ଓଡ଼ିଶାରେ ପ୍ରଥମ ଥର ଖେଳାଯିବ ‘କଷ୍ଟୋମାଇଜ୍ ଟେନିସ୍’

ତିନିଟି ରଙ୍ଗର ବଲ୍‌ରେ ହେବ ପ୍ରତିଦ୍ବନ୍ଦ୍ବିତା, ବିଗିନର୍ସଙ୍କ ପାଇଁ ବଡ଼ ସୁଯୋଗ

ଭୂବନେଶ୍ବର: ତୃଣମୂଳସ୍ତରରୁ ଟେନିସ୍‌ର ବିକାଶ, ନୂଆ ପ୍ରତିଭା ଚିହ୍ନଟ ତଥା ସେମାନଙ୍କର କଲ୍ୟାଣ ଏବଂ ଟେନିସ ଖେଳକୁ ଘରେ ଘରେ ପରିଚିତ କରାଇବାର ଲକ୍ଷ୍ୟ ନେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ‘କଷ୍ଟୋମାଇଜ୍‌ ଟେନିସ୍’ ପ୍ରତିଯୋଗିତା। ଓଡ଼ିଶା ‌ଟେନିସ୍ ସଂଘ ଆନୁକୂଲ୍ୟରେ ଆଇଆଇଜି ସ୍ପୋର୍ଟସ ଏକାଡେମି ପକ୍ଷରୁ ଚଳିତ ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି କେଟି ଗ୍ଲୋବାଲ ସ୍କୁଲ୍ ପରିସରରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ପିଲାମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଖେଳିବାର ସୁଯୋଗ ମିଳିବ। ପିଲାମାନଙ୍କ ପାଇଁ ପ୍ରତିଯୋଗିତାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଲାଲ୍, ନାରଙ୍ଗୀ ଏବଂ ହଳଦିଆ ରଙ୍ଗ ବଲ୍‌ର ବ୍ୟବହାର ହେବ। ଏହି ତିନି ରଙ୍ଗର ବଲ୍‌ରେ ସାଧାରଣ ଟେନିସ୍ ବଲ୍‌ ତୁଳନାରେ ଯଥାକ୍ରମେ ୨୫, ୫୦ ଏବଂ ୭୫ ପ୍ରତିଶତ ବାଉନ୍ସ ବା ଉଚ୍ଛାଳ ରହିବ।

ନୂଆ ନୂଆ ଖେଳ ଆରମ୍ଭ କରୁଥିବା ଖେଳାଳିଙ୍କ ପାଇଁ ଏହି ପଦ୍ଧତି ବେଶ୍ ଉପଯୋଗୀ ହେବ। ବିଦେଶରେ ଏପ୍ରକାର ପ୍ରତିଯୋଗିତା ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା ବେଳେ ଭାରତରେ ଏଭଳି ହାତଗଣତି ପ୍ରତିଯୋଗିତା‌ ଆୟୋଜିତ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହାର ପରିକଳ୍ପନା ଓ ରୂପାୟନ କେଟି ଗ୍ଲୋବାଲ ସ୍କୁଲ୍ ଏବଂ ଆଇଆଇଜି ସ୍ପୋର୍ଟସ ଏକାଡେମି କରିବାକୁ ଯାଉଛନ୍ତି। ଲାଲ୍ ବଲ୍‌ରେ ୮ରୁ ୧୦, ନାରଙ୍ଗୀ ବଲ୍‌ରେ ୧୦ରୁ ୧୨ ଏବଂ ହଳଦିଆ ବଲ୍‌ରେ ୧୨ରୁ ୧୪ ବର୍ଷ ବୟସର ଖେଳାଳିଙ୍କୁ ଖେଳିବାର ସୁଯୋଗ ଦିଆଯିବ। ‘‘ଏହି ପ୍ରତିଯୋଗିତା ବିବିନର୍ସ ବା ତୃଣମୂଳସ୍ତରୀୟ ଖେଳାଳିଙ୍କ ଦକ୍ଷତା ବିକାଶ ଲାଗି ବେଶ୍ ଉପାଦେୟ ହେବ। ପ୍ରତିଯୋଗିତାର ଆଉ ଏକ ବିଶେଷତ୍ବ ହେଲା ଏଥିରେ ବାଳକ ଓ ବାଳିକା ମିଶିକି ଖେଳିବେ। ଅର୍ଥାତ୍ ସେମାନଙ୍କୁ ଗୋଟିଏ ଗ୍ରୁପ୍‌ରେ ରହି ପରସ୍ପର ସହ ଲଢ଼ିବାକୁ ପଡ଼ିବ। ପୂରା ପ୍ରତିଯୋଗିତା ଏକକ ବର୍ଗରେ ଖେଳାଯିବ। ଏହି ପ୍ରତିଯୋଗିତାରେ ପାଖାପାଖି ୧୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବାର ଆଶା ରଖିଛୁ।’’ ବୋଲି ଆଇଆଇଜି ସ୍ପୋର୍ଟସ ଏକାଡେମିର ନିର୍ଦ୍ଦେଶକ ତଥା ରାଜ୍ୟର ପୂର୍ବତନ ଏକନମ୍ବର ଟେନିସ୍ ତାରକା ଚିନ୍ମୟ ପ୍ରଧାନ କହିଛନ୍ତି। ‘‘କେଟି ଗ୍ଲୋବାଲ ସ୍କୁଲ୍‌ରେ ଆଇଟା ସ୍ବୀକୃତିପ୍ରାପ୍ତ ଟେନିସ୍ କୋର୍ଟ ଥିବାରୁ ଆଗାମୀ ସମୟରେ ଏଠାରେ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ’’ ବୋଲି ସ୍କୁଲ୍‌ର ନିର୍ଦ୍ଦେଶକ ପୂର୍ଣ୍ଣାଶିଷ ରଥ କହିଥିଲେ।

ଏହି ପ୍ରତିଯୋଗିତାରେ ମୋଟ ୧୨,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟଠାରୁ ଟ୍ରଫି ଦିଆଯିବାର ବ୍ୟବସ୍ଥା ବି ରହିଛି। ବିଭିନ୍ନ ବର୍ଗ ଲାଗି ଯଥାକ୍ରମେ ୨୫୦, ୩୫୦ ଏବଂ ୪୫୦ ଟଙ୍କାର ପ୍ରବେଶିକା ଦେୟ ରଖାଯାଇଛି। ନାମ ପଞ୍ଜୀକରଣ କରିବାର ‌ଶେଷ ତାରିଖ ଚଳିତ ମାସ ୨୧ ତାରିଖ ସଂଧ୍ୟା ୬ଟା ରଖାଯାଇଛି। ଅଧିକ ବିବରଣୀ ପାଇଁ ୭୯୦୩୭୮୪୫୪୧ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କେଟି ଗ୍ଲୋବାଲ ସ୍କୁଲ୍‌ର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡା, ଉପପ୍ରଧାନ ଶିକ୍ଷୟତ୍ରୀ ଅନୁରାଧା ଘୋଷ, ଓଡ଼ିଶା ଟେନିସ୍ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଅସିତ ପ୍ରଧାନ, ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର