ନୂଆଦିଲ୍ଲୀ: ବ୍ୟକ୍ତିଗତ ପ୍ରଦର୍ଶନ ଏବଂ ନେତୃତ୍ବ ଜରିଆରେ ଗୁଜରାଟ ଟାଇଟନ୍ସକୁ ପଦାର୍ପଣ ଋତୁରେ ବିଜେତା କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଭବିଷ୍ୟତ ଅଧିନାୟକ ଭାବେ ଦେଖୁଛନ୍ତି କିଂବଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର। ହାର୍ଦିକ ବ୍ୟାଟର୍ ଭାବେ ୪୪.୨୭ ହାରାହାରି ଓ ୧୩୧.୨୬ ଷ୍ଟ୍ରାଇକ୍ରେଟ୍ରେ ମୋଟ ୪୮୭ ରନ୍ ସଂଗ୍ରହ କରିଥିଲେ। ୭.୨୭ ଇକୋନୋମିରେ ମୋଟ ୮ ୱିକେଟ୍ ବି ନେଇଥିଲେ। ଆଇପିଏଲ୍ର ଦ୍ବିତୀୟ ଭାଗରେ ସେ ବୋଲିଂ କରିନଥିଲେ ମଧ୍ୟ ଫାଇନାଲ୍ରେ ସମ୍ପୂର୍ଣ୍ଣ କୋଟାର ବୋଲିଂ କରି (୪-୦-୧୭-୩) ରାଜସ୍ଥାନ ରୟାଲ୍ସକୁ ୧୩୦/୯ରେ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆସୁଥିବାରୁ ଏହି ୨୮ ବର୍ଷୀୟ ଅଲ୍ରାଉଣ୍ଡର୍ଙ୍କ ଭାରତୀୟ ଦଳରେ ସାମିଲ ନେଇ ରହିଥିବା ସମସ୍ତ ଦ୍ବନ୍ଦ୍ବ ଦୂର ହୋଇଛି। ହାର୍ଦିକ ଏବେ ନିଜର ସମସ୍ତ ଭୂମିକାକୁ ଭାରତୀୟ ଦଳ ପାଇଁ ଉପଯୋଗ କରିପାରିବେ ବୋଲି ପୂର୍ବତନ ଖେଳାଳିମାନେ ଆଶା କରିଛନ୍ତି। ‘କେବଳ ମୋ ଆକଳନ ନୁହେଁ, ପ୍ରତ୍ୟେକଙ୍କ ପୂର୍ବାନୁମାନ ଅନୁସାରେ ହାର୍ଦିକଙ୍କ ନେତୃତ୍ବ ଉପରେ ବିଶ୍ବାସ ବଢ଼ିଛି। ତାଙ୍କ ଖେଳର ଏହି ଦିଗଟି ଉପରେ କାହାରି ନିକଟରେ କିଛି ସୂଚନା ନଥିଲା।
ଆମେ ସଭିଏଁ ଜାଣିଥିଲୁ ହାର୍ଦିକ ବ୍ୟାଟିଂ କରିପାରିବେ, ବୋଲିଂ କରିପାରିବେ, କିନ୍ତୁ ଚଳିତ ଋତୁ ପୂର୍ବରୁ ସେ ସମ୍ପୂର୍ଣ୍ଣ କୋଟା ୪ ଓଭର ବୋଲିଂ କରିପାରିବେ ବୋଲି ଆଶଙ୍କା ଥିଲା। ସେ ଏହା କରି ଦେଖାଇଦେଲେ, ଅଲରାଉଣ୍ଡର୍ ଦିଗଟି ଫୁଟି ଉଠିଥିବାରୁ ସମସ୍ତେ ଖୁସି।’’ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। ଏବେଠାରୁ ତାଙ୍କ ନେତୃତ୍ବ ଦକ୍ଷତା ସମ୍ପର୍କରେ ଅନେକ ଆଶା କରାଯିବ। ଜାତୀୟ ଦଳ ପାଇଁ ଏହି ଦାୟିତ୍ବ ତୁଲାଇବା ଦିଗଟି ଖୋଲା ହୋଇଗଲା। ଯେଉଁ ୩/୪ ଜଣଙ୍କ ନାମ ଅଧିନାୟକ ଦୌଡ଼ରେ ରହିବ ହାର୍ଦିକ ସେଥିରେ ନିଶ୍ଚିତ ରହିବେ। ସେ ପରବର୍ତୀ ଅଧିନାୟକ ହେବେ ବୋଲି ମୁଁ କହୁଁନାହିଁ, କିନ୍ତୁ ଚୟନ ସମିତି ପାଇଁ ନିଶ୍ଚିତ ଏକ ଚମତ୍କାର ବିକଳ୍ପ ଉଭା ହୋଇଗଲେ’ ବୋଲି ଗାଭାସ୍କର ପ୍ରକାଣ କରିଛନ୍ତି।