ଭୁବନେଶ୍ବର : ଭୁବନେଶ୍ବର ଓ କଟକରେ ଚାଲିଥିବା ଅନ୍ତଃଜିଲ୍ଲା ବରିଷ୍ଠ ଫୁଟ୍ବଲ ପ୍ରତିଯୋଗିତା ସାହାଣୀ କପ୍ ଫାଇନାଲ୍ରେ କଟକ ଓ କନ୍ଧମାଳ ପହଞ୍ଚିଯାଇଛନ୍ତି। ଶୁକ୍ରବାର ସେମିଫାଇନାଲ୍ରେ କଟକ ଦଳ ୪-୩ ଗୋଲ୍ରେ ସୁନ୍ଦରଗଡ଼କୁ ଏବଂ କନ୍ଧମାଳ ୨-୧ ଗୋଲ୍ରେ ବରଗଡ଼କୁ ପରାସ୍ତ କରିଥିଲା।
କଟକର ବିଡ଼ାନାସୀ ଗ୍ରାଉଣ୍ଡରେ କଟକ-ସୁନ୍ଦରଗଡ଼ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ପ୍ରଥମାର୍ଦ୍ଧରେ ୩ ଗୋଲ୍ ହୋଇଥିଲା ବେଳେ କଟକ ୨-୧ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧର ୪ ଗୋଲ୍ ମଧ୍ୟରୁ ଉଭୟ ଦଳ ୨-୨ ଦେଇଥିଲେ। ଶେଷରେ ୪-୩ରେ କଟକ ଦଳ ବାଜି ମାରିଥିଲା। କଟକ ପକ୍ଷରୁ ସେକ୍ ଫରିଦ (୨ ଓ ୪୬ ମିନିଟ୍) ଏବଂ ଦୀନବନ୍ଧୁ ଦାସ (୪୫ ଓ ୫୧ ମିନିଟ୍) ୨ ଲେଖାଏଁ ଗୋଲ୍ କରିଥିଲା ବେଳେ ସୁନ୍ଦରଗଡ଼ ପାଇଁ ସ୍ବାଧୀନ ବଢ଼େଇ (୧୮ ମିନିଟ୍), ଦୀପକ ମୁଣ୍ଡା (୬୬ ମିନିଟ୍) ଏବଂ କିଶୋର ଖାଡ଼ିଆ (୯୦+୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଭୁବନେଶ୍ବରର କ୍ୟାପିଟାଲ ଗ୍ରାଉଣ୍ଡରେ ଦ୍ବିତୀୟ ସେମିଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ ବରଗଡ଼ ଓ କନ୍ଧମାଳ। ମ୍ୟାଚ୍ରେ ମୋଟ ୩ ଗୋଲ୍ ହୋଇଥିଲା ବେଳେ ପ୍ରଥମାର୍ଦ୍ଧରେ ଗୋଟିଏ ଓ ଦ୍ବିତୀୟାର୍ଦ୍ଧରେ ୨ଟି ଗୋଲ୍ ଦେଖିବାକୁ ମିଳିଥିଲା। ସଞ୍ଜୀବ ଓରାମ (୧୦ ମିନିଟ୍) ଓ ମାନସ ରଞ୍ଜନ ପ୍ରଧାନ (୫୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରି କନ୍ଧମାଳ ବିଜୟର ନାୟକ ସାଜିଥିଲା ବେଳେ ବରଗଡ଼ ପକ୍ଷରୁ ଏକମାତ୍ର ଗୋଲ୍ଟି ଫ୍ରାନ୍ସିସ ଲାକ୍ରା (୬୧ ମିନିଟ୍) ଶୁଝି ପାରିଥିଲେ। ସେମିଫାଇନାଲ୍ ଦୁଇଟିକୁ ଶ୍ରୀକାନ୍ତ ବହିଦାର, ସୁବ୍ରତ କୁମାର ପୁରୋହିତ, ଅରୁଣ ନାୟକ, ଆଶୀର୍ବାଦ କାନୁନଗୋ, ସୁଜିତ କୁମାର ପାତ୍ରୋ (ମ୍ୟାଚ୍ କମିଶନର), ଶିବଶଙ୍କର ପଣ୍ଡା, ଜ୍ୟୋତିରଞ୍ଜନ ସ୍ବାଇଁ, ଶଶିକାନ୍ତ ଦାସିଆ, ଦୁର୍ଗାମାଧବ ଆଚାର୍ଯ୍ୟ, ଦୁର୍ଗାମାଧବ ନାଏକ (ମ୍ୟାଚ୍ କମିଶନର) ପରିଚାଳନା କରିଥିଲେ।
ଉଭୟ କଟକ ଓ କନ୍ଧମାଳ ଦଳ ଡବଲ୍ ଲେଗ୍ ଫର୍ମାଟ୍ ଫାଇନାଲ୍ରେ ରବିବାର (୧୪ ତାରିଖ) ଓ ବୁଧବାର (୧୭ ତାରିଖ) ମୁହାଁମୁହିଁ ହେବେ। ପ୍ରଥମ ଲେଗ୍ ଫାଇନାଲ୍ ଚୌଦ୍ବାରର ଓଟିଏମ୍ ଗ୍ରାଉଣ୍ଡରେ ଏବଂ ଦ୍ବିତୀୟ ଲେଗ୍ ଫାଇନାଲ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ।