ଫାଇନାଲ୍‌ରେ କଟକ କ୍ରୀଡ଼ା ଛାତ୍ରାବାସ

ସର୍ବଭାରତୀୟ ଭୂତିଆ ସ୍ମାରକୀ ଫୁଟ୍‌ବଲ୍‌

ନାଲ୍‌କୋନଗର: ନାଲ୍‌କୋନଗର ବିଜୁ ପଟ୍ଟନାୟକ ସ୍ପୋର୍ଟସ୍‌ କଂପ୍ଲେକ୍ସରେ ଚାଲିଥିବା ସର୍ବଭାରତୀୟ ଭୂତିଆ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ କଟକ କ୍ରୀଡ଼ା ଛାତ୍ରାବାସ ପହଞ୍ଚିଯାଇଛି। ଦୁଇ କଟକ ଦଳ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଛାତ୍ରାବାସ ଦଳ ୨-୧ ଗୋଲ୍‌ରେ ଓଏଏଫ୍‌ସିକୁ ପରାସ୍ତ କରିଦେଇଛି। ପ୍ରଥମାର୍ଧରେ ଏମ୍‌ଡି ଇନ୍ତିହାଜଙ୍କ ଗୋଲ୍‌ ବଳରେ ଓଏଏଫ୍‌ସିର ଆଗୁଆ ରହିବା ସତ୍ତ୍ୱେ ମ୍ୟାଚ୍‌ ହାରି ଯାଇଥିଲା। ଅନ୍ୟପକ୍ଷରେ ହରିମୋହନ ସୋରେନ୍‌ ଦ୍ୱିତୀୟାର୍ଧରେ ଏକାକି ୨ଟି ଗୋଲ୍‌ କରି ଛାତ୍ରାବାସ ଦଳକୁ ବିଜୟ ଭେଟି ଦେଇଥିଲେ। ଆସନ୍ତାକାଲି କଟକ କ୍ରୀଡ଼ା ଛାତ୍ରାବାସ ଏବଂ ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଶୁକ୍ରବାର ସେମିଫାଇନାଲ୍‌ ମ୍ୟାଚ୍‌ ସଂଘର୍ଷ ପୂର୍ଣ୍ଣ ଥିବାବେଳେ ଛାତ୍ରାବାସ ଦଳର ରୁଦ୍ର ମୋହନ ପ୍ରଧାନ ଏବଂ ଓଏଏଫ୍‌ସି ଦଳର ଏମ୍‌ଡି ଆଫ୍ରିଦିଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଫଳରେୁ ଉଭୟଙ୍କୁ ରେଫରି ଲାଲ୍‌ କାର୍ଡ଼ ଦେଖାଇ ପଡ଼ିଆରୁ ବିଦା କରିଥିଲେ। ଏଥି ସହିତ ରୁଦ୍ରମୋହନ ପ୍ରଧାନଙ୍କୁ ଆସନ୍ତାକାଲିର ଫାଇନାଲ୍‌ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର