କଟକ ଟ୍ବେଣ୍ଟି-୨୦ ଆଉ ୧୧ ଦିନ: ବାରବାଟୀରେ ତୃତୀୟ ଟ୍ବେଣ୍ଟି-୨୦, ୨୬ତମ ଆନ୍ତର୍ଜାତିକ ମ୍ୟାଚ୍‌

ଆଜିଠୁ ଅନ୍‌ଲାଇନ୍‌ ଟିକଟ ବିକ୍ରି

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ଆସନ୍ତା ୧୨ ତାରିଖରେ ବାରବାଟୀରେ ୨୬ତମ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଏପରିକି ଏହି ଷ୍ଟାଡିୟମରେ ଏହା ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ହେବ। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ପାଇଁ କଟକ ଆସୁଥିଲା ବେଳେ ଦ୍ବିତୀୟ ଥର ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଯାଉଛି। ଏଥିପୂର୍ବରୁ ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା। ହେଲେ ବିବାଦଭରା ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୬ ଵିକେଟରେ ବିଜୟ ଲାଭ କରିଥିଲା। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ହୋଇ ଦର୍ଶକମାନେ ପଡ଼ିଆ ଭିତରକୁ ପାଣି ବୋତଲ ଫିଙ୍ଗିବାରୁ ଖେଳକୁ ଦୁଇ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା। ଏପରିକି ସବୁ ଦର୍ଶକଙ୍କୁ ଷ୍ଟାଡିୟମରୁ ଖାଲି କରିବା ପରେ ମ୍ୟାଚ୍‌ ପୁଣି ଥରେ ଆରମ୍ଭ ହୋଇଥିଲା। ଦର୍ଶକଙ୍କ ଏତାଦୃଶ ବ୍ୟବହାର ପାଇଁ କଟକ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା। ଏପରିକି ଏହି ଷ୍ଟାଡିୟମକୁ ବାସନ୍ଦ କରିବାକୁ କିଛି ପୂର୍ବତନ କ୍ରିକେଟର ପ୍ରତିକ୍ରିୟା ଦେଇଥିଲେ। ତେବେ ଦୁଇ ବର୍ଷର ବ୍ୟବଧାନ ପରେ ୨୦୧୭ରେ ଇ˚ଲଣ୍ତ ବିପକ୍ଷ ଦିନିକିଆ ଓ ବର୍ଷ ଶେଷରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବାରବାଟୀରେ ସଫଳତାର ସହ ଆୟୋଜନ କରାଯାଇଥିଲା।

କଟକ: ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ବୁଧବାରଠୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହେଉଛି। ୧ ତାରିଖରୁ ପେଟିଏମ୍‌ ଓ ଇନ୍‌ସାଇଡର େଵବସାଇଟ୍‌ (www.insider.in)ରେ ଦିନ ୧୧ଟାରୁ ଟିକଟ ବିକ୍ରି ଆରମ୍ଭ ହେବ। ଅନ୍‌ଲାଇନରେ ମୋଟ ୫୦୦୦ ଟିକଟ ବିକ୍ରି ପାଇଁ ଛଡ଼ାଯାଇଥିଲା ବେଳେ ଟିକେଟ ଶେଷ ହେବା ପର୍ଯ୍ୟନ୍ତ ବିକ୍ରି ଚାଲିବ ବୋଲି ସୂଚନା ଦିଆଯାଇଛି। ଜଣେ ଦର୍ଶକ ସର୍ବାଧିକ ୨ଟି ଟିକଟ କିଣିପାରିବେ। କିଣିବା ପାଇଁ ବୈଧ ଇ-ମେଲ, ମୋବାଇଲ ନମ୍ବର, ସରକାରୀ ପଚିଚୟ ପତ୍ର ରହିବା ବାଧ୍ୟତାମୂଳକ। ୯ରୁ ୧୨ ତାରିଖ ମଧ୍ୟରେ ଦର୍ଶକ ସେମାନଙ୍କ ଅନ୍‌ଲାଇନ୍‌ ବୁକି˚ର କାଗଜ ଦେଖାଇ ଟିକଟ ସ˚ଗ୍ରହ କରିପାରିବେ। ଟିକଟ ସ˚ଗ୍ରହ କରିବାକୁ କଟକର କେମ୍ବ୍ରିଜ ସ୍କୁଲ୍‌ ଓ ଭୁବନେଶ୍ବର ମଞ୍ଚେଶ୍ବର ରେଳବାଇ ଷ୍ଟାଡିୟମ୍‌ ୩ଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି। ଏହାବାଦ୍‌ ଭୁବନେଶ୍ବରରେ ଆଉ ଦୁଇଟି କାଉଣ୍ଟର ଖୋଲାଯିବାକୁ ଓସିଏ ପକ୍ଷରୁ ଯୋଜନା କରାଯାଇଛି। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏବ˚ ୧୨ ତାରିଖରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକଟ ସ˚ଗ୍ରହ କରାଯିବ।

ନୂଆଦିଲ୍ଲୀରେ ଏକାଠି ହେବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ୍‌ ପରେ ଏବେ କ୍ରିକେଟ୍‌ ପ୍ରେମୀ ଏବଂ ବିସିସିଆଇର ନଜର ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଉପରେ। ଜୁନ୍‌ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳା ଲାଗି ଭାରତୀୟ ଖେଳାଳିମାନେ ଜୁନ୍‌ ୫ ତାରିଖରେ ନୂଆଦିଲ୍ଲୀରେ ଏକାଠି ହେବେ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବା ପରେ ପରବର୍ତୀ ୪ଟି ଟ୍ବେଣ୍ଟି-୨୦ କଟକ (ଜୁନ୍‌ ୧୨), ବିଶାଖାପାଟଣା (ଜୁନ୍‌ ୧୪), ରାଜକୋଟ (ଜୁନ୍ ୧୭) ଏବଂ ବେଙ୍ଗାଲୁରୁ (ଜୁନ୍‌ ୧୯)ରେ ଖେଳାଯିବ। କେଏଲ୍ ରାହୁଲ (ଅଧିନାୟକ) ଏବଂ ଋଷଭ ପନ୍ତ୍ (ଉପ ଅଧିନାୟକ)ଙ୍କ ନେତୃତ୍ବାଧୀନ ଦଳ ବିସିସିଆଇ ଘୋଷଣା କରିସାରିଛି। ଡିଡିସିଏ (ଦିଲ୍ଲୀ ଜିଲ୍ଲା କ୍ରିକେଟ୍‌ ସଂଘ)ର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଭାରତୀୟ ଖେଳାଳିମାନେ ଜୁନ୍‌ ୫ରେ ଏକାଠି ହେବା ପରେ ଅଭ୍ୟାସ ଆରମ୍ଭ କରିବେ। ଅନ୍ୟପକ୍ଷରେ ତେମ୍ବା ବଭୁମାଙ୍କ ଦକ୍ଷିଣ ଆଫ୍ରିକା ଦଳ ଚଳିତ ସପ୍ତାହରେ ଆସି ଭାରତ ପହଞ୍ଚିବ। ଆଇପିଏଲ୍‌ ବିଜେତା ଗୁଜରାଟ ଟାଇଟନ୍ସ ଦଳର ପ୍ରମୁଖ ସଦସ୍ୟ ଡେଭିଡ୍‌ ମିଲର୍‌ ଜୁନ୍‌ ୨ ତାରିଖରେ ଦିଲ୍ଲୀ ପହଞ୍ଚିବେ। ଏହି ଶୃଙ୍ଖଳା ପରେ ଭାରତୀୟ ଟେଷ୍ଟ୍ ଦଳ ଜୁନ୍ ୧୬ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ‌ସେହିଭଳି ଜୁନ୍‌ ୨୩-୨୪ରେ ମଧ୍ୟ ଭାରତର ଆଉ ଏକ ଧଳାବଲ ଦଳ ଆୟର୍ଲାଣ୍ଡ୍ ଗସ୍ତ କରି ଦୁଇଟି ଟ୍ବେଣ୍ଟି-୨୦ ଖେଳିବ। ଉଭୟ ‌ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଦଳରେ ରହିଥିବା କେଏଲ୍ ରାହୁଲ, ଋଷଭ ପନ୍ତ୍‌, ଶ୍ରେୟସ ଆୟର୍‌ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ଦିନ (ଜୁନ୍‌ ୧୯)ରେ ବେଙ୍ଗାଲୁରୁଠାରୁ ‌ସିଧାସଳଖ ବ୍ରିଟେନ୍ ଗସ୍ତ କରିବେ। ଆୟର୍ଲାଣ୍ଡ ଗସ୍ତରେ ଯିବାକୁ ଥିବା ଦଳ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଗସ୍ତ କରିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଭାରତୀୟ ଟ୍ବେଣ୍ଟି-୨୦ ଦଳ:

କେଏଲ୍ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଦୀପକ ହୁଦା, ଶ୍ରେୟସ ଆୟର୍‌, ଋଷଭ ପନ୍ତ୍‌ (ଉପ ଅଧିନାୟକ, ୱିକେଟରକ୍ଷକ), ଦୀନେଶ କାର୍ତିକ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର୍‌, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ୍‌, ଅଭେସ୍‌ ଖାନ୍‌, ଅର୍ଶଦୀପ ସିଂହ, ଉମ୍ରାନ୍‌ ମଲ୍ଲିକ।

ସମ୍ବନ୍ଧିତ ଖବର