କଟକ, ଯାଜପୁର, କିଟ୍‌ ଓ କିଶୋର ବିଜୟୀ

ସର୍ବଭାରତୀୟ କବାଡ଼ି ଦ୍ୱିତୀୟ ଦିବସ

ଯୋକଡ଼ିଆ: ଏଠାରେ ଚାଲିଥିବା ୬୩ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ପୁରୁଷ ବର୍ଗରେ ହରିଆନା, ଫରିଦାବାଦ, ଦିଲ୍ଲୀ, କଟକ, ଭୁବନେଶ୍ୱର, ମୁଜାଫରନଗର, ଛତିଶଗଡ଼ ଓ ଓଡ଼ିଶା ପୁଲିସ୍‌ ବିଜୟୀ ହୋଇଛନ୍ତି। ସେହିପରି ମହିଳା ବର୍ଗରେ କିଟ୍‌, ଯାଜପୁର, ଭୁବନେଶ୍ୱରର କିଶୋର କ୍ଲବ୍‌ ବିଜୟୀ ହୋଇଛନ୍ତି। ପ୍ରଥମ ଦିବସରେ ମହାରାଷ୍ଟ୍ର ଓ ହରିଆନାର ସୋନିପଥ ବିଜୟୀ ହୋଇଥିଲା ବେଳେ ଗୁରୁବାର ପୁରୁଷ ବିଭାଗରେ ଫରିଦାବାଦ ସୀମା ସୁରକ୍ଷା ବାହିନୀ ଦଳ ୨୯-୨୧ ପଏଣ୍ଟରେ କୋଲ୍‌କାତା ପୁଲିସ୍‌କୁ, ଦିଲ୍ଲୀର ଚିଲ୍ଲର କ୍ଲବ୍‌ ୩୦-୧୬ରେ ଉତ୍ତରପ୍ରଦେଶର ସାମଲି ଦଳକୁ, କଟକ ୫୦-୧୫ରେ କଳିଙ୍ଗନଗର ଜିନ୍ଦଲ ଷ୍ଟିଲ୍‌କୁ, ସିଆଇଏସ୍‌ଏଫ୍‌ ୨୨-୨୧ରେ ଦକ୍ଷିଣ ପୂର୍ବତଟ ରେଳବାଇକୁ, ଛତିଶଗଡ଼ ୩୭-୧୩ରେ କଳିଙ୍ଗ ଷ୍ଟାଡିୟମ୍‌କୁ, ମୁଜାଫରନଗର ୩୨-୧୯ରେ ମହାରାଷ୍ଟ୍ରର ଗଦିଆକୁ, ଓଡ଼ିଶା ପୁଲିସ୍‌ ୩୬-୧୯ରେ କିଶୋର କ୍ଲବ୍‌କୁ ଏବଂ ହରିଆଣା ୩୨-୧୫ରେ ଚିଲ୍ଲର କ୍ଲବ୍‌କୁ ପରାସ୍ତ କରଦେଇଛି। ମହିଳା ବର୍ଗରେ ଭୁବନେଶ୍ୱର କିଟ୍‌ ଦଳ ୨୨-୪ ପଏଣ୍ଟରେ କଳିଙ୍ଗ କବାଡ଼ି ଏକାଡେମିକୁ, ଯାଜପୁର ୪୨-୨୨ରେ କଳିଙ୍ଗ ଷ୍ଟାଡିୟମ୍‌ ଦଳକୁ, କିଶୋର କ୍ଲବ୍‌ ୩୫-୬ରେ କଳିଙ୍ଗ କବାଡ଼ି ଏକାଡେମିକୁ ପରାସ୍ତ କରିଛି। ଓଡ଼ିଶା କବାଡ଼ି ସଂଘର ରେଫରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ତତ୍ୱାବଧାନରେ ଜିତେନ୍ଦ୍ର ସରାଫ, ମୁକେଶ ସାହୁ, ଶୁଭେନ୍ଦୁ ପ୍ରସାଦ ଧିର, ସସ୍ମିତା ଦାସ, ଅନାଦି ସାହୁ, ବିକ୍ରମ ପ୍ରଧାନ, ଭଗବାନ ଦାସ, ସଦାଶିବ ସାହୁ, ନରେନ୍ଦ୍ର ବାରିକ, ରାମଚନ୍ଦ୍ର ବେହେରା, କୃଷ୍ଣକାନ୍ତ ପଣ୍ଡା, ପ୍ରଦୀପ ସାହୁ, ସୁରେଶ ସାହୁ, ଶାନ୍ତନୁ ମଲିକ, ସୁନିତ ସେଠୀ, ବଦ୍ରୀ ନାରାୟଣ ଦଳାଇ, ବନମାଳି ଦାସ, ଜୟରାମ ମାଝୀ, ମୁକ୍ତିକାନ୍ତ ଦାସ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ। ଓଡ଼ିଶା ସଂଘର ସଂପାଦକ ଅଜୟ ବେହେରା, ସହ ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ଭୁବନେଶ୍ୱର ଏନ୍‌ଆଇସି ନିର୍ଦେଶକ ରବି ନାରାୟଣ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର