବାରୁ ଏକ ସମୟରେ ୨୪୮ ରନ୍‌ରେ ୩ ୱିକେଟ୍‌ ହରାଇ ଦୃଢ଼ ସ୍ଥିତିରେ ରହିଥିବା ପାକିସ୍ତାନ ଶେଷ ୭ ୱିକେଟ୍‌ ୨୦ ରନ୍‌ ମଧ୍ୟରେ ହରାଇଥିଲା। ଏପରିକି ଘରୋଇ ଦଳ ସ୍କୋର୍‌ରେ କୌଣସି ରନ୍‌ ଯୋଡ଼ିନପାରି ଶେଷ ୪ ୱିକେଟ୍‌ ହରାଇଥିଲା। ଚଳିତ ଶୃଙ୍ଖଳାରେ ମଧ୍ୟ ପ୍ରଥମ ଦ୍ରୁତ ବୋଲର ଭାବେ କମିନ୍ସ ୫ ୱିକେଟ୍‌ ସଫଳତା ହାତେଇଥିଲେ। ଯାହା ଫଳରେ ଘରୋଇ ଦଳ ପ୍ରଥମ ପାଳିରେ ୧୨୩ ରନ୍‌ ପଛରେ ପଡ଼ିଯାଇଥିଲା। ପାକିସ୍ତାନ ପକ୍ଷରୁ ଅବ୍‌ଦୁଲ୍ଲା ସଫିକ (୮୧), ଆଝାର ଅଲ୍ଲୀ (୭୮) ଏବଂ ଅଧିନାୟକ ବାବର ଆଜମ୍‌ (୬୭) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସଫିକ୍‌ ଓ ଆଝାର ଦ୍ବିତୀୟ ୱିକେଟ୍‌ରେ ୧୫୦ ରନ୍‌ ଯୋଡ଼ିବା ପରେ ବାବରଙ୍କ ଧୈର୍ଯ୍ୟପୁର୍ଣ୍ଣ ପାଳି ପାକିସ୍ତାନର ଆତ୍ମବିଶ୍ବାସ ବଢ଼ାଇଥିଲା। ହେଲେ ଶେଷ ୬ ବ୍ୟାଟର୍‌ଙ୍କ ମଧ୍ୟରୁ କେହି ହେଲେ ଦୁଇ ଅଙ୍କ ଛୁଇଁପାରିନଥିଲେ। ଫଳରେ ପାକିସ୍ତାନ ପାଳି ୧୧୬.୪ ଓଭରରେ ଶେଷ ହୋଇଯାଇଥିଲା। ଏଥି ମଧ୍ୟରେ କମିନ୍ସ ଓ ଷ୍ଟାର୍କ ଯଥାକ୍ରମେ ୧୧୬ ଓ ୧୧୭ତମ ଓଭରରେ ଦୁଇଟି ଲେଖାଏଁ ଝଟ୍‌କା ଦେଇ ପାକିସ୍ତାନ ନିମ୍ନକ୍ରମ ବିପର୍ଯ୍ୟୟ ଘଟାଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ତୃତୀୟ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର ପୂର୍ବରୁ ଦ୍ବିତୀୟ ପାଳିରେ ୩ ଓଭର ଖେଳିଥିଲା। ସେଥିରେ କୌଣସି ୱିକେଟ୍‌ ନହରାଇ ୧୧ ରନ୍‌ କରିଥିବାରୁ ମୋଟ ଉପରେ ୧୩୪ ରନ୍‌ର ଅଗ୍ରଣୀ ପାଇଛି। ଉସ୍‌ମାନ ଖୱାଜା ୭ ଓ ଡେଭିଡ୍‌ ୱର୍ଣ୍ଣର ୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୯୧ ରନ୍‌ କରିଥିଲା।

ଆଝାରଙ୍କ ୭୦୦୦ ରନ୍‌ ମାଇଲଖୁଣ୍ଟ
ପାକିସ୍ତାନ ଭେଟେରାନ ଆଝାର ଅଲ୍ଲୀ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ର ତୃତୀୟ ଦିବସରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଦଳର ପ୍ରଥମ ପାଳିରେ ବୁଧବାର ସେ (୭୮ ରନ୍‌) ଅର୍ଦ୍ଧଶତକ ହାସଲ କରି ଆଉଟ୍‌ ହେବା ପୁର୍ବରୁ ଟେଷ୍ଟରେ ୭୦୦୦ ରନ୍‌ ପୂରଣ କରି ପାକିସ୍ତାନ ବ୍ୟାଟର୍‌ଙ୍କ ଏଲିଟ୍‌ ତାଲିକାରେ ନିଜ ନାମକୁ ଯୋଡ଼ିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାକୁ ଆଝାର ୯୪ ମ୍ୟାଚ୍‌ ଖେଳିଛନ୍ତି। ୭୦୦୦ ରନ୍‌ ସଂଗ୍ରହ କ୍ଷେତ୍ରରେ ସେ ମଧ୍ୟ ପଞ୍ଚମ ପାକିସ୍ତାନୀ ଏବଂ ବିଶ୍ବର ୫୪ତମ ଖେଳାଳି ହୋଇଛନ୍ତି। ଆଝାରଙ୍କ ପୂର୍ବରୁ ଅନ୍ୟ ୪ ପାକ୍‌ ବ୍ୟାଟର୍‌ ଭାବେ ୟୁନିସ୍‌ ଖାନ୍‌ (୧୦,୦୯୯ ରନ୍‌, ୧୧୮ ଟେଷ୍ଟ୍‌), ଜାଭେଦ୍‌ ମିଆଁଦାଦ୍‌ (୮୮୩୨ ରନ୍‌, ୧୦୪ ଟେଷ୍ଟ), ଇଞ୍ଜାମମ୍‌ ଉଲ୍‌ ହକ୍‌ (୮୮୨୯ ରନ୍‌, ୧୧୯ ଟେଷ୍ଟ) ଏବଂ ମହମ୍ମଦ ୟୁସୁଫ୍‌ (୭୫୩୦ ରନ୍‌, ୯୦ ଟେଷ୍ଟ) ଏହି ମାଇଲଖୁଣ୍ଟରେ ପହଞ୍ଚି ସାରିଛନ୍ତି।

ସମ୍ବନ୍ଧିତ ଖବର