ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ କଟକ ପ୍ରସ୍ତୁତ

ଓହରିଲେ ଉଗାଣ୍ଡା ଓ ଜର୍ସି, ଭିସା ଅପେକ୍ଷାରେ ପାକିସ୍ତାନ ଖେଳାଳି

କଟକ: ଆଉ ୪ ଦିନ ପରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ୨୧ତମ ସ˚ସ୍କରଣ ପାଇଁ ଏବେ ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ରାଜ୍ୟ ଟେବୁଲ ଟେନିସ ସ˚ଘ ଓ ଓଡ଼ିଶା ସରକାର ମିଳିତ ଭାବେ ଏହି ଆନ୍ତର୍ଜାତିକ ପ୍ରତିଯୋଗିତାର ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯାହାଫଳରେ ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମ ଏବେ ଏକ ନୂଆ ରୂପ ପାଇଛି। ଫନି ପ୍ରଭାବରେ କ୍ଷତାକ୍ତ ହୋଇଥିବା ଷ୍ଟାଡିୟମର ମରାମତି ସମ୍ପୂର୍ଣ୍ଣ ହୋଇଥିଲା ବେଳେ ନୂତନ ଭାବେ ଲାଇଟ୍‌ ଓ ସାଉଣ୍ଡ ସିଷ୍ଟମ ଲଗାଯାଇଛି। ଏଥିସହିତ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଉଛି। ପୂର୍ବରୁ କଟକରେ କେବଳ ବାରବାଟୀ ଷ୍ଟାଡିୟମକୁ କ୍ରୀଡାର ପ୍ରାଣକେନ୍ଦ୍ର ଭାବେ ପରିଗଣିତ କରାଯାଉଥିଲା ବେଳେ ଗତ କିଛି ବର୍ଷ ଧରି କଳିଙ୍ଗ ଷ୍ଟାଡିୟମରେ ଆନ୍ତର୍ଜାତିକ ହକି, ଫୁଟବଲ, ରଗ୍‌ବି, ଦୌଡ଼କୁଦ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯାଇ କ୍ରୀଡ଼ାର ପରିସୀମା ବିସ୍ତାର କରାଯାଇଛି। ଏବେ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଟେବୁଲ ଟେନିସ୍‌ ପ୍ରତିଯୋଗିତାକୁ ଆୟୋଜନ କରାଯାଇ ଏହାକୁ ମଧ୍ୟ କ୍ରୀଡ଼ା ହବ୍‌ ମଧ୍ୟରେ ସ୍ଥାନ ଦେବାକୁ ରାଜ୍ୟ କ୍ରୀଡ଼ା ବିଭାଗ କସରତ ଚଲାଇଛି।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ, ବା˚ଲାଦେଶ, ସାଇପ୍ରସ, ଇ˚ଲଣ୍ଡ, ଘାନା, ଗୁୟାନା, ମାଲେସିଆ, ନାଇଜେରିଆ, ସ୍କଟଲ୍ୟାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଲ୍ସ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ସହମତି ଦେଇସାରିଛନ୍ତି। ଆସନ୍ତା ୧୫ ତାରିଖରୁ ଭାରତ ସମେତ ଇ˚ଲଣ୍ଡ ଓ ସିଙ୍ଗାପୁର ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରରେ ପହଞ୍ଚିବେ। ଅନ୍ୟଦଳଗୁଡ଼ିକ ପର୍ଯ୍ୟାୟକ୍ରମେ ଏଠାରେ ପହଞ୍ଚିବେ। ତେବେ ଉଗାଣ୍ଡା ଓ ଜର୍ସିଙ୍କ ସରକାର ସେମାନଙ୍କ ଦଳକୁ ପଠାଇବାକୁ ଅରାଜି ହେବାରୁ ଏହି ଦୁଇ ଦଳ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଖେଳାଳିଙ୍କୁ ଭିସା ମିଳିନଥିବାରୁ ସେମାନେ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟଗୋଷ୍ଠୀ ଟିଟି ୧୯୭୧ରେ ସିଙ୍ଗାପୁରରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିଲା। ବିଗତ ୨୦ ସ˚ସ୍କରଣ ମଧ୍ୟରୁ ଭାରତ ୬ ଥର (୧୯୮୨, ୧୯୯୪, ୨୦୦୧, ୨୦୦୭, ୨୦୧୩ ଓ ୨୦୧୫) ଆୟୋଜକ ହୋଇଛି। ରାଜ୍ୟଗୋଷ୍ଠୀ ଇତିହାସରେ ଦଳଗତ ବିଭାଗରେ ଭାରତର ପୁରୁଷ ଦଳ ୨୦୦୪ ଓ ୨୦୧୫ରେ ବିଜେତା ହୋଇଥିଲା ବେଳେ ପୁରୁଷ ଏକକରେ ସରଥ କମଲ ଏକମାତ୍ର ଖେଳାଳି ଭାବେ ୨୦୦୪ରେ ବିଜେତା ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଚେତନ ବବୁର ଓ ସୁବ୍ରମଣିୟମ ରମଣଙ୍କ ଯୋଡ଼ି ୧୯୯୭ ଓ ୨୦୦୦ ମସିହାରେ ବିଜେତା ହୋଇଥିଲା ବେଳେ ୨୦୦୪ରେ ସରଥ କମଲ ଓ ଶୁଭଜିତ ସାହାଙ୍କ ଯୋଡ଼ି ତୃତୀୟ ଥର ପାଇଁ ଯୁଗଳ ଟ୍ରଫି କବ୍‌ଜା କରିଥିଲେ। ସୁରଟରେ ଆୟୋଜିତ ଗତ ସ˚ସ୍କରଣରେ ଭାରତ ରେକର୍ଡ ସ˚ଖ୍ୟକ ୧୬ ପଦକ ପାଇଥିଲା। ସେଥିମଧ୍ୟରେ ୩ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୭ କା˚ସ୍ୟ ପଦକ ଅନ୍ତର୍ଭୁକ୍ତ। ଏଥି ସହିତ ପୁରୁଷ ଯୁଗଳରେ ସୌମ୍ୟଜିତ ଘୋଷ ଓ ହରମିତ ଦେଶାଇଙ୍କ ଯୋଡ଼ି ନିଜ ଦେଶର ଜି ସାଥିଆନ୍‌ ଓ ଦେବେଶ କାରିଆଙ୍କ ଯୋଡ଼ିକୁ ହରାଇ ପୁରୁଷ ବିଜେତା ହୋଇଥିଲା ବେଳେ ମହିଳାରେ ଯୁଗଳରେ ମନିକା ବାତ୍ରା ଓ ଅଙ୍କିତା ଦାସଙ୍କ ଯୋଡ଼ି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର