କଟକ: କଟକ ଏ’ କଳାହାଣ୍ଡି କପ୍ ଟ୍ରଫି ବଜାୟ ରଖିଛି। ଗୁରୁବାର ରେଭେନ୍ସା ପଡ଼ିଆରେ ଖେଳାଯାଇଥିବା ଫାଇନାଲ୍ରେ କଟକ ଏ’ ୧୭୩ ରନ୍ରେ ଅବଶିଷ୍ଟ ଓଡ଼ିଶା ଡି’କୁ ହରାଇ ପୁଣି ଥରେ ବିଜେତା ହୋଇଛି। ଏହି ମ୍ୟାଚ୍ରେ କଟକ ଏ’ ପ୍ରଥମେ ବ୍ୟାଟିଂ କରି ୩୬୨ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ଓଡ଼ିଶା ଡି’ ଦ୍ବିତୀୟ ଦିନରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୯୦ ଓଭର ଖେଳି ୮ ୱିକେଟ୍ ବିନିମୟରେ ୧୮୮ ରନ୍ କରିବାକୁ ସମର୍ଥ ହୋଇଥିଲା। ଓଡ଼ିଶା ଡି’ ର ଦେବେନ୍ଦ୍ର କୁଅଁର ସର୍ବାଧିକ ୪୮ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଜାମେଲା ଭଞ୍ଜନ ମହାପାତ୍ର ୩୬, ଶୁଭମ ନାଏକ ୩୪ ରନ୍ ସଂଗ୍ରହ କରିଥିଲେ।
ବିଜୟୀ ଦଳର ଅଧିନାୟକ ରାମଚନ୍ଦ୍ର ବେହେରା ୨୧ ଓଭର ବୋଲିଂ କରି ୧୦ଟି ମେଡେନ୍ ଓଭର ସହିତ ୩୦ ରନ୍ ବିନିମୟରେ ୬ ୱିକେଟ୍ ନେଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ସଂଜୟ କୁମାର ନାୟକ ମୁଖ୍ୟ ଅତିଥି, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ, ଫାଓ ସଂପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଂଜୟ ବେହେରା, ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓସିଏ ଆପେକ୍ସ କାଉନସିଲ ସଭ୍ୟ ପ୍ରତାପଚନ୍ଦ୍ର ପ୍ରଧାନ, ଓସିଏ ସଭ୍ୟ ସୁଶାନ୍ତ ମହାନ୍ତି, ନୃସିଂହଚରଣ ଚୌଧୁରୀ, ଅଂଜନ କୁମାର ଖୁଣ୍ଟିଆ, ପ୍ରଦୀପ ସେଠୀ, ସାଗରନାଥ ମିଶ୍ର, ଅମିତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/kalahandi-cup-1.jpg)